ବିଜେପି ନେତାଙ୍କ ନାମରେ ସଂଗୀନ ଅଭିଯୋଗ

ବିଜେପି ନେତାଙ୍କ ନାମରେ ସଂଗୀନ ଅଭିଯୋଗ

ବିଜେପି ନେତାଙ୍କ ନାମରେ ସଂଗୀନ ଅଭିଯୋଗ
ଭୁବନେଶ୍ୱର : ‘ବିଜେପି ନଗର ସଭାପତି ଲଲାଟେନ୍ଦୁ ବଡ଼ୁ ମୋ ଗୁପ୍ତାଙ୍ଗରେ ହାତ ମାରିଲେ । ମୋତେ କୁଣ୍ଢେଇ ପକାଇ ଚୁମା ଦେଲେ । ମୁଁ ତାଙ୍କୁ ପଛକୁ ଠେଲିଦେଇ ନିଜକୁ ରକ୍ଷା କଲି...’ । ବିଜେପି ଯୁବମୋର୍ଚ୍ଚାର ପୂର୍ବତନ କଟକ ନଗର ସଭାପତି ଜ୍ୟୋତିରଂଜନ ପଲେଇଙ୍କ ଏଭଳି ଏତଲା ଏବେ କଟକ ବିଜେପି ରାଜନୀତିକୁ ସରଗରମ କରିଦେଇଛି । ତେବେ ପୁଲିସ ଏଯାବତ ଏତଲା ରଖିନଥିବା ଜାଣିବାକୁୁ ମିଳିଛି । କଟକ ବିଜେପି ଯୁବନେତାଙ୍କ ମଧ୍ୟରେ ଏବେ କଳିକୁ ନେଇ ଚର୍ଚ୍ଚା ଜୋରଧରିଛି । ବରଯାତ୍ରୀରେ ଯାଉଥିବାବେଳେ ବିଜେପି ନଗର ସଭାପତି ଲଲାଟେନ୍ଦୁ ବଡ଼ୁଙ୍କୁ ପୂର୍ବତନ ନଗର ଯୁବମୋର୍ଚ୍ଚା ସଭାପତି ଆକ୍ରମଣ କରିବା ଭଳି ସଂଗୀନ ଅଭିଯୋଗ ଆସିଥିଲା । ତେବେ ଏନେଇ ଥାନାରେ ଭିନ୍ନ ଏତଲା ଦେଇଛନ୍ତି ଜ୍ୟୋତି । ସେ ନିଜ ଏତଲାରେ ଦର୍ଶାଇଛନ୍ତିଯେ, ଦଳରୁ ମୁଁ ନିଲମ୍ବିତ ହୋଇଥିଲି । ମୋ ଉପରୁ ନିଲମ୍ବନ ଉଠାଇବାକୁ କଥା ହେବା ପାଇଁ ଲଲାଟେନ୍ଦୁ ମୋତେ ଡାକିଥିଲେ । ମୋତେ କହିଲେ ତୁମେ ମୋ କଥା ବୁଝ, ମୁଁ ତମ କଥା ବୁଝିବି । ତା’ପରେ ସେ ମୋତେ ଭିଡ଼ିନେଇ ମୋ ଗୁପ୍ତାଙ୍ଗରେ ହାତ ମାରିଲେ । କୁଣ୍ଢେଇ ପକେଇ ଚୁମା ଦେଲେ । ମୁଁ ତାଙ୍କୁ ପଛକୁ ଠେଲିଦେଇ ରକ୍ଷା ପାଇଗଲି । ସେ ମୋତେ ଧମକ ଦେଇ କହିଲେଯେ, ଯଦି ଏକଥା ପ୍ରଘଟ କରିବୁ ତାହେଲେ ତୋ ରାଜନୈତିକ କ୍ୟାରିୟର ଶେଷ କରିଦେବି । ପୂର୍ବରୁ ସେ ଅଳ୍ପବୟସ୍କ ପିଲାଙ୍କୁ ପ୍ରଲୋଭନ ଦେଖାଇ ନିଜର ଯୌନ ତୃଷ୍ଣା ମେଂଟାଇଥିବା କଥା ସମସ୍ତେ ଜାଣନ୍ତି ବୋଲି ଜ୍ୟୋତି ଏତଲାରେ ଦର୍ଶାଇଛନ୍ତି । ଯେଉଁ ସ୍ଥାନରେ ମାଡ଼ ମରାଯାଇଛି ବୋଲି ଲଲାଟେନ୍ଦୁ ଅଭିଯୋଗ କରିଛନ୍ତି ସେଠାକାର ସିସିଟିଭି ଫୁଟେଜ ଯାଂଚ କରିବାକୁ ପଲେଇ ଦାବି କରିଛନ୍ତି । ବିଜେପିର ଜଣେ ମହିଳା ନେତ୍ରୀଙ୍କ ପୁଅ ବାହାଘର ଶୋଭାଯାତ୍ରାରେ ଅଭାବନୀୟ ଘଟଣା ଘଟିଥିଲା । ନଗର ସଭାପତି ଲଲାଟେନ୍ଦୁ ବଡ଼ୁଙ୍କୁ ବିଜେପିର ଯୁବକର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ବଡୁଙ୍କୁ ଟଣାଓଟରା କରି ପୋଷାକ ଚିରି ଦେଇଥିବା ଅଭିଯୋଗ ହୋଇଛି । ଦଳ ଭିତରେ ଲାଗିଥିବା ଅନ୍ତଦ୍ୱର୍ନ୍ଦ୍ୱ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି । ସୂଚନାଯୋଗ୍ୟଯେ, ଜ୍ୟୋତିରଂଜନ ପୁଲିସ ହେପାଜତରେ ଥିବାରୁ ତାଙ୍କର ଏହି ଏତଲାକୁ ଗ୍ରହଣ କରାଯାଇନଥିବା ଜାଣିବାକୁ ମିଳିଛି । ଅପରପକ୍ଷରେ ଅଭିରାମ ରାୟ ନାମକ ଜଣେ ଯୁବକ ଅନ୍ୟ ଏକ ଏତଲା ଦେଇଛନ୍ତି । ଯେଉଁ ଏତଲାକୁ ପୁଲିସ ଗ୍ରହଣ କରିଥିବା ଜାଣିବାକୁ ମିଳିଛି ।