ଦିନେ ପଙ୍ଖା ସଜାଡ଼ୁଥିଲେ, ଏବେ ଅଲିମ୍ପିକ୍ ଚାମ୍ପିଅନ୍

ଦିନେ ପଙ୍ଖା ସଜାଡ଼ୁଥିଲେ, ଏବେ ଅଲିମ୍ପିକ୍ ଚାମ୍ପିଅନ୍

ଦିନେ ପଙ୍ଖା ସଜାଡ଼ୁଥିଲେ, ଏବେ ଅଲିମ୍ପିକ୍ ଚାମ୍ପିଅନ୍

ବରଗଡ଼: ଟୋକିଓରେ ଚାଲିଥିବା ପାରା ଅଲିମ୍ପିକ୍ରେ ବ୍ୟାଡମିଣ୍ଟନ୍ରେ ଗୌରବ ଆଣିଛନ୍ତି ପ୍ରମୋଦ ଭଗତ। ସ୍ବର୍ଣ୍ଣ ପଦକ ଜିତି ସେ ଏହି ଗୌରବ ଆଣିଛନ୍ତି। ସମଗ୍ର ଦେଶ ତାଙ୍କ ପାଇଁ ଗୌରବନ୍ବିତ ହୋଇଛି। ହେଲେ ତାଙ୍କ ବିଗତ ଇତିହାସ ଜାଣିଲେ ତାଙ୍କ ପ୍ରତି ସମ୍ମାନ ଅତି ମାତ୍ରାରେ ବଢ଼ିଯିବ। ଦିନେ ପ୍ରମୋଦ ବରଗଡ଼ ଅତାବିରା ରାସ୍ତା କଡ଼ରେ ପଙ୍ଖା ଦୋକାନରେ ବଡ଼ ଭାଇଙ୍କୁ ସହାୟତା କରୁଥିଲେ। ପ୍ରମୋଦ ଭଗତ ନିଜେ ବି ତାକୁ ସଜାଡୁଥିଲେ । ୧୫ ବର୍ଷ ମଧ୍ୟରେ ସାମାନ୍ୟ ପଙ୍ଖା ମେକାନିକ ଭାବେ ଜଣାଶୁଣା ଥିବା ପ୍ରମୋଦ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଆଣି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଅଭାବ, ଅନାଟନ, ପାରିବାରିକ ସମସ୍ୟା, ଜୀବନ ଜୀବିକା ଦୋଛକିରେ ସଂଘର୍ଷ କରି ସାଧାରଣ ଜଣେ ଭିନ୍ନକ୍ଷମରୁ ଅସାଧାରଣ ବ୍ୟକ୍ତିତ୍ୱରେ ଅଧିକାରୀ ହୋଇଛନ୍ତି ଅର୍ଜୁନ ପୁରସ୍କାର ପ୍ରାପ୍ତ ପ୍ରମୋଦ । ତାଙ୍କ ବାସ୍ତବ ଜୀବନର ସଂଘର୍ଷମୟ କାହାଣୀ କୌଣସି ସିନେମା କାହାଣୀରୁ କିଛି କମ୍ ନୁହେଁ । ପ୍ରମୋଦ ଅତାବିରା ବାଳକ ହାଇସ୍କୁଲରେ ପଢ଼ିବା ପରେ ଅତାବିରା କଲେଜରୁ ଯୁକ୍ତ ୨ ପାସ କରି ଯୁକ୍ତ ୩ରେ ନାମ ଲେଖାଇଥିଲେ । ଏହା ସହିତ ହୀରାକୁଦର ଏକ ଆଇଟିଆଇ କଲେଜରେ ନାମ ଲେଖାଇଥିଲେ । କିନ୍ତୁ ଅର୍ଥାଭାବ ଯୋଗୁଁ କଲେଜ ଫି ଦେଇ ନପାରିବାରୁ ଆଇଟିଆଇ ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିପାରିନଥିଲେ । ପରିବାର ଚଳାଇବା ପାଇଁ ପଙ୍ଖା, ଆଇରନ ଆଦି ସଜାଡୁଥିଲେ । କିନ୍ତୁ ବ୍ୟାଡମିଣ୍ଟନ ଖେଳିବା ନିଶା କେବେ ତାଙ୍କ ବାଟରେ ପ୍ରତିବନ୍ଧକ ସୃଷ୍ଟି କରିପାରିନଥିଲା । ବିଭିନ୍ନ ଗାଁରେ ସାଧାରଣ ବର୍ଗରେ ବ୍ୟାଡମିଣ୍ଟନ ଖେଳି ସେ ବିଜେତା ହୋଇଛନ୍ତି । ବରଗଡ଼ର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ୨୫ ଶହ ଟଙ୍କାରେ ସେ କୋଚ ନିଯୁକ୍ତ ହୋଇଥିଲେ । ୨୦୦୬ ରେ ବେଙ୍ଗାଲୁରୁର ଜାତୀୟ ଚାମ୍ପିଅନସିପରେ ବିଜେତା ହୋଇଥିଲେ । ଖେଳ ପାଇଁ ଅର୍ଥ ବାଧକ ହୋଇଥିଲେ ସୁଦ୍ଧା ପ୍ଲେୟାର କ୍ଲବର ଅନ୍ୟ ସାଥୀ କୌଶିକ ମହାକୁର, ଅମିତ ଚୌଧୁରୀ, ଚେତନ ଶର୍ମା, ସାମାଜିକ କର୍ମୀ ରବି ନାରାୟଣ ପଣ୍ଡାଙ୍କ ଉଦ୍ୟମ କ୍ରମେ ବହୁ ଜାତୀୟ ଖେଳରେ ଭାଗ ନେଇ ସଫଳ ହୋଇଥିଲେ । ତାଙ୍କ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚରେ ମାଲେସିଆର କ୍ୱାଲାଲମ୍ପୁରରେ ଖେଳି ସେ ଉଭୟ ଏକକ ଓ ଡବଲରେ କାଂସ୍ୟ ପଦକ ପାଇଥିଲେ । ସେଠାରୁ ଆଉ ସେ ପଛକୁ ଫେରିନାହାନ୍ତି ।