ଇସ୍ତଫା ଦେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ
ଇସ୍ତଫା ଦେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିପ୍ଲବ କୁମାର ଦେବ । ନିଜର ଇସ୍ତଫା ପତ୍ର ସେ ରାଜ୍ୟପାଳଙ୍କୁ ପଠାଇ ଦେଇଛନ୍ତି । ହଠାତ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି ।
ଶୁକ୍ରବାର ଦିନ ବିପ୍ଲବ ଦେବ ଦିଲ୍ଲୀ ଯାଇଥିଲେ । ଆସନ୍ତା ବର୍ଷ ତ୍ରିପୁରାରେ ନିର୍ବାଚନ ଥିବାରୁ ସେନେଇ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରିଥିଲେ । ଶନିବାର ସେ ଅଗରତାଲା ପ୍ରତ୍ୟାବର୍ତନ କରିଥିଲେ । ଦିଲ୍ଲୀରୁ ଫେରିବା ପରେ ସେ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେଇଥିଲେ । ତାଙ୍କର ଇସ୍ତଫା ପତ୍ର ମଧ୍ୟ ରାଜ୍ୟପାଳ ଗ୍ରହଣ କରିନେଇଥିବା ଜାଣିବାକୁ ମିଳିଛି । ଆଜି ସଂଧ୍ୟା ସାଢେ଼ ୫ଟାରେ ତ୍ରିପୁରା ବିଜେପି ବିଧାୟକମାନଙ୍କର ବୈଠକ ବସିବ । ବୈଠକରେ ପରବର୍ତୀ ମୁଖ୍ୟମନ୍ତ୍ରୀ ନେଇ ନିଷ୍ପତି ନିଆଯିବ ।
ଏସଂକ୍ରାନ୍ତରେ ତ୍ରିପୁରାର ଜଣେ ମନ୍ତ୍ରୀ କହିଛନ୍ତିଯେ, ହଠାତ ବିପ୍ଲବ ଦେବ କାହିଁକି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ତାହା ତାଙ୍କୁ ଚକିତ କରିଛି । ହୁଏତ କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ଇସ୍ତଫା ଦେବାକୁ ପରାମର୍ଶ ଦେଇଥିଲେ । ଦଳ ଆଗାମୀ ବିଧାନସଭା ନିର୍ବାଚନ ପାଇଁ କିଛି ଯୋଜନା କରିଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ।
ତ୍ରିପୁରାରେ ବିଜେପିର ସାଂଗଠନିକ ଦାୟିତ୍ୱରେ ବିପ୍ଲବ ଦେବ ରହିବେ । ୨୦୨୩ ନିର୍ବାଚନ ପାଇଁ ସେ ରଣନୀତି କରିବେ ।