ଆମେ କାହାକୁ ସମର୍ଥନ ମାଗିନୁ: ମନମୋହନ

ଆମେ କାହାକୁ ସମର୍ଥନ ମାଗିନୁ: ମନମୋହନ

ଭୁବନେଶ୍ୱର: ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବ ବୋଲି ଘୋଷଣା କରିଛି । ତେବେ ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବିଜେଡି ସମର୍ଥନ ନେଇ ବିଜେପି ରାଜ୍ୟସଭାପତି ମନମୋହନ ସାମଲଙ୍କ ମନ୍ତବ୍ୟ । 

ସେ କହିଛନ୍ତି ଯେ ଆମେ କାହାକୁ ସମର୍ଥନ ମାଗିନାହୁଁ । ଆମ ପାଖରେ ପ୍ରସ୍ତାବକ ଅଛନ୍ତି, ଆମେ ପ୍ରାର୍ଥୀ ଦେଲୁ । ବିଜେପି ପ୍ରାର୍ଥୀଙ୍କୁ ବିଜେଡି କାହିଁକି ସମର୍ଥନ କଲା, ସେ କଥା ସେମାନଙ୍କୁ ପଚାରନ୍ତୁ ବୋଲି ଶ୍ରୀ ସାମଲ କହିଛନ୍ତି । ଏଥିସହ ମେଣ୍ଟ ସମ୍ଭାବନାକୁ ସଫା ସଫା ମନା କରିଦେଇଛନ୍ତି ଶ୍ରୀ ସାମଲ ।
ମେଣ୍ଟ ଆଦୌ ହେବନି । ଆମେ ଏକାକୀ ଲଢିବୁ । ସରକାର କରିବୁ ବୋଲି ଶ୍ରୀ ସାମଲ କହିଛନ୍ତି । 

ପ୍ରକାଶ ଯେ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବ ବୋଲି ଘୋଷଣା କରିଛି । ତେବେ କ’ଣ ପାଇଁ ବିଜେଡି ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରିବ ସେ ସମ୍ପର୍କରେ ବି ଆଜି ବିଜେଡି ପକ୍ଷରାୁ ଜାରି ପ୍ରେସ ରିଲିଜରେ ଉଲ୍ଲେଖ କରାଯାଇଛି ।  

ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଅଶ୍ୱିନୀଙ୍କୁ ସମର୍ଥନ ଘୋଷଣା କରିଛି ବିଜେଡି । ରେଲୱେ ଓ ଟେଲିକମ କ୍ଷେତ୍ରରେ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମର୍ଥନ ଘୋଷଣା କରିଛି ବିଜେଡି ।

୨୦୧୯ରେ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯାଇଥିଲେ ଅଶ୍ୱିନୀ। ଏବେ ମଧ୍ୟ ବିଜେଡି ତାଙ୍କୁ ସମର୍ଥନ ଜଣାଇବ ବୋଲି ଘୋଷଣା କରିଛି । ସମର୍ଥନ ନେଇ ବିଜେଡି ପକ୍ଷରୁ ଏକ ପ୍ରେସ ରିଲିଜ ଜାରି କରାଯାଇଛି ।  

ରାଜ୍ୟରେ ଖାଲି ହେଉଥିବା ୩ଟି ରାଜ୍ୟସଭା ଆସନ ପାଇଁ ଦୁଇ ଦିନ ତଳେ ବିଜେଡି କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀର ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନାଁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ତେବେ ତୃତୀୟ ପ୍ରାର୍ଥୀ କିଏ ହେବ ତାକୁ ନେଇ ସସପେନ୍ସ ଜାରି ରହିଥିଲା। ଅଶ୍ୱିନୀ ବୈଷ୍ଣବଙ୍କୁ  ରାଜ୍ୟସଭା ପ୍ରାର୍ଥୀ କରାଯିବ ବୋଲି ଚର୍ଚ୍ଚା ହେଉଥିଲା। ଆଜି ସେହି ଚର୍ଚ୍ଚାର ଅନ୍ତ ଘଟିଛି। ଅଶ୍ୱିନୀ ବୈଷ୍ଣବ ପୁଣି ଥରେ ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି।