ଶ୍ରୀଜଗନ୍ନାଥ ହେରିଟେଡ କରିଡର ଚିଠା-ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ
ଶ୍ରୀଜଗନ୍ନାଥ ହେରିଟେଡ କରିଡର ଚିଠା-ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ
admin
Dec 31, 2019 - 07:29
Updated: Dec 31, 2019 - 07:29
କରିଡ଼ର ପାଇଁ ଜମିଦାନ କରିଥିବା ସମସ୍ତଙ୍କ ନାମ ଫଳକ ରଖାଯିବ, ଅଧିଗୃହୀତ ସବୁ ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରେକର୍ଡ ହେବ
ଭୁବନେଶ୍ୱର: ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀଜଗନ୍ନାଥ ହେରିଟେଡ କରିଡ଼ର ଚିଠା ଓଡ଼ିଶାର ଜନସାଧାରଣଙ୍କ ଉଦେ୍ଧଶ୍ୟରେ ଲୋକାର୍ପିତ କରିଛନ୍ତି । ଏହି ଚିଠା ସମ୍ପର୍କରେ ଜନସାଧାରଣ ସେମାନଙ୍କର ମୂଲ୍ୟବାନ ମତକୁ ଇ-ମେଲ ଜରିଆରେ ୨୦୨୦ ଜାନୁଆରୀ ୧୫ ସୁଦ୍ଧା ଶ୍ରୀମନ୍ଦିରର ପ୍ରଶାସନକୁ ପଠାଇବା ନିମନ୍ତେ ପରାମର୍ଶ ଦେଇଛନ୍ତି । ଜନସାଧାରଣଙ୍କ ପ୍ରସ୍ତାବକୁ ତର୍ଜମା କରାଯାଇ ଚୁଡ଼ାନ୍ତ ଫେବୃୟାରୀ ମାସରେ ପ୍ରକାଶିତ ହେବ ।
ଶ୍ରୀଜଗନ୍ନାଥ ଐତିହ୍ୟ କରିଡ଼ର ପାଇଁ ଯେଉଁ ମଠ ଓ ବ୍ୟକ୍ତି ବିଶେଷ ମାନେ ଜମି ଦେଇଛନ୍ତି, ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମହାପ୍ରଭୁଙ୍କ କାର୍ଯ୍ୟ ପାଇଁ ଜମି ଦାନ କରିଥିବା ବ୍ୟକ୍ତି ବିଶେଷଙ୍କର ନାମ ଏହି ଐତିହ୍ୟ କରିଡ଼ରରେ ଏକ ଫଳକରେ ସବୁଦିନ ପାଇଁ ସ୍ଥାନିତ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେହିପରି ଐତିହ୍ୟ କରିଡ଼ର ପାଇଁ ଅଧିଗୃହୀତ ସମସ୍ତ ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରେକର୍ଡ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସୂଚନା ଯୋଗ୍ୟ ଯେ ଶ୍ରୀମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି ତାର ଚତୁପାଶ୍ୱର୍ରେ ୭୫ ମିଟର ପର୍ଯ୍ୟନ୍ତ ଖାଲି କରାଯାଇ ଏହାର ବିକାଶ ଓ ସୌନ୍ଦର୍ଯ୍ୟ କରଣ ପାଇଁ ରାଜ୍ୟ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି ।
ସୋମବାର ଲୋକାର୍ପିତ ହୋଇଥିବା ଚିଠା କେବଳ କରିଡ଼ରର ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ସୁବିଧା ସୁଯୋଗର ବିକାଶ ମଧ୍ୟରେ ସୀମିତ ଅଟେ । ଶ୍ରୀମନ୍ଦିରର ସୁରକ୍ଷା ଓ ଫଙ୍କସନାଲିଟି ନିମନ୍ତେ ଯୋଜନା ପ୍ରସ୍ତୁତି ଦାୟିତ୍ୱ ଏ ସଂକ୍ରାନ୍ତରେ ଖ୍ୟାତି ଅର୍ଜନ କରିଥିବା ବୃତ୍ତିଧାରୀ ମାନଙ୍କୁ ଅର୍ପଣ କରିବା ପାଇଁ ସ୍ଥିର କରାଯାଇଛି ।
ମହାପ୍ରଭୁଙ୍କ ପୁରୀ ଧାମକୁ ବର୍ଷ ସାରା ଦେଶ ବିଦେଶରୁ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ଆସୁଛନ୍ତି । ତେଣୁ ସେମାନଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇବା ସହିତ ସେମାନେ ଯେପରି ପବିତ୍ର ଅନୁଭୁତି ନେଇ ଫେରିବେ, ତା ଉପରେ ଏହି ପାରିପାଶ୍ୱିର୍କ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିରେ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ÷ଅତ୍ୟାଧୁନିକ ଶୃଙ୍ଖଳିତ ଧାଡ଼ି ବ୍ୟବସ୍ଥା କରାଯିବା ସହିତ ମଝିରେ ମଝିରେ ବିଶ୍ରାମ ନେବାର ସୁବିଧା ମଧ୍ୟଳ କରାଯିବ । ଯାତ୍ରୀମାନଙ୍କ ପାଦ ଓ ହାତ ଧୋଇବା ନିମନ୍ତେ ଅତ୍ୟାଧୁନିକ ବ୍ୟବସ୍ଥା ଉପଯୁକ୍ତ ଆଲୋକ, ସିସିଟିଭି ବ୍ୟବସ୍ଥା ସହିତ ପିଇବା ପାଣି ଓ ଶୌଚାଳୟର ବିକାଶ କରାଯିବ ।
ଶ୍ରୀମନ୍ଦିର ଚତୁପାଶ୍ୱର୍ରେ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରାଯିବ । ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ବେଶ, ଦଶାବତାର ଏବଂ ଜଗନ୍ନାଥ ସଂସ୍କୃତିର ଅନନ୍ୟ ବୈଭବ ସମ୍ପର୍କରେ ଯାତ୍ରୀମାନଙ୍କୁ ଅବଗତ କରାଇବା ପାଇଁ ବ୍ୟବସ୍ଥା କରାଯିବ । ମୁକ୍ତାକାଶ ମଞ୍ଚରେ ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଦର୍ଶନର ଆୟୋଜନ ମଧ୍ୟ କରାଯିବ ।
ବୈଠକର ପ୍ରାରମ୍ଭରେ ସମସ୍ତଙ୍କ ସ୍ୱାଗତ କରି ୫-ଟି ସଚିବ ଭି.କେ ପାଣ୍ଡିଆନ ଏହି ଐତିହ୍ୟ କରିଡ଼ରର ପରିକଳ୍ପନା କିପରି ଭାବରେ ହେଲା, ସେ ସମ୍ପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ୨୦୧୬ ଜାନୁଆରରେ ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ଯେତେବେଳେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଉଥିଲେ, ସେତେବେଳେ ସେ ଲକ୍ଷ୍ୟ କରିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ରାସ୍ତାର ଦୁଇ ପାଶ୍ୱର୍ରେ ଥିବା ସବୁ ହୋର୍ଡିଂ, ଯେଉଁଥିରେ ପ୍ରଭୁ ଜଗନ୍ନାଥଙ୍କର ଫଟୋ ଚିତ୍ର ଅଛି, ସେ ସବୁ ଚିତ୍ରକୁ ପ୍ରଣାମ କରୁଛନ୍ତି । ଏଥିରୁ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରଗାଢ଼୍ୟ ଭକ୍ତି ସମ୍ପର୍କରେ ଅନୁମେୟ କରିପାରିଥିଲେ । ଫେରିବା ବାଟରେ ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥଙ୍କ ଶଙ୍ଖକ୍ଷେତ୍ରର ସ୍ୱତନ୍ତ୍ର ବିକାଶ ପାଇଁ ମତ ପ୍ରକାଶ କରିଥିଲେ । ସେବେଠାରୁ ଆରମ୍ଭ ହୋଇଛି ପୁରୀ ସହରର ପରିବର୍ତ୍ତନର ଅୟମାରମ୍ଭ ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ, ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।