ଜାଣନ୍ତୁ, ବାତ ରୋଗର ଚିକିତ୍ସା

ଜାଣନ୍ତୁ, ବାତ ରୋଗର ଚିକିତ୍ସା

ଭୁବନେଶ୍ୱର: କୌଣସି ଛୋଟ ପିଲା କିମ୍ବା ବ୍ୟକ୍ତିଙ୍କୁ ବାତ ମାରୁଥିଲେ କେତୋଟି ବିଷୟ ପ୍ରତି ପ୍ରାଥମିକତା ଦେବା ନିହାତି ଜରୁରୀ। ଗୋଟିଏ କଥା ମନେରଖନ୍ତୁ ଯେ, ବାତ ମାରିବା ଲକ୍ଷଣ ଅସ୍ଥାୟୀ ଏବଂ ତାହା ମନକୁ ମନ ଉପଶମ ହୋଇଯାଏ। ବାତ ମାରିବା ସମୟରେ ହିଁ ରୋଗୀ ଉପରେ ସତର୍କ ନଜର ରଖନ୍ତୁ। କାରଣ ବାତ ମାରିଲେ ରୋଗୀ ହଠାତ୍‌ ତଳେ ପଡ଼ିଯାଇପାରେ ଏବଂ ଏହାଦ୍ୱାରା ତା’ ଶରୀରରେ ଆଘାତ ଲାଗିପାରେ।

ବିଶେଷ ଭାବରେ ଏହି ସମୟରେ ତାହାର ମୁଣ୍ଡ ଯେପରି ବାଡ଼େଇ ହୋଇ ନ ଯାଏ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ରୋଗୀ ପାଖରେ କୌଣସି କଠିନ କିମ୍ବା ଧାରୁଆ ବସ୍ତୁ ରଖନ୍ତୁ ନାହିଁ। ମୁଣ୍ଡ ତଳେ ନରମ ପତଳା ତକିଆ ରଖିବା ନିରାପଦ। ବାତ ମାରିବା ବନ୍ଦ କରିବା ପାଇଁ ରୋଗୀକୁ ମାଡ଼ି ବସି ଧରନ୍ତୁ ନାହିଁ। ଏହି ସମୟରେ ତାଙ୍କୁ କଡ଼ ମାଡ଼ି ଶୁଆଇ ଦିଅନ୍ତୁ। ଏହାଦ୍ୱାରା ରୋଗୀର ଶ୍ୱାସକ୍ରିୟା ଠିକ୍‌ ଭାବରେ ହୋଇଥାଏ।

ବାତ ମାରିବା ସମୟରେ ପାଟି ଭିତରେ ଆଙ୍ଗୁଠି କିମ୍ବା ଚାମଚ ପୁରାନ୍ତୁ ନାହିଁ। ଏହି ସମୟରେ ନିଜେ ନିଜେ ଶାନ୍ତ ରୁହନ୍ତୁ ଏବଂ ଅନ୍ୟମାନଙ୍କୁ ଶାନ୍ତ ରହିବାକୁ ପରାମର୍ଶ ଦିଅନ୍ତୁ। ଯଦି ବାତ ମାରିବା ବନ୍ଦ ନ ହେଲା କିମ୍ବା ରୋଗୀର ଚେତା ନ ଫେରିଲା ତେବେ ବିଳମ୍ବ ନ କରି ତାଙ୍କୁ ନିକଟସ୍ଥ ହସପିଟାଲକୁ ନେଇଯାଆନ୍ତୁ।