୮ ଦିନରେ ୮୯୪ ନିଖୋଜ ପିଲାଙ୍କୁ ଉଦ୍ଧାର

୮ ଦିନରେ ୮୯୪ ନିଖୋଜ ପିଲାଙ୍କୁ ଉଦ୍ଧାର

୮ ଦିନରେ ୮୯୪ ନିଖୋଜ ପିଲାଙ୍କୁ ଉଦ୍ଧାର
ଭୁବନେଶ୍ୱର : ରାଜ୍ୟର ହଜାର ହଜାର ପିଲା ନିଖୋଜ ହୋଇଯାଉଛନ୍ତି । ବାପାମା’ମାନେ ଥାନାରେ ଏତଲା ବି ଦେଉଛନ୍ତି । କିନ୍ତୁ ପିଲାମାନଙ୍କ ପତା ମିଳିପାରୁନାହିଁ । ପିଲା ବଂଚିଛନ୍ତି, କେଉଁଠି କାମ କରୁଛନ୍ତି ନା କିଛି ଅଘଟଣ ଘଟୁଛି ସେ ସମ୍ପର୍କରେ କେହିବି କିଛି ଜାଣିପାରୁନାହାନ୍ତି । ଯାହାକୁ ନେଇ ପୁଲିସ ସମାଲୋଚନାର ଶରବ୍ୟ ହେଉଥିଲା । ବିଶେଷକରି ପରୀ ମାମଲାରେ ଏନେଇ ପୁଲିସକୁ ଟାର୍ଗେଟ କରାଯାଇଥିଲା । ନିଖୋଜ ପିଲାଙ୍କର ସନ୍ଧାନ କରାଯାଉନଥିବାରୁ ଏଭଳି ଅଘଟଣ ଘଟୁଛି ବୋଲି ବିରୋଧୀ ଦଳ ଅଭିଯୋଗ ବି କରିଆସୁଛି । ରାଜ୍ୟର କେତେ ପିଲା ନିଖୋଜ ହୋଇଛନ୍ତି ସେନେଇ ବିଜେପି ପକ୍ଷରୁ ପୂର୍ବରୁ ତଥ୍ୟ ସମ୍ବଳିତ ରିପୋର୍ଟ ବି ଦିଆଯାଇଥିଲା । ଏସବୁ ଭିତରେ ଏକ ଭଲ ଖବର ଆସିଛି । ପିଲାମାନଙ୍କୁ ଖୋଜିବା ପାଇଁ ଏକ ସ୍ୱତନ୍ତ୍ର ଅପରେସନ କରାଯାଇଥିବାବେଳେ ୮୯୪ ପିଲାଙ୍କୁ ଉଦ୍ଧାର କରାଯାଇଛି । ଏସଂକ୍ରାନ୍ତରେ ପୋଲିସ ଡିଜି ଅଭୟ ସୂଚନା ଦେଇ କହିଛନ୍ତିଯେ, ଜାନୁଆରୀ ୧୮ ରୁ ୨୫ ପର୍ଯ୍ୟନ୍ତ ନିଖୋଜ ଶିଶୁ ଉଦ୍ଧାର ଅଭିଯାନ ଚାଲିଥିଲା । ଉଦ୍ଧାର ୮୯୪ ପିଲାଙ୍କ ମଧ୍ୟରୁ ୯୪ ଜଣ ବାଳକ ଥିବାବେଳେ ୮ ଶହ ଜଣ ହେଉଛନ୍ତି ବାଳିକା । ଉଦ୍ଧାର କରାଯାଇଥିବା ପିଲାଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ଜିଲାରୁ ଅଛନ୍ତି ସର୍ବାଧିକ ୧୨୭ । ସେହିପରି ମୟୁରଭଂଜରୁ ୧୧୧ ଏବଂ ବାଲେଶ୍ୱରରୁ ୮୮ ଜଣ ଉଦ୍ଧାର କରାଯାଇଥିବା ଜାଣିବାକୁ ମିଳିଛି ।