ବାଲେଶ୍ୱରରେ ପ୍ରତିଷ୍ଠା ହେବ ବଜ୍ରପାତ ଗବେଷଣା କେନ୍ଦ୍ର

ବାଲେଶ୍ୱରରେ ପ୍ରତିଷ୍ଠା ହେବ ବଜ୍ରପାତ ଗବେଷଣା କେନ୍ଦ୍ର

ବାଲେଶ୍ୱରରେ ପ୍ରତିଷ୍ଠା ହେବ ବଜ୍ରପାତ ଗବେଷଣା କେନ୍ଦ୍ର
ଭୁବନେଶ୍ୱର : ବାଲେଶ୍ୱରରେ ପ୍ରତିଷ୍ଠା ହେବ ବଜ୍ରପାତ ଗବେଷଣା କେନ୍ଦ୍ର (ଥଣ୍ଡରଷ୍ଟ୍ରମ ରିସର୍ଚ୍ଚ ଟେଷ୍ଟ ବେଡ୍‌) । ଦେଶରେ ପ୍ରଥମ କରି ଏଭଳି ଅତ୍ୟାଧୁନିକ ପାଣିପାଗ ଗବେଷଣା କେନ୍ଦ୍ର ଓଡ଼ିଶାର ବାଲେଶ୍ୱରରେ ପ୍ରତିଷ୍ଠା ହେବାକୁ ଯାଉଛି । ଖୁବଶୀଘ୍ର ଏ ଦିଗରେ କାମ ଆରମ୍ଭ କରିବ ଭୂ-ବିଜ୍ଞାନ ମନ୍ତ୍ରାଳୟ । ବଜ୍ରପାତଜନିତ ମୃତ୍ୟୁ ଓ କ୍ଷୟକ୍ଷତି ରୋକିବା ପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ଉପରେ ଗୁରୁତ୍ୱ ଦେଉଛି । ଉତ୍ତର ଓଡ଼ିଶା ବଜ୍ରପାତ ପ୍ରବଣ ଅଞ୍ଚଳ ହୋଇଥିବାରୁ ବାଲେଶ୍ୱରରୁ ଏହି ନୂଆ ଜ୍ଞାନକୌଶଳର ଉପଯୋଗ ଆରମ୍ଭ ହେବ । ଆଇଏମ୍‌ଡି ପ୍ରସ୍ତାବ ଦେଇଛି, ବାଲେଶ୍ୱରରେ ବଜ୍ରପାତ ଗବେଷଣା କେନ୍ଦ୍ର ହେବ । ଆଇଏମ୍‌ଡି, ଇସ୍ରୋ, ଭୂ ବିଜ୍ଞାନ ମନ୍ତ୍ରାଳୟ ଏବଂ ଡିଆରଡିଓ ମିଳିତ ଭାବେ ଏଥିପାଇଁ କାମ କରିବେ । ବାଲେଶ୍ୱରରେ ଅତ୍ୟାଧୁନିକ ପାଣିପାଗ ମାପକ ଯନ୍ତ୍ର ଲଗାଯିବ । ଏଭଳି ଅତ୍ୟାଧୁନିକ ଯନ୍ତ୍ରପାତି ରହିବ, ଯେମିତି କାଳବୈଶାଖୀ କିମ୍ବା ବଜ୍ରପାତ ନେଇ ଢେର ଆଗୁଆ ଏବଂ ନିର୍ଦ୍ଧିଷ୍ଟ ଅଞ୍ଚଳ ପାଇଁ ପୂର୍ବାନୁମାନ ଜାରି କରାଯାଇପାରିବ । ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଭାରତରେ ପ୍ରଥମ କରି ଏଭଳି ଅତ୍ୟାଧୁନିକ ବ୍ୟବସ୍ଥା କାର୍ୟ୍ୟକ୍ଷମ ହେବ । ଏହି ବ୍ୟବସ୍ଥାକୁ ପୂର୍ଣ୍ଣାଙ୍ଗ ଭାବେ କାର୍ୟ୍ୟକ୍ଷମ କରିବାକୁ ପ୍ରାୟ ୫ ବର୍ଷ ସମୟ ଲାଗିବ । ଉତ୍ତର ଓଡ଼ିଶାରେ ବଜ୍ରପାତଜନିତ ଧନଜୀବନ ହାନି ରୋକିବାରେ ଏହା ବଡ଼ ଭୂମିକା ନେବ । ବୈଜ୍ଞାନିକଙ୍କ ମିଳିତ ଟିମ୍‌ ଏ କ୍ଷେତ୍ରରେ କାମ କରିବେ । ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ୟ୍ୟୟର ସବୁବେଳେ ସାମ୍ନା କରି ଆସୁଛି ଓଡ଼ିଶା । ଆଗୁଆ ପାଣିପାଗ ସୂଚନା ଯୋଗୁ ରାଜ୍ୟ ସରକାର ଏବଂ ଓଡ଼ିଶାବାସୀ ବିପର୍ୟ୍ୟୟର ଦୃଢ଼ ମୁକାବିଲା କରିପାରୁଛନ୍ତି । ଓଡ଼ିଶାର ବିପର୍ୟ୍ୟୟ ମୁକାବିଲା ବ୍ୟବସ୍ଥା ସାରା ବିଶ୍ୱ ପାଇଁ ମଡେଲ୍‌ ପାଲଟିଛି । ଏଥିରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଭୂମିକା ମଧ୍ୟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଆଗୁଆ ସତର୍କତା ଯୋଗୁ ବିପର୍ୟ୍ୟୟ ବେଳେ ଜିରୋ କାଜୁଆଲିଟିକୁ ମନ୍ତ୍ର କରିପାରିଛି ଓଡ଼ିଶା । ମାତ୍ର ପ୍ରତିବର୍ଷ ବଜ୍ରପାତ ଓ କାଳବୈଶାଖୀ ଭଳି ପ୍ରାକୃତିକ ବିପର୍ୟ୍ୟୟରେ ବହୁ ସଂଖ୍ୟାରେ ଜୀବନ ଯାଉଛି । ଗତ ଡିସେମ୍ବରରେ ଜାରି ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି ୨୦୧୯-୨୦ ଆର୍ଥିକ ବର୍ଷରେ ଓଡ଼ିଶାରେ ବଜ୍ରପାତ ଯୋଗୁ ୨୦୦ଜଣଙ୍କ ମୃତ୍ୟୁ ହୋଇଥିଲା । ଓଡ଼ିଶାରେ ହୋଇଥିବା ବଜ୍ରପାତଜନିତ ମୃତ୍ୟୁରେ ଅଧିକାଂଶ ଥିଲେ ଉତ୍ତର ଓଡ଼ିଶାର ।