କଂଗ୍ରେସ ସବୁ ରାଜ୍ୟରେ ଭଲ ପ୍ରଦର୍ଶନ କରିବ: ସୁର

କଂଗ୍ରେସ ସବୁ ରାଜ୍ୟରେ ଭଲ ପ୍ରଦର୍ଶନ କରିବ: ସୁର

ଭୁବନେଶ୍ବର: ଆସିଲା ନିର୍ବାଚନ ଋତୁ । ୫ ରାଜ୍ୟରେ ନିର୍ବାଚନ ନେଇ ବାଜିଲା ବିଗୁଲ । ୯ ତାରିଖ ଅର୍ଥାତ ସୋମବାର କେନ୍ଦ୍ର ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ୫ଟି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା, ମିଜୋରାମ ଏବଂ ରାଜସ୍ଥାନ । ନଭେମ୍ବର ମାସରେ ଏହି ରାଜ୍ୟଗୁଡ଼ିକରେ ହେବ ନିର୍ବାଚନ । କାହା ସପକ୍ଷରେ ଯିବ ଜନାଦେଶ ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । ତେବେ ସବୁ ରାଜ୍ୟରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଏନେଇ ସୁର କହିଛନ୍ତି, " କଂଗ୍ରେସ ଭଲ ପ୍ରଦର୍ଶନ କରିବ । କର୍ଣ୍ଣାଟକ ଭଳି ୫ଟି ରାଜ୍ୟରେ କଂଗ୍ରେସ ଜିତି ସରକାର ଗଢ଼ିବ । ଛତିଶଗଡ଼ରେ କଂଗ୍ରେସ ଜିତିବ । ରାଜସ୍ଥାନରେ ସରକାର ଅଛି, ପୁଣି ଜିତିବ ଗେହଲଟ ସରକାର । ମଧ୍ୟପ୍ରଦେଶରେ କଂଗ୍ରେସ ଜିତିବ । ତେଲେଙ୍ଗାନାରେ କଂଗ୍ରେସ ଦୈନିକ ଲୋକପ୍ରିୟତା ବୃଦ୍ଧି ପାଉଛି । ମିଜୋରାମରେ କଂଗ୍ରେସ ଭଲ କରିବ । ଓଡ଼ିଶାରେ ମଧ୍ୟ କଂଗ୍ରେସ କ୍ଷମତାକୁ ଫେରିବା ନେଇ ଆଶା ରହିଛି । ୫ଟି ରାଜ୍ୟରେ ନିର୍ବାଚନ କଂଗ୍ରେସ ସପକ୍ଷରେ ଯିବ ।" 

ତେବେ ନଭେମ୍ବର ମାସରେ ୫ଟି ରାଜ୍ୟର ନିର୍ବାଚନ ହେବା ନେଇ ତାରିଖ ଘୋଷଣା କରିଛନ୍ତି କେନ୍ଦ୍ରୀୟ ନିର୍ବାଚନ ଆୟୁକ୍ତ । ଆଜି କେନ୍ଦ୍ର ନିର୍ବାଚନ କମିଶନର ରାଜୀବ କୁମାର ୫ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଛତିଶଗଡ଼ରେ ୨ଟି ପର୍ୟ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ବାକି ୪ଟି ରାଜ୍ୟରେ ନିର୍ବାଚନ ଗୋଟିଏ ପର୍ୟ୍ୟାୟରେ ହେବ । ଛତିଶଗଡ଼ରେ ନଭେମ୍ବର ୭ ଓ ୧୭ରେ ନିର୍ବାଚନ ହେବ । ମଧ୍ୟପ୍ରଦେଶରେ ନଭେମ୍ବର ୧୭ରେ ନିର୍ବାଚନ ହେବ । ରାଜସ୍ଥାନରେ ନଭେମ୍ବର ୨୩ରେ ଭୋଟ ଗ୍ରହଣ ହେବ । ମିଜୋରାମରେ ନଭେମ୍ବରରେ ୭ରେ ନିର୍ବାଚନ ହେବ । ସେହିପରି ତେଲେଙ୍ଗାନାରେ ନଭେମ୍ବର ୩୦ରେ ଭୋଟ ଗ୍ରହଣ ହେବ। ଡିସେମ୍ବର ୩ ତାରିଖରେ ୫ଟି ରାଜ୍ୟର ଭୋଟ ଗଣତି ହେବ ।