କିଏ ହେବ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ
କିଏ ହେବ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କିଏ ହେବ ଗୁଜରାଟର ନୂଆ ମୁଖିଆ । ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କ ଇସ୍ତଫା ପରେ ନୂଆ ମୁଖ୍ୟମନ୍ତ୍ରୀ ପାଇଁ ଆରମ୍ଭ ହୋଇଛି ରେସ । କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ? କେନ୍ଦ୍ର ମନ୍ତ୍ରୀ ମନସୁଖ ମାଣ୍ଡଭିୟ, ଉପମୁଖ୍ୟମନ୍ତ୍ରୀ ନିତୀନ ପଟେଲ, ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ଆରସି ଫାଲଦୁ, ଗୁଜରାଟ ରାଜ୍ୟ ବିଜେପି ମୁଖ୍ୟ ଆରସି ପାଟିଲ, ପୂର୍ବତନ ମନ୍ତ୍ରୀ ଗୋବର୍ଦ୍ଧନ ଜାଡ଼ଫିଆ, ପ୍ରଫୁଲ କେ. ପଟେଲ ପ୍ରମୁଖଙ୍କ ନାଁକୁ ନେଇ ବିଚାର କରାଯାଉଛି । ଆଜି ଅପରାହ୍ନ ୩ଟାରେ ଗୁଜରାଟ ବିଜେପି ବିଧାୟକ ଦଳ ବୈଠକ ଡକାଯାଇଛି । ଏଥିରେ ବିଧାୟକ ଦଳର ନୂଆ ନେତା ତଥା ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ।
ନୂଆ ମୁଖ୍ୟମନ୍ତ୍ରୀ ଚୟନ ସହ ଦଳ ଭିତରେ ସମନ୍ୱୟ ରକ୍ଷା ପାଇଁ ଗୁଜରାଟରେ ପହଂଚିଛନ୍ତି ବିଜେପି ଦୁଇ ବରିଷ୍ଠ କେନ୍ଦ୍ରୀୟ ନେତା ନରେନ୍ଦ୍ର ସିଂ ତୋମାର ଓ ପ୍ରହଲ୍ଲାଦ ଯୋଶି । ଏହି ଦୁଇ କେନ୍ଦ୍ର ମନ୍ତ୍ରୀ ସକାଳେ ଆରସି ପଟେଲଙ୍କ ବାସଭବନରେ ବୈଠକ କରି ସ୍ଥିତି ଉପରେ ଆଲୋଚନା କରିଥିଲେ । ଦଳୀୟ ନେତାମାନଙ୍କ ସହ ସେମାନେ ପର୍ଯ୍ୟାୟ କ୍ରମେ ଆଲୋଚନା ଜାରି ରଖିଛନ୍ତି ।
ତେବେ ଗୁଜରାଟରେ ବିଜେପି ମୁଖ୍ୟମନ୍ତ୍ରୀ ବଦଳାଇବା ନିଷ୍ପତ୍ତିକୁ ସମାଲୋଚନା କରିଛି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ । କଂଗ୍ରେସ ନେତା ଶକ୍ତି ସିଂହ ଗୋଏଲ କହିଛନ୍ତି, ବିଜେପି ଭିତରେ କନ୍ଦଳ ବଢ଼ିଯାଇଛି । ଅନ୍ୟପକ୍ଷେ ବିଜେପି ସରକାର ଲୋକଙ୍କୁ ନିରାଶ କରିଛି । ନିର୍ବାଚନକୁ ଯିବା ପୂର୍ବରୁ ବିଜେପି ମୁଖ୍ୟମନ୍ତ୍ରୀ ବଦଳାଇ ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବାକୁ ଚେଷ୍ଟା କରୁଛି । ହେଲେ ଏ ଯୋଜନା ଆଉ ସଫଳ ହେବନି । ଲୋକେ ବୁଝିସାରିଛନ୍ତି, ଆଗାମୀ ନିର୍ବାଚନରେ ବିଜୟ କ୍ଷମତାରୁ ବିଦା ହେବା ଥୟ ।




admin 