୨୫ରୁ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ

୨୫ରୁ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ବର: ଜୁଲାଇ ୨୫ରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଗସ୍ତ ସମୟରେ କଟକ ଏବଂ ଭଦ୍ରକର କେତେକ କାର୍ୟ୍ୟକ୍ରମରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି।
୨୫ ତାରିଖ ଅପରାହ୍ଣରେ ରାଷ୍ଟ୍ରପତି ଦିଲ୍ଲୀରୁ ବାହାରି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ। ସେହିଦିନ ସେ ରାଜଭବନରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ରାତ୍ରିଯାପନ କରିବା କାର୍ୟ୍ୟକ୍ରମ ରହିଛି। ଏନେଇ ଭୁବନେଶ୍ବର-କଟକ ପୁଲିସ ଆୟୁକ୍ତ, କଟକ ଏବଂ ଭଦ୍ରକ ଜିଲା ପ୍ରଶାସନକୁ ଚିଠି ମାଧ୍ୟମରେ ସରକାରୀ ସ୍ତରରେ ଅବଗତ କରାଯାଇଛି। ୨୬ରେ କଟକ ଓଡ଼ିଶା ଉଚ୍ଚ ନ୍ୟାୟାଳୟ, ଏସ୍‌ସିବି ଭେଷଜ ମହାବିଦ୍ୟାଳୟ ଓ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ କାର୍ୟ୍ୟକ୍ରମରେ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏଥିସହିତ ସେ କଟକ ଚଣ୍ଡୀମନ୍ଦିର ଯାଇ ମା’ଙ୍କୁ ଦର୍ଶନ କରିବେ। ନେତାଜୀ ସଂଗ୍ରହାଳୟ ପରିଦର୍ଶନ କରିବାର କାର୍ୟ୍ୟକ୍ରମ ରହିଛି। ସନ୍ଧ୍ୟାରେ ରାଷ୍ଟ୍ରପତି କଟକରୁ ରାଜଭବନ ଫେରି ରାତ୍ରିଯାପନ କରିବାକୁ ଥିବାବେଳେ ୨୭ରେ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ଲାଟିନମ୍‌ ଜୁବୁଲି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ୨୭ ସନ୍ଧ୍ୟାରେ ରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା କାର୍ୟ୍ୟକ୍ରମ ରହିଛି।