ବିଜେଡି ଭୋଟ ୨୨ ହଜାର କମିବ : ପ୍ରମିଳା ମଲ୍ଲିକ
ବିଜେଡି ଭୋଟ ୨୨ ହଜାର କମିବ : ପ୍ରମିଳା ମଲ୍ଲିକ
admin
Oct 11, 2019 - 09:14
Updated: Oct 11, 2019 - 09:14
ଭୁବନେଶ୍ୱର: ଆସନ୍ତା ୨୧ ତାରିଖ ଦିନ ବିଜେପୁର ଫାଇଟ । କଂଗ୍ରେସ ପକ୍ଷରୁ ଦିଲ୍ଲୀପ ପଣ୍ଡା, ବିଜେପି ପକ୍ଷରୁ ସନତ ଗଡ଼ତିଆ ଓ ବିଜେଡି ପକ୍ଷରୁ ରୀତା ସାହୁଙ୍କୁ ପ୍ରାର୍ଥୀ କରାଯାଇଛି । ପୂଜା ଛୁଟି ସରିବା ପରେ ବିଜେପୁର ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ବିଭିନ୍ନ ଦଳରେ ନେତା ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ତେବେ ଏହା ଭିତରେ ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜୟ ନେଇ ବିଜେଡି ପକ୍ଷରୁ ଦମ୍ଭୋକ୍ତି ପ୍ରକାଶ ପାଇଛି । ଖାଲି ବିଜୟ ନୁହେଁ ୩୫ ହଜାର ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ବିଜୟ ଲାଭ କରିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରାଯାଇଛି । ଏଭଳି ଦମ୍ଭୋକ୍ତି ଆଉ କେହି ନୁହେଁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ, ବିଜେପୁରକୁ ହାତେଇବା ପାଇଁ ବିଜେଡି ସମେତ ଅନ୍ୟ ଦଳ ବି ମଇଦାନକୁ ଓହ୍ଲାଇଛନ୍ତି । ତେବେ ବିଜେପୁରରେ ବିଜେଡି ବାଜିମାତ ମାରିବ । ପୁଣି ଥରେ ବିଜେଡ଼ି ବିଜେପୁରରେ ବିଜୟ ବାନା ଉଡ଼ାଇବ । ୩୫ ହଜାର ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ବିଜୟ ଲାଭ କରିବେ । କେନ୍ଦ୍ରମନ୍ତ୍ରୀ ଯେତେ ପ୍ରଚାର କଲେ ବି ଭୋଟରଙ୍କ ଉପରେ କିଛି ବି ପ୍ରଭାବ ପଡ଼ିବ ନାହିଁ ।
ତେବେ ଚଳିତ ବିଜେପୁର ଉପନିର୍ବାଚନରେ ବିଜେଡି ଭୋଟ ଯେ କମିବ ତାହା ଶ୍ରୀମତୀ ମଲ୍ଲିକ ସିଧାସିଧି ନହେଲେ ବି ବୁଲେଇ ବଙ୍କେଇ କହିଦେଇଛନ୍ତି । ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିତିଥିଲେ । ମୁଖ୍ୟମନ୍ତ୍ରୀ ପ୍ରାୟ ୫୭ ହଜାର ଭୋଟ ବ୍ୟବଧାନରେ ଜିତିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ମିଳିଥିଲା ୧, ୧୦, ୬୦୪ ଖଣ୍ଡ ଭୋଟ । ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ମିଳିଥିଲା ୫୩, ୪୮୨ଖଣ୍ଡ ଭୋଟ । ପ୍ରମିଳାଙ୍କ ଉକ୍ତି ଅନୁସାରେ ବିଜେଡି ଭୋଟ ପ୍ରାୟ ୨୨ ହଜାର କମିବ ।
ଏଠାରେ ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ନିର୍ବାଚନରେ ବିଜେପୁର ଏବଂ ହିଞ୍ଜିଳି ୨ଟି ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ। ଏହି ୨ଟି ଆସନରୁ ମୁଖ୍ୟମନ୍ତ୍ରୀ ବିଜୟୀ ହୋଇଥିଲେ। ଫଳରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୋଟିଏ ଆସନ ଛାଡିଥିଲେ। ଏଣୁ ବିଜେପୁରରେ ଉପନିର୍ବାଚନ କରାଯାଉଛି।
ସବୁ ରାଜନୈତିକ ଦଳ ବିଜେପୁରରୁ ବିଜୟ ବାନା ଉଡ଼ାଇବା ଲାଗି ରଣନୀତି ପ୍ରସ୍ତୁତ କରିଛନ୍ତି । ତେବେ ବିଜେପୁର ବାସୀ କେଉଁ ରାଜନୈତିକ ଦଳ ପ୍ରାର୍ଥୀ ଉପରେ ସୁନା କଳସ ଢାଳୁଛନ୍ତି ତାହା ଦେଖିବାର କଥା । ତେବେ ବିଜେଡି ହାତରେ ଥିବା ଏହି ଆସନ ବିଜେଡି ରଖିପାରିବ ନା ବିଜେପି ଛଡାଇ ନେବ ନା କଂଗ୍ରେସ ମ୍ୟାଜିକ କରିବ ତାହା ଆଗାମୀ ଦିନରେ ଜଣାପଡିବ ।