ବାତ୍ୟାରେ ଭାଙ୍ଗିଥିଲେ ମିଳିବ ପକ୍କାଘର

ବାତ୍ୟାରେ ଭାଙ୍ଗିଥିଲେ ମିଳିବ ପକ୍କାଘର

ଭୁବନେଶ୍ୱର : ‘ଫନି’ ଦ୍ୱାରା ଯେଉଁମାନଙ୍କର ଘର ଆଂଶିକ ବା ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବ ସେମାନଙ୍କୁ ପକ୍କାଘର ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ଆସନ୍ତା ୧୫ରୁ ଘରଭଙ୍ଗା କ୍ଷୟକ୍ଷତି ଆକଳନ କରାଯିବ । ସପ୍ତାହକ ମଧ୍ୟରେ କ୍ଷୟକ୍ଷତି ଆକଳନ ଶେଷ ହେବ । ଅତି ଭୟଙ୍କର ଭାବେ ବାତ୍ୟା ପ୍ରଭାବିତ ବ୍ଲକରେ ବରିଷ୍ଠ ଅଧିକାରୀମାନେ ଘରଭଙ୍ଗା କ୍ଷୟକ୍ଷତି ଆକଳନ କାର୍ଯ୍ୟର ତଦାରଖ କରିବେ । ଆସନ୍ତା ଜୁନ ପହିଲାରୁ ଘର ଭଙ୍ଗା ସହାୟତା ପାଇବାକୁ ଯୋଗ୍ୟ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବଂଟନ କରାଯିବ । ଘର ଭଙ୍ଗା ସହାୟତାରୁ ଜଣେ ହେଲେ ଯୋଗ୍ୟ ହିତାଧିକାରୀ ଯେଭଳି ବଂଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟଯେ, ପୂର୍ବରୁ ବାତ୍ୟା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ରିଲିଫ କୋଡ଼ ଅନୁସାରେ ଗୃହ ନିର୍ମାଣ ସହାୟତା ଯୋଗାଇ ଦିଆଯିବ । ବାତ୍ୟା ପ୍ରଭାବିତ ଅଂଚଳରେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଘର ପାଇଁ ୯୧୫୦୦ ଟଙ୍କା, ଆଂଶିକ ଭାବେ ଭାଙ୍ଗିଥିବା ଘର ପାଇଁ ୫୨ ଶହ ଟଙ୍କା ଏବଂ ଅଳ୍ପ କ୍ଷତିଗ୍ରସ୍ତ ହୋଇଥିବା ଘର ପାଇଁ ୩୨ ଶହ ଟଙ୍କା ପ୍ରଦାନ କରାଯିବ । ସେହିପରି ଯେଉଁ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବ ହାଉସିଂ ସ୍କିମରେ ଏହାର ପୁନଃନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ ।