ରାତାରାତି ବଦଳିଲେ ପୋଲିସ ଡିଜି: ଅଭୟ ନୂଆ ଡିଜି

ରାତାରାତି ବଦଳିଲେ ପୋଲିସ ଡିଜି: ଅଭୟ ନୂଆ ଡିଜି

ରାତାରାତି ବଦଳିଲେ ପୋଲିସ ଡିଜି: ଅଭୟ ନୂଆ ଡିଜି
ଭୁବନେଶ୍ବର : ରାଜ୍ୟରେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ ପ୍ରଦାନରେ ବଡଧରଣ ଘୋଟାଲା ଅଭିଯୋଗରେ ରାଜ୍ୟ ସରକାର ଡିଜି ପଦରୁ ବିକେ ଶର୍ମାଙ୍କୁ ହଟାଇ ତାଙ୍କ ସ୍ଥାନରେ ୧୯୮୬ ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ଅଭୟଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି । ଏବେ ଅଭୟ ହାଇଦ୍ରାବାଦସ୍ଥିତ ଜାତୀୟ ପୋଲିସ ଏକାଡେମୀରେ ନିର୍ଦ୍ଦେଶକ ଅଛନ୍ତି । ତେବେ ଅଭୟ ଦାୟିତ୍ବ ନେବା ପର୍ଯ୍ୟନ୍ତ ସତ୍ୟଜିତ ମହାନ୍ତି ମଧ୍ୟବର୍ତ୍ତୀକାଳୀନ ଡିଜି ଦାୟିତ୍ବରେ ରହିବେ ବୋଲି ସରକାର ନିର୍ଦ୍ଦେଶ ଜାରୀ କରିଛନ୍ତି । ଡିଜି ପଦରୁ ହଟିବା ପରେ ବିକେ ଶର୍ମାଙ୍କୁ ଗୃହ ବିଭାଗର ଓଏସଡି ଭାବେ ଅବସ୍ଥାପିତ କରାଯାଇଛି । ଅପର ପକ୍ଷରେ ବରିଷ୍ଠ ଆଇପିଏସ ଅଧିକାରୀ ସୁନୀଲ ରାୟଙ୍କୁ ଅଗ୍ନିଶମ ଡିଜି ଭାବେ ଅବସ୍ଥାପିତ କରାଯାଇଛି ।ବିକେ ଶର୍ମା ପୋଲିସ ନିର୍ଦ୍ଦେଶକ ହେବା ପୂର୍ବରୁ ଅଗ୍ନିଶମ ବିଭାଗର ଡିଜି ଥିଲେ ।ଏପରିକି ଡିଜିପି ହେବା ପରେ ମଧ୍ୟ ସେ ଅଦ୍ୟାବଧି ଅଗ୍ନିଶମ ଡିଜି ରହିଥିଲେ । ତେବେ ତାଙ୍କ ସମୟରେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ପ୍ରାଥମିକ ଭାବେ ସରକାର ଜାଣିପାରିଛନ୍ତି । ଏଥିଲାଗି ସରକାର ତଦନ୍ତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ଗୃହ ସଚିବଙ୍କୁ ନେଇ ଗଠିତ ତିନିଜଣିଆ କମିଟି ଏହି ଘୋଟାଲାର ତଦନ୍ତ କରିବ । ପୋଲିସ ମହାନିର୍ଦ୍ଦେଶକ ପଦରେ ବିକେ ଶର୍ମା ରହିଲେ ତଦନ୍ତରେ ବାଧା ସୃଷ୍ଟି ହେବ ବୋଲି ଆଶଂକା କରି ଆଜି ବିଳମ୍ବିତ ସଂଧ୍ୟାରେ ସରକାର ତାଙ୍କୁ ଡିଜି ପଦରୁ ହଟାଇ ଗୃହ ବିଭାଗର ଓଏସଡି ଭାବେ ଅବସ୍ଥାପିତ କରିଛନ୍ତି ।ଦୁଇଦନ ତଳେ ସରକାର ଫାୟାର ସେଫ୍ଟି ପ୍ରମାଣପତ୍ର କ୍ଷେତ୍ର ଅଧିକାରୀମାନେ ଦେଇପାରିବେ ବୋଲି ଏକ ବଡ ଘୋଷଣା କରିଥିଲେ । ଆଗାମୀ ଦିନରେ ଏହି ପ୍ରମାଣ ପତ୍ର ଅନ ଲାଇନ ମାଧ୍ୟମରେ ହେବ ବୋଲି ମଧ୍ୟ ଘୋଷଣା କରାଯାଇଛି ।ବିଜୟ ଶର୍ମାଙ୍କୁ ଡିଜି ପଦରୁ ହଟାଇବା ସରକାରଙ୍କ ଏକ ବଡ ନିଷ୍ପତ୍ତି ।