ବେଗୁନିଆରେ ଦମ୍ ଦେଖାଇବେ ଜାନକୀ ନନ୍ଦନ

ବେଗୁନିଆରେ ଦମ୍ ଦେଖାଇବେ ଜାନକୀ ନନ୍ଦନ

ବେଗୁନିଆରେ ଦମ୍ ଦେଖାଇବେ ଜାନକୀ ନନ୍ଦନ
ଭୁବନେଶ୍ୱର : ବେଗୁନିଆ ରାଜନୀତିକ ଦୃଶ୍ୟପଟ୍ଟ ପଲଟବାର କରିଛି । ପଂଚାୟତ ନିର୍ବାଚନରେ ବିଜେଡ଼ି ଓ ବିଜେପି ମଧ୍ୟରେ ଲଢେ଼ଇ ହୋଇଥିବାବେଳେ ସାଧାରଣ ନିର୍ବାଚନରେ ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ଲଢେ଼ଇ ପାଇଁ ରାସ୍ତା ଫିଟିଛି । ବହୁ ଦ୍ୱନ୍ଦ୍ୱ ଓ ଆଶଙ୍କା ପରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଏବେ ବେଗୁନିଆ ମୁହାଁ ହୋଇଛନ୍ତି । ଫେବୃଆରୀ ଆରମ୍ଭରୁ ପୃଥ୍ୱୀବଲ୍ଲଭ ଚଳଚଂଚଳ ହୋଇଥିବାବେଳେ ଜାନକୀ ନନ୍ଦନ କଂଗ୍ରେସରୁ ପ୍ରାର୍ଥୀ ହେବା ନିଶ୍ଚିତ ହୋଇଯାଇଛି । ଅପରପକ୍ଷରେ ଏହାକୁ ନେଇ ଦୋଛକିରେ ପଡ଼ିଯାଇଛନ୍ତି ସୌମ୍ୟରଂଜନ ପଟ୍ଟନାୟକ । ଜାନକୀଙ୍କ ଅନ୍ତେ ବେଗୁନିଆ ନିର୍ବାଚନମଣ୍ଡଳୀର ହାନିଲାଭ ସୌମ୍ୟରଂଜନ ବୁଝୁଥିବାବେଳେ ଏବେ ସେ ବିଜୁ ଜନତା ଦଳର ସାଂସଦ ଅଛନ୍ତି । ଫଳରେ ସୌମ୍ୟରଂଜନ କି ଆଭିମୁଖ୍ୟ ପୋଷଣ କରିବେ ତାହାକୁ ନେଇ ବେଗୁନିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସୌମ୍ୟରଂଜନ ବିଜେଡ଼ିରେ ଯୋଗ ଦେବା ପରେ ପୃଥ୍ୱୀବଲ୍ଲଭ ମଧ୍ୟ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲା । ବିଜେଡ଼ିରେ ଯୋଗଦେଇ ସେ ବେଗୁନିଆରୁ ପ୍ରାର୍ଥୀ ହେବାର ଯୋଜନା ରହିଥିଲା । କିନ୍ତୁ ପୃଥ୍ୱୀବଲ୍ଲଭ ବିଜେଡ଼ିରେ ଯୋଗ ଦେଇପାରିବେ ନାହିଁ ବୋଲି ଜୟନ୍ତୀ ପଟ୍ଟନାୟକ ରୋକଠୋକ ଭାବେ କହିଥିଲେ । ବେଗୁନିଆରୁ ବିଜୟୀ ହୋଇ ଜାନକୀ ବାବୁ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ହୋଇଥିଲେ । ତେଣୁ ବେଗୁନିଆରୁ ବିଜେଡ଼ି ଟିକେଟରେ ଲଢ଼ିବାର ଅର୍ଥ ହେଉଛି, ଜାନକୀବାବୁଙ୍କୁ ଅପମାନିତ କରିବା ବୋଲି ଜୟନ୍ତୀ ବୁଝାଇ ଦେଇଥିଲେ । ଫଳରେ ପୃଥ୍ୱୀଙ୍କ ପାଇଁ ବିଜେଡ଼ି ରାସ୍ତା ବନ୍ଦ ହୋଇଯାଇଥିଲା । ଏମିତିକି ସେ ୨୦୧୯ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହେବେନାହିଁ ବୋଲି ବେଗୁନିଆ କଂଗ୍ରେସ କର୍ମୀମାନେ ଜାଣି ସାରିଥିଲେ । ଫଳରେ ପ୍ରଦୀପ ସାହୁ ସଂଗଠନ ଆରମ୍ଭ କରିଦେଇଥିଲେ । କୌଣସି ଦଳ ଭୁକ୍ତ ନହୋଇ ସେ ସଂଗଠନ ଜାରି ରଖିଥିଲେ । ଯଦି ସୌମ୍ୟବାବୁ ତାଙ୍କ ପାଇଁ ବିଜେଡ଼ି ଟିକେଟ ନଆଣିପାରନ୍ତି ତେବେ ସେ ପୂର୍ବଭଳି କଂଗ୍ରେସ କିମ୍ବା ଆବଶ୍ୟକ ପଡ଼ିଲେ ବିଜେପିରୁ ଟିକେଟ ଆଣିବାକୁ ଲକ୍ଷ୍ୟ ରଖିଥିଲେ । କାହିଁକିନା ଏବେ ବେଗୁନିଆରେ ବିଜେପିର ଶକ୍ତି ପୂର୍ବାପେକ୍ଷା ଢେର ବୃଦ୍ଧି ପାଇଛି । କିନ୍ତୁ ହଠାତ ଫେବୃଆରୀ ଆରମ୍ଭରୁ ବେଗୁନିଆରେ ପୃଥ୍ୱୀବଲ୍ଲଭଙ୍କ ଆବିର୍ଭାବକୁ ନେଇ ରାଜନୀତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପୃଥ୍ୱୀ ହିଁ ବେଗୁନିଆରୁ କଂଗ୍ରେସ ପ୍ରାର୍ଥୀ ହେବେବୋଲି କଂଗ୍ରେସ ଅଳିନ୍ଦରୁ ଜାଣିବାକୁ ମିଳିଛି । ଖୋର୍ଦ୍ଧା ଜିଲ୍ଲାରେ କଂଗ୍ରେସ ୨ଟି ଆସନ ହାସଲ କରିବାକୁ ଲକ୍ଷ୍ୟ ରଖିଛି । ଗୋଟିଏ ସୁର ରାଉତରାୟଙ୍କ ଜଟଣୀ ହୋଇଥିବାବେଳେ ଅନ୍ୟଟି ହେଉଛି ବେଗୁନିଆ । ପୃଥ୍ୱୀଙ୍କ ପାଇଁ ଏକ ଟିମ ମଧ୍ୟ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ସୋସିଆଲ ମିଡ଼ିଆରୁ ନେଇ ଅନ୍ୟ ସ୍ତରରେ ପୃଥ୍ୱୀବଲ୍ଲଭଙ୍କୁ ବ୍ରାଣ୍ଡିଂ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ପୃଥ୍ୱୀଙ୍କ ଆବିର୍ଭାବ ପରେ ସ୍ୱାଭାବିକ ଭାବେ ବେଗୁନିଆ ରାଜନୀତି ଗଣିତ ବଦଳି ଯାଇଛି । ବିଧାୟକ ପ୍ରଶାନ୍ତ ଜଗଦେ୍ଧବ କିଭଳି ଟିକେଟ ହାସଲ ନକରିପାରିବେ ସେଥିପାଇଁ ବେଗୁନିଆର ବହୁ ନେତା ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି । ଏମିତିକି ପ୍ରଶାନ୍ତ ନନ୍ଦ ଓ ସୌମ୍ୟରଂଜନ ପଟ୍ଟନାୟକଙ୍କ ଲୋକମାନେ ଏକାଠି ହୋଇ ରଣନୀତି କରୁଥିବାର ଅନେକ ନଜିର ଦେଖିବାକୁ ମିଳିଛି । ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ନନ୍ଦ ଓ ସୌମ୍ୟଙ୍କ ଅନୁଗତ ପ୍ରଦୀପ ସାହୁ ବିନା ବ୍ୟାନରରେ ନିଜସ୍ୱ ସଂଗଠନ ବୃଦ୍ଧି କରିବା ସହ ବିଜେଡ଼ି ଟିକେଟ ଆଶାୟୀ ଥିଲେ । କିନ୍ତୁ ଏବେ ପ୍ରଦୀପଙ୍କୁ ବିଜେଡ଼ି ଟିକେଟ ମିଳିବାର କାଣିଚାଏ ବି ସମ୍ଭାବନା ନଥିବା ସ୍ପଷ୍ଟ ହୋଇଯାଇଛି । ନିକଟରେ ସୌମ୍ୟରଂଜନ ମଧ୍ୟ ପ୍ରଦୀପଙ୍କ ପାଇଁ ଟିକେଟ ଆଣିପାରିବେ ନାହିଁ ବୋଲି ସ୍ପଷ୍ଟ କରିଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି । ଫଳରେ ପ୍ରଦୀପ ପୁନର୍ବାର ପୃଥ୍ୱୀବଲ୍ଲଭଙ୍କ ସାରଥୀ ଭାବେ କଂଗ୍ରେସରୁ ହିଁ ସଂଗଠନ କରିବେ ବୋଲି କୁହାଯାଉଛି । ବେଗୁନିଆରେ ଏବେ କଂଗ୍ରେସର ସଂଗଠନ ସେତେଟା ସୁଦୃଢ଼ ନଥିଲେ ମଧ୍ୟ ପରିବର୍ତିତ ରାଜନୀତିକ ଗଣିତ ହିଁ ପୃଥ୍ୱୀଙ୍କ ପାଇଁ ସହାୟକ ହେବବୋଲି ଅଙ୍କକଷା ଆରମ୍ଭ ହୋଇଯାଇଛି । ବିଜେଡ଼ି ଟିକେଟ ଲଢେ଼ଇରେ ଏବେ ପ୍ରଶାନ୍ତ ଜଗଦେ୍ଧବ ଓ ପ୍ରଶାନ୍ତ ନନ୍ଦଙ୍କ ମଧ୍ୟରେ ଟକ୍କର ଚାଲିଛି । ତେବେ ନିର୍ବାଚନମଣ୍ଡଳୀରେ ରହି ସଂଗଠନ ଆଗେଇ ନେବାକୁ ନବୀନ ନିବାସରୁ ସବୁଜ ସଂକେତ ମିଳିସାରିଛି ବୋଲି ପ୍ରଶାନ୍ତ ଜଗଦେ୍ଧବ ଦାବି କରୁଛନ୍ତି । ବସ୍ତୁତଃ ଦଳର ୱାଡର଼୍ କମିଟି, ହୋମ ଟ୍ୟାଗିଂ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗଣେଶଙ୍କୁ ମିଳିଥିବାରୁ ତାଙ୍କ ଦାବିକୁ ସ୍ୱାଭାବିକ ଭାବେ ଗୁରୁତ୍ୱ ଦିଆଯାଉଛି । ଦଳର ଅଫିସିଆଲି ସଂଗଠନ ଦାୟିତ୍ୱ ତାଙ୍କ ହାତରେ ନ୍ୟସ୍ତ କରାଯାଇଛି । ଅପରପକ୍ଷରେ ପ୍ରଶାନ୍ତ ନନ୍ଦ ମଧ୍ୟ ତାଙ୍କୁ ସବୁଜ ସଂକେତ ମିଳିଥିବା କହୁଛନ୍ତି । କିନ୍ତୁ ଏଯାଏଁ ପ୍ରଶାନ୍ତ ନନ୍ଦ କିମ୍ବା ତାଙ୍କ ପୁଅ ରନି ନନ୍ଦଙ୍କ ବିଜେଡ଼ି ବ୍ୟାନର ବେଗୁନିଆ-ବୋଲଗଡ଼ରେ ଦେଖିବାକୁ ମିଳୁନାହିଁ । ଯଦି ନବୀନ ନିବାସରୁ ସବୁଜ ସଂକେତ ମିଳିଛି ତେବେ ବିଜେଡ଼ିର ଶଙ୍ଖ ଚିହ୍ନ ଓ ନବୀନ ପଟ୍ଟନାୟକଙ୍କ ଫଟୋ ଲଗାଇବାରେ କ’ଣ ବାଧକ ରହିଛି ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ । ବିଜେଡ଼ିରେ ଏଭଳି ଛକାପଞ୍ଝା ଜାରି ରହିଥିବାବେଳେ ପୃଥ୍ୱୀଙ୍କ ଲେଉଟାଣି ବେଗୁନିଆ ରାଜନୀତିକୁ ସରଗରମ କରିଦେଇଛି । ଏହି ପରିପ୍ରେକ୍ଷୀରେ ସୌମ୍ୟ କାହା ପାଇଁ ପ୍ରଚାର କରିବେ, କାହା ପାଇଁ ସଂଗଠନ କରିବେ ସେନେଇ ନାନାଦି ପ୍ରଶ୍ନ ବୁଢ଼ୀଆଣୀ ଜାଲ ଭଳି ଛନ୍ଦି ହୋଇଯାଇଛି ।