ଜୁନ ୪ରେ ଭୋଟ ଗଣତି

ଜୁନ ୪ରେ ଭୋଟ ଗଣତି

ଭୁବନେଶ୍ୱର: ସରିଲା ପ୍ରତୀକ୍ଷା । ବାଜିଲା ୨୦୨୪ ନିର୍ବାଚନ ବିଗୁଲ । ନେତା ଓ ଭୋଟର ଯେଉଁ ତାରିଖକୁ ଦୀର୍ଘଦିନ ହେଲା ଅପେକ୍ଷା କରି ବସିଥିଲେ ତାହା ଏବେ ସାମନାକୁ ଆସିଛି । ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ) । ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଇସିଆଇ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ।  ଆଉ କେବେ ଓ କେତୋଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ତାହା ସ୍ପଷ୍ଟ କରିଛନ୍ତି । ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ସହିତ ଅନ୍ୟ ଦୁଇ ଆୟୁକ୍ତ ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ତଦନୁଯାୟୀ ଓଡ଼ିଶାରେ ଆସନ୍ତା ମେ ୧୩ରେ ଭୋଟ ଗ୍ରହଣ କରାଯିବ । ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ଭୋଟ ଗ୍ରହଣ କରାଯିବ । ମେ ୧୩, ମେ ୨୦, ମେ ୨୫ ଓ ଜୁନ ୧ ତାରିଖରେ ଭୋଟ ଗ୍ରହଣ କରାଯିବ ।

ତେବେ ଜୁନ ୪ରେ ସାରା ଦେଶରେ ଭୋଟ ଗଣତି କରାଯିବ । ଉକ୍ତ ଦିନ ଉଭୟ ଲୋକସଭା ଓ ରାଜ୍ୟସଭା ଭୋଟ ଗଣତି କରାଯିବ ।

ଏହି ଅବସରରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର କହିଛନ୍ତି ଯେ ଦେଶରେ ମୋଟ ୯୭ କୋଟି ପଞ୍ଜିକୃତ ଭୋଟର ରହିଛନ୍ତି । ୯୭ କୋଟି ଭୋଟରଙ୍କ ପାଇଁ  ୧୦.୫ ଲକ୍ଷ ପୋଲିଂ ବୁଥ ରହିଛି । ଭୋଟ ଗ୍ରହଣ ପାଇଁ ଦେଢ କୋଟି ପୋଲିଂ ଅଫିସର ପ୍ରସ୍ତୁତ ହୋଇ ରହିଛନ୍ତି । ଭୋଟ ଗ୍ରହଣ ପାଇଁ ୫୫ଲକ୍ଷ ଇଭିଏମ ପ୍ରସ୍ତୁତ ହୋଇ ରହିଛି । ୧୮ରୁ ୨୯ ବର୍ଷର ବର୍ଗର ଭୋଟରଙ୍କ ସଂଖ୍ୟା ୨୧ କୋଟି ରହିଛି ।  ୮୫ ବର୍ଷରୁ ଅଧିକ ବୟସ୍କ ଭୋଟରଙ୍କ ସଂଖ୍ୟା ୮ ୨ଲକ୍ଷ । ୧୦୦ବର୍ଷରୁ ଅଧିକ ବୟସ୍କ ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୧୮ ହଜାର । ଦେଶରେ ୪୯.୭  କୋଟି ପୁରୁଷ ଓ ୪୭.୧ କୋଟି ମହିଳା ଭୋଟର ରହିଛନ୍ତି ।  ପ୍ରଥମ ଥର ପାଇଁ ୧କୋଟି ୮୨ ଲକ୍ଷ ନୂଆଭୋଟର ଭୋଟ ଦେବେ ବୋଲି ରାଜୀବ କୁମାର ସୂଚନା ଦେଇଛନ୍ତି । 

ଏହାଛଡ଼ା ସେ କହିଛନ୍ତି ଯେ ୮୫ ବର୍ଷରୁ ଅଧିକ ବୟସ୍କ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରାଯାଇଛି ।  ବୟସ୍କ ଭୋଟରମାନେ ଏଣିକି ଘରେ ରହି ଭୋଟ ଦେଇପାରିବ । ଘରେ ଫର୍ମ ପହଞ୍ଚାଇ ଦିଆଯିବ, ପରେ ସଂଗ୍ରହ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର କହିଛନ୍ତି ।
ଏହାଛଡ଼ା ଅପରାଧିକ ମାମଲା ଥିଲେ ନିର୍ବାଚନ ମଇଦାନକୁ ଓହ୍ଲାଉଥିବା ପ୍ରାର୍ଥୀ ସେ ସମ୍ପର୍କରେ ବିଜ୍ଞାପନ ଜରିଆରେ ଜଣାଇବେ । ଖବରକାଗଜ, ଟିଭିରେ ୩ଥର ନିଜ ଅପରାଧ ବିବରଣୀ ଦେବେ । ରାଜନୈତିକ ଦଳ ମଧ୍ୟ ଏନେଇ ବିସ୍ତୃତ ସୂଚନା ଦେବେ । କାହିଁକି ଏଭଳି ପ୍ରାର୍ଥୀଙ୍କୁ ଟିକେଟ ଦେଲେ ରାଜନୈତିକ ଦଳଗୁଡ଼ିକୁ କାରଣ ଦର୍ଶାଇବେ ବୋଲି ରାଜୀବ କୁମାର କହିଛନ୍ତି ।