ଏଲ୍ଓସି ଅଶାନ୍ତ !

ଏଲ୍ଓସି ଅଶାନ୍ତ !

ଏଲ୍ଓସି ଅଶାନ୍ତ !
ଶ୍ରୀନଗର : ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କଶ୍ମୀରରେ ସ୍ଥିତି ଶାନ୍ତପୂର୍ଣ୍ଣ ରହିଛି ବୋଲି ଏନଏସଏ (ଜାତୀୟ ସୁରକ୍ଷା ପରାମର୍ଶଦାତା) ଅଜିତ ଡୋଭାଲ କହିଛନ୍ତି । ଡୋଭାଲ ଆଜି ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ସହ ସୁରକ୍ଷା ସ୍ଥିତି ନେଇ ସମୀକ୍ଷା ବୈଠକ କରିଛନ୍ତି । କଶ୍ମୀରର ସବୁକିଛି ଠିକ୍ ଅଛି ବୋଲି କୁହାଯାଉଥିଲେ ମଧ୍ୟ ବାସ୍ତବରେ ଏଲଓସି ଏବେ ଅଶାନ୍ତ ହୋଇପଡ଼ିଛି ବୋଲି କୁହାଯାଇଛି । ଜମ୍ମୁ କଶ୍ମୀରର ରାଜୌରି ଜିଲ୍ଲାରେ ଆଜି ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରିଛି । ଆଗୁଆ ଘାଟି ଏବଂ ସୀମାନ୍ତ ଗ୍ରାମ ଗୁଡ଼ିକୁ ଟାର୍ଗେଟ କରି ପାକ୍ ସେନା ଗୁଳି ବର୍ଷା କରୁଛି । ଏଲଓସିରେ ଗୁଳିବର୍ଷା ଜାରି ରହିଥିବାରୁ ଚୀନ ଏବେ ଉଭୟ ଭାରତ ଏବଂ ପାକିସ୍ତାନକୁ ଏଲଓସିରେ ଶାନ୍ତି ବଜାୟ ରଖିବାକୁ କହିଛି । ଜାତିସଂଘ ପକ୍ଷରୁ ମଧ୍ୟ ଉଭୟ ଭାରତ ଓ ପାକିସ୍ତାନକୁ ସଂଯମତା ରକ୍ଷା କରିବା ପାଇଁ କୁହାଯାଇଛି । ସେପେଟ କୁପୱାଡା ଜିଲ୍ଲାରେ ଏଲଓସିରେ କିଛି ପାକିସ୍ତାନୀ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ କରିଥିବା ବେଳେ ଭାରତୀୟ ସେନା ଏହାକୁ ପଣ୍ଡ କରିଦେଇଛି । ଆତଙ୍କବାଦୀମାନେ ଭାରତୀୟ ପରିସରର ପ୍ରାୟ ୫୦୦ ମିଟର ଭିତରକୁ ପଶି ଆସିଥିବା ବେଳେ ସେନା ପକ୍ଷରୁ ସେମାନଙ୍କୁ ଘଉଡ଼ା ଯାଇଥିଲା । ଭାରତୀୟ ସେନା ପକ୍ଷରୁ ମଛିଲ ଏବଂ ଉରି ସେକ୍ଟରରେ ଦୁଇଟି ଅନୁପ୍ରବେଶ ଉଦ୍ୟମ ପଣ୍ଡ କରାଯାଇଛି । ଆତଙ୍କବାଦୀଙ୍କ ଗୁଳିରେ ଆଜି ଜଣେ ସେନା ଯବାନ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି । ଜମ୍ମୁ କାଶ୍ମୀରରେ ଏବେ ୨୦୦ ଆତଙ୍କବାଦୀ ସକ୍ରିୟ ଅଛନ୍ତି । ଏଲଓସିରେ ପ୍ରାୟ ୨୦୦-୨୫୦ ଆତଙ୍କବାଦୀ ଠୁଳ ରହିଛନ୍ତି । ଆତଙ୍କବାଦୀ ମାନେ ଭାରତ ମଧ୍ୟକୁ ପ୍ରବେଶ କରିବା ପାଇଁ ସୁଯୋଗ ଖୋଜୁଛନ୍ତି ବୋଲି ସେନା ପକ୍ଷରୁ କୁହାଯାଇଛି । ସେପଟେ ପାକ୍ ସେନା ମୁଖ୍ୟ କମର ଜାଭେଦ ବଜ୍ୱା ଚେତାବନୀ ଦେଇ କହିଛନ୍ତି କଶ୍ମୀର ପାଇଁ ପାକ୍ ସେନା ଯେକୌଣସି ସ୍ତରକୁ ମଧ୍ୟ ଯାଇପାରିବ । ପାକ୍ ସେନା ପକ୍ଷରୁ ସୀମାରେ ଲଗାତର ଗୁଳି ବର୍ଷା ହେଉଥିବାରୁ ସୀମାନ୍ତ ଗ୍ରାମର ଲୋକମାନେ ଏବେ ଅତ୍ୟନ୍ତ ଭୟରେ ଅଛନ୍ତି ।