ରାଜଙ୍କୁ ଟିକେଟ ନଦେଲେ ଖୋର୍ଦ୍ଧା ବିଜେଡ଼ିରେ ହୋଇପାରେ ବିଦ୍ରୋହ
ରାଜଙ୍କୁ ଟିକେଟ ନଦେଲେ ଖୋର୍ଦ୍ଧା ବିଜେଡ଼ିରେ ହୋଇପାରେ ବିଦ୍ରୋହ
admin
Mar 18, 2019 - 08:41
Updated: Mar 18, 2019 - 08:41
ଭୁବନେଶ୍ୱର : ୨୦୧୯ରେ ଖୋର୍ଦ୍ଧାରୁ କିଏ ବିଜେଡ଼ି ଟିକେଟରେ ନିର୍ବାଚନ ଲଢିବେ ? ଏନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି । ବର୍ତମାନର ବିଧାୟକ ରାଜେନ୍ଦ୍ର ସାହୁଙ୍କ ବଦଳରେ ପୁଣି ଘରବାହୁଡ଼ିଥିବା ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କୁ ଟିକେଟ ମିଳିବ ବୋଲି ଚର୍ଚ୍ଚା ହେଉଛି । ଯାହାକୁ ନେଇ ଫିଡ଼ିକି ଯାଇଛନ୍ତି ରାଜ ସାହୁଙ୍କ ସମର୍ଥକ । ରାଜଙ୍କ ସମର୍ଥକମାନେ ନବୀନ ନିବାସରେ ଏନେଇ ଗୁହାରୀ କରିଥିବାବେଳେ ରାଜେନ୍ଦ୍ରଙ୍କୁ ଟିକେଟ ଦେବା ପାଇଁ ଦାବି କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ରାଜନୀତିର ଅତୀତ ସମୀକରଣ ସମ୍ପର୍କରେ ସମ୍ୟକ ଆଲୋକପାତ କରାଯାଇପାରେ । ୨୦୦୦ରେ ବିଜେଡ଼ି ଅପ୍ରତ୍ୟାଶିତ ଭାବେ ପ୍ରାର୍ଥୀ ଦେବାରୁ ଦଳକୁ ପରାଜୟ ବରଣ କରିବାକୁ ପଡିଥିଲା । ସ୍ୱାଧୀନ ଭାବେ ବାଜିମାତ କରିଥିଲେ ଜ୍ୟୋତିରିନ୍ଦ୍ର ନାଥ ମିତ୍ର । ପରେ ସେ ବିଜେଡିରେ ଯୋଗ ଦେଇଥିଲେ । ୨୦୦୪ରେ ସେ ବିଜେଡି ଟିକେଟରେ ଦ୍ୱିତୀୟ ଥର ବିଧାୟକ ହୋଇଥିଲେ । କିନ୍ତୁ ୨୦୦୯ରେ ପୁଣି ଖୋର୍ଦ୍ଧା ଅଙ୍କ ବଦଳିଯାଇଥିଲା । ଏହି ଆସନଟି ବାମଦଳ ଭାଗରେ ପଡ଼ିବାରୁ ବିଜେଡ଼ିର ଦୁଇ ଆଶାୟୀ ଜିତୁ ମିତ୍ର ଓ ରାଜ ସାହୁ ସ୍ୱାଧୀନ ଭାବେ ଲଢ଼ିଥିଲେ । ରାଜେନ୍ଦ୍ର ନିଜର ରାଜନୈତିକ ଗୁରୁ ଜିତୁ ମିତ୍ରଙ୍କୁ ଅଳ୍ପ ଭୋଟରେ ପରାସ୍ତ କରି ବିଧାୟକ ହୋଇଥିଲେ । ପରେ ରାଜଙ୍କୁ ବିଜେଡ଼ିରେ ଅଧିକ ଗୁରୁତ୍ୱ ମିଳିବାରୁ ଜିତୁ ମିତ୍ର ଗତ ୨୦୧୪ ନିର୍ବାଚନ ବେଳେ ଦଳ ଛାଡ଼ିଥିଲେ । ସେ ବିଜେପିରୁ ପ୍ରାର୍ଥୀ ହୋଇ ରାଜେନ୍ଦ୍ରଙ୍କୁ କଡ଼ା ଟକ୍କର ଦେଇଥିଲେ । ହେଲେ ରାଜେନ୍ଦ୍ର ଲଗାତର ଦ୍ୱିତୀୟ ଥର ପାଇଁ ବିଧାୟକ ହେବାରେ ସମର୍ଥ ହୋଇଥିଲେ । କିନ୍ତୁ ୨୦୧୯ ନିର୍ବାଚନର ଅବ୍ୟବହିତ ପୂର୍ବରୁ ପୁଣି ଅଙ୍କ ବଦଳିଯାଇଛି । ଏକଦା ୨୦୧୯ରେ ପୁଣି ଗୁରୁ ଶିଷ୍ୟ ଲଢ଼େଇ ହେବବୋଲି କୁହାଯାଉଥିଲା । ଜିତୁ ଓ ରାଜଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ପାଇଁ ଅଙ୍କ କଷା ହେଉଥିଲା । ହେଲେ ହଠାତ ଜିତୁ ମିତ୍ର ବିଜେପି ଛାଡ଼ି ବିଜେଡ଼ିର ଶଙ୍ଖ ଫୁଙ୍କିଥିଲେ । ତାଙ୍କୁ ବିଜେଡ଼ିରୁ ପ୍ରାର୍ଥୀ କରିବା ପାଇଁ ପ୍ରତିଶ୍ରୁତି ମିଳିଥିବା କୁହାଯାଉଛି । ଯାହା ଏବେ ରାଜେନ୍ଦ୍ରଙ୍କ ମନରେ ଛନକା ପୂରାଇ ଦେଇଛି । ତାଙ୍କୁ ଟିକେଟ ମିଳିବ ନାହିଁ ବୋଲି ସେ ଧରିନେଇଛନ୍ତି । ନିକଟରେ ସେ ନିଜ କର୍ମୀମାନଙ୍କୁ ମଧ୍ୟ ଏନେଇ ସଂକେତ ଦେଇଥିଲେ । ଖୋର୍ଦ୍ଧା ବଦଳରେ ବେଗୁନିଆରୁ ପ୍ରାର୍ଥୀ ହେବେବୋଲି ରାଜେନ୍ଦ୍ର ସଂକେତ ଦେଇଥିଲେ ।
ରାଜେନ୍ଦ୍ରଙ୍କ ଏଭଳି ସଂକେତକୁ ସହଜରେ ଗ୍ରହଣ କରିପାରିନଥିଲେ ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଯଦି ରାଜେନ୍ଦ୍ରଙ୍କୁ ବେଗୁନିଆରୁ ଟିକେଟ ମିଳେ ତେବେ ସେ ସ୍ୱାଧୀନ ପ୍ରାର୍ଥୀ ହେବାକୁ ବାଧ୍ୟ ହେବେବୋଲି ଜଗଦ୍ଦେବ ଚେତାବନୀ ଦେଇଥିଲେ । ଫଳରେ ଖୋର୍ଦ୍ଧା ବଦଳରେ ବେଗୁନିଆରେ ପ୍ରାର୍ଥୀ ହେବାର ଆଶଙ୍କା ବି ରାଜଙ୍କର ମଉଳିଯାଇଛି । କାହିଁକିନା ଗଣେଶ ସ୍ୱାଧୀନ ଲଢ଼ିଲେ ତାଙ୍କର ପରାଜୟ ନିଶ୍ଚିତ ହୋଇଯିବ । ତେଣୁ ଶେଷ ସୁଯୋଗ ପାଇଁ ସେ ‘ପ୍ରେସର ଗେମ’ ଖେଳିଛନ୍ତି । ରବିବାର ରାଜନ୍ଦ୍ରେଙ୍କ ସମର୍ଥକମାନେ ନବୀନ ନିବାସରେ ପହଁଚିଥିଲେ । ବିଧାୟକ ଶ୍ରୀ ସାହୁଙ୍କ ପାଇଁ ଖୋର୍ଦ୍ଧା ବିଜେଡ଼ି ଗଡ଼ରେ ପରିଣତ ହୋଇଛି । ତେଣୁ ତାଙ୍କୁ ଟିକେଟ ଦିଆଯାଉ ବୋଲି ସେମାନେ ଦାବି କରିଥିଲେ । ଟାଙ୍ଗୀ ବିଜେଡ଼ି ସଭାପତି ସୁରେନ୍ଦ୍ର ମହାପାତ୍ର, ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ଜେନା, ଉପାଧ୍ୟକ୍ଷ ତୃପ୍ତିମୟୀ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ସଭ୍ୟ ସ୍ୱଦେଶ ରାଉତରାୟ, ଖୋର୍ଦ୍ଧା ନଗର ବିଜେଡ଼ି ସଭାପତି ଅଭିଷେକ ସିଂହ ସାମନ୍ତଙ୍କ ସମେତ ୧୮ ସରଂପଚ, ୧୬ ସମିତି ସଭ୍ୟ ପ୍ରମୁଖ ନବୀନଙ୍କ ନିକଟରେ ଏଭଳି ଦାବି କରିଛନ୍ତି ।