ଫୋକସରେ କୁଚିଣ୍ଡା ନିର୍ବାଚନ ମଣ୍ଡଳୀ

ଫୋକସରେ କୁଚିଣ୍ଡା ନିର୍ବାଚନ ମଣ୍ଡଳୀ

ଫୋକସରେ କୁଚିଣ୍ଡା ନିର୍ବାଚନ ମଣ୍ଡଳୀ
ସମ୍ବଲପୁର, ବିଜେଡି ଜନ୍ମ ପରଠାରୁ କେବେ ବି ଜିତି ପାରି ନଥିବା ଓଡିଶାର ହାତ ଗଣତି ଆସନ ମଧ୍ୟରେ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ବିଧାନସଭା ଆସନ ଅନ୍ୟତମ । ଗତ ସାଧାରଣ ନିର୍ବାଚନରେ ସମ୍ବଲପୁର ଜିଲ୍ଳାର ଏକମାତ୍ରା ଆସନ ଭାବେ କୁଚିଣ୍ଡାରେ ହିଁ ଶାସକ ଦଳ ପରାଜୟ ବରଣ କରିଥିଲା । ବିଜେପି ନେତା ରବିନାରୟଣ ନାରାୟଣ ତୃତୀୟଥର ପାଇଁ ବିଧାୟକ ହେବା ସହ କଂଗ୍ରେସ ହାତରୁ ପୁଣିଥରେ କୁଚିଣ୍ଡାକୁ ଛଡାଇ ଆଣିଥଲେ । ତେଣୁ ଏହି ବିଧାନସଭା ଆସନ ଜିତିବା ଶାସକ ବିଜେଡି ପାଇଁ ଏକ ଆହ୍ୱାନ ପାଲଟିଛି । ଏହି ଗୁରୁ ଦାୟିତ୍ୱ ତୁଲାଇଛନ୍ତି ସଦ୍ୟ ବିଜେଡି ଯୋଗ ଦେଇଥବା ନବ ଦାସ । ନବଙ୍କୁ ଝାରସୁଗୁହା ବ୍ୟତୀତ ଯେଉଁ କିଛି ନିକଟବର୍ତୀ ଆସନରେ ଆସନରେ ଦଳର ବିଜୟ ସୁନିଶ୍ଚିତ କରିବା ଦାୟିତ୍ୱ ଦିଆଯାଇଛି । ତନ୍ମଧ୍ୟରେ କୁଚିଣ୍ଡା ଅନ୍ୟତମ । ତେଣୁ ସେ ପର୍ଯ୍ୟବେକ୍ଷକ ରବି ପାଣିଙ୍କ ସହ କୁଚିଣ୍ଡାର ବିଭିନ୍ନ ଅଂଚଳ ବୁଲାବୁଲି କରି ଦଳର ସଂଗଠନ ସଜାଡିବ ପ୍ରୟାସ ଜାରି ରଖିଛନ୍ତି । ତାଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହେଲେଣି । ବିଜେଡି ଟିକେଟ୍ ପାଇଁ ଅନେକ ଆଶାୟୀ ପ୍ରାର୍ଥୀ ଥିବାବେଳେ ସମସ୍ତଙ୍କୁ ଏକଜୁଟ କରି କେମିତି ଦଳର ନାଆ କୂଳରେ ଲଗାଇବେ ତାହା ନବଙ୍କ ପାଇଁ ବଡ ଚ୍ୟାଲେଞ୍ଜ ନବ ଇତି ମଧ୍ୟରେ କୁଚିଣ୍ଡାରେ ନିଜର କାର୍ଯ୍ୟାଳୟ ବି ଖୋଲି ସାରିଛନ୍ତି । ଅପରପକ୍ଷରେ ତିନିଥର ବିଧାୟକ ତଥା ଜଣାଶୁଣା ଆଦିବାସୀ ନେତା ରବି ନାୟକ ନିଜ ଦଳର ଅପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ । ଅନ୍ୟ ଦୁଇ ଦଳ ତୁଳନାରେ ପଛରେ ପଡିଥବା କଂଗ୍ରେସ ଦଳରେ ଏକାଧିକ ଆଶାୟୀ ଥିଲେ ବି ଯଦି ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳକୁ ପ୍ରାର୍ଥୀ କରିବ ତାହେଲେ ବିଜେପି , ବିଜେଡିକୁ କଡା ଟକ୍କର ଦେଇ ପାରିବ ବୋଲି ଆଲୋଚନା ହେଉଛି । ହେଲେ ଶ୍ରୀ ବିଶ୍ୱାଳ କୁଚିଣ୍ଡା କଂଗ୍ରେସ ଟିକେଟ ପାଇଁ ନିଜେ ଆବେଦନ କରିବା ବଦଳରେ ତାଙ୍କ ଝିଅ ଆବେଦନ କରିଛନ୍ତି । ତେବେ ଦଳ ନିଜ ଆଡୁ ତାଙ୍କୁ କୌଣସି ଆସନରୁ ପ୍ରାର୍ଥୀ କଲେ ସେ ତାଙ୍କୁ ଗ୍ରହଣ କରିପାରନ୍ତି ବୋଲି ସୂଚନା ଦେଇଛନ୍ତି । ୨୦୦୯କୁ ବାଦ ଦେଲେ ଗତ ୪ ଟି ନିର୍ବାଚନ ମଧ୍ୟରୁ ୩ ଥର ବିଜେପିର ରବି ନାୟକ କୁଚିଣ୍ଡା ବିଧାୟକ ନିର୍ବାଚିତ ହୋଇଥିଲେ । ୨୦୦୯ରେ କଂଗ୍ରେସର ରାଜେନ୍ଦ୍ର ଛାତ୍ରିଆ ବାଜି ମାରିଥିଲେ । ତେଣୁ ଏଥର ମଧ୍ୟ ସ୍ୱାଭାବିକଭାବେ ଶ୍ରୀ ନାୟକ ପଦ୍ମ ଦଳ ଟିକେଟର ମୁଖ୍ୟ ଦାବିଦାର ଅଛନ୍ତି । ବିଜେଡି ଟିକେଟ୍ ପାଇଁ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ଗତ ନିର୍ବାଚନର ପରାଜିତ ପ୍ରାର୍ଥୀ ଭୁବନେଶ୍ୱର କିସାନ, କୁଚିଣ୍ଡା ଲେମ୍ପସ ସଭାପତି ମନୋରଞ୍ଜନ ଭୋଇ,ବାମରା ବ୍ଳକ ଅଧ୍ୟକ୍ଷ ସଦାନନ୍ଦ କୁଜୁର, ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ଜୟପାଲ ନାୟକ, ଧର୍ମରାଜ ମରେଇ, କରୁଣାକର କିସାନ ପ୍ରମୁଖ ଆଶାୟୀ ଅଛନ୍ତି । କଂଗ୍ରେସ ଦଳରୁ ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ,ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଶୋଭାରାମ ପ୍ରଧାନ , ଶରତ ଗୌନ୍ତିଆ , ଜୟନ୍ତ ପ୍ରଧାନ ,ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ଖତୁନାଥ ପିଙ୍ଗ, ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳଙ୍କ ଝିଅ ଅମିତା ବିଶ୍ୱାଳ ପ୍ରମୁଖ ଆଶାୟୀ ଅଛନ୍ତି । ପୂର୍ବତନ ବ୍ଲକ ଅଧ୍ୟକ୍ଷ କିଶର ନାୟକ ନିଜ ସମର୍ଥଙ୍କ ସହ ମିଶି ଯେକୌଣସି ଗୋଟିଏ ପ୍ରମୁଖ ଦଳରୁ ଟିକେଟ୍ ଯୋଗାଡ ପାଇଁ ଲାଗି ପଡିଛି । ଏଠାରେ ଶିକ୍ଷା, ସ୍ୱାସ୍ଥ୍ୟ ,ବେକାରି ଆଦି ସବୁ ସମସ୍ୟା ରହିଛି । ଜଳସେଚନ ନହେବା ,ଧାନର ଅଭାବୀ ବିକ୍ରୀ, ଶୀତଳ ଭଣ୍ଡାରର ଅଭାବ , ଡାକ୍ତରଖାନା ଗୁଡିକରେ ଡାକ୍ତର ବିଦ୍ୟାଳୟର ଶିକ୍ଷକ ଅଭାବ ଏଥର ନିର୍ବାଚନ ପ୍ରସଙ୍ଗ ହୋଇପାରେ ।ଏହାଛଡା କୁଚିଣ୍ଡା ଉପଖଣ୍ଡକୁ ଏକ ଆଦିବାସୀ ଜିଲ୍ଲା ଘୋଷଣା, ବାମରା ଓ ଜମନକିରାକୁ ଏନ୍ଏସି, ଫାଶି ମାଳ ତଥା କେଶେଇବାହାଲକୁ ବ୍ଳକ ଘୋଷଣା କରିବାକୁ ମଧ୍ୟ କୁଚିଣ୍ଡାବାସୀ ବହୁ ଦିନରୁ ଦାବି କରି ଆସୁଛନ୍ତି ।