ବିମାନବନ୍ଦର ଗୋଲେଇ ଛକ ପାଖରେ ବିଜୁ ବାବୁଙ୍କ ପ୍ରିୟ ବିମାନ ଡାକୋଟା ରହିବ

ବିମାନବନ୍ଦର ଗୋଲେଇ ଛକ ପାଖରେ ବିଜୁ ବାବୁଙ୍କ ପ୍ରିୟ ବିମାନ ଡାକୋଟା ରହିବ

ବିମାନବନ୍ଦର ଗୋଲେଇ ଛକ ପାଖରେ ବିଜୁ ବାବୁଙ୍କ ପ୍ରିୟ ବିମାନ ଡାକୋଟା ରହିବ
ଭୁବନେଶ୍ୱର: ବିମାନବନ୍ଦର ଗୋଲେଇ ଛକ ପାଖରେ ବିଜୁ ବାବୁଙ୍କ ପ୍ରିୟ ବିମାନ ଡାକୋଟା ରହିବ । ଗୋଲେଇ ଛକରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିଠାରୁ କିଛି ଦୂରରେ ଏହି ପୁରାତନ ବିମାନ ଶୋଭା ପାଇବ । ଲମ୍ବା ପ୍ରତୀକ୍ଷା ପରେ ଏ ଦିଗରେ ପାଦେ ଆଗେଇଛି ରାଜ୍ୟ ପରିବହନ ବିଭାଗ । ସାଧାରଣ ପ୍ରଶାସନ ବିଭାଗ ଡାକୋଟାକୁ ରଖିବା ପାଇଁ ବିମାନବନ୍ଦର ପାଖରେ ଜାଗା ଚିହ୍ନଟ କରିଛି । ଅପେକ୍ଷା କେବଳ ବିଜୁ ପଟ୍ଟନାୟକ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅନୁମତିକୁ । ଏଥିପାଇଁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ମଗାଯାଇଛି ଏନ୍‌ଓସି । ରାଜ୍ୟ ସରକାର ଡାକୋଟା ବିମାନକୁ କୋଲକାତାରୁ ଆଣି କଟକସ୍ଥିତ ‘ଆନନ୍ଦଭବନ’ ସଂଗ୍ରହାଳୟରେ ରଖିବାକୁ ଯୋଜନା କରିଥିଲେ । ମାତ୍ର ଆନନ୍ଦ ଭବନରେ ଜାଗା ଅଭାବ କାରଣରୁ ଏହି ଯୋଜନା ବାତିଲ ହୋଇଥିଲା। ପରେ ଯୋଜନା ହେଲା, ଡାକୋଟା ବିମାନକୁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ରଖି ସାରା ବିଶ୍ୱବାସୀଙ୍କ ସମ୍ମୁଖରେ ବିଜୁ ବାବୁଙ୍କ ବୀରତ୍ୱ ଗାଥାର ଜ୍ୱଳନ୍ତ ପ୍ରମାଣ ପ୍ରଦର୍ଶନ କରାଯିବ। ଏଥିପାଇଁ ୧୦ କୋଟି ଟଙ୍କା ସଂସ୍କୃତି ବିଭାଗର ବଜେଟରେ ରଖାଯାଇଥିଲା। ଏ ଦିଗରେ କିଛି ଅଗ୍ରଗତି ନ ହେବାରୁ ଏହି ଟଙ୍କା ପୁଣି ସରକାରୀ ତହବିଲକୁ ଫେରି ଯାଇଥିଲା । ଗତବର୍ଷରୁ ପୁଣି ଏ ଦିଗରେ ପ୍ରୟାସ ଆରମ୍ଭ ହୋଇଛି । ମାତ୍ର ପରିବହନ ବିଭାଗ ବିଳମ୍ବ କରିବା ଯୋଗୁ ବିଶେଷ କିଛି ଅଗ୍ରଗତି ହୋଇପାରିନଥିଲା। ଏବେ ରାଜ୍ୟ ପରିବହନ ବିଭାଗ ଅଧୀନସ୍ଥ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକଙ୍କ କାର୍ୟ୍ୟାଳୟ ସୂତ୍ରରୁ ଜଣାପଡ଼ିଛି, ବିମାନବନ୍ଦର ପାଖରେ ଡାକୋଟାକୁ ରଖାଯିବ । ଏଥିପାଇଁ ଜାଗା ଚିହ୍ନଟ କରିଛି ସାଧାରଣ ପ୍ରଶାସନ ବିଭାଗ । ବିମାବବନ୍ଦର କର୍ତ୍ତୃପକ୍ଷଙ୍କଠାରୁ ଏନ୍‌ଓସି ମିଳିଲେ ପ୍ରକ୍ରିୟା ଆଗେଇବ । ଜାଗା ଚୂଡ଼ାନ୍ତ ହେବା ପରେ ହିଁ କୋଲକାତାରୁ ଡାକୋଟା ଆଣିବା ପାଇଁ ଟେଣ୍ଡର ଆହ୍ୱାନ କରାଯିବ । ଏ ବର୍ଷ ହିଁ ଡାକୋଟା ବିମାନ ଓଡ଼ିଶା ଆସିବ ।