ହାଇଆଲର୍ଟ କଲେ ଶକ୍ତି ବିଭାଗ ଏସି, କମ୍ପ୍ୟୁଟର, ଟିଭି ହେବନି ବନ୍ଦ

ହାଇଆଲର୍ଟ କଲେ ଶକ୍ତି ବିଭାଗ ଏସି, କମ୍ପ୍ୟୁଟର, ଟିଭି ହେବନି ବନ୍ଦ

ହାଇଆଲର୍ଟ କଲେ ଶକ୍ତି ବିଭାଗ ଏସି, କମ୍ପ୍ୟୁଟର, ଟିଭି ହେବନି ବନ୍ଦ
କରୋନା ବିରୋଧରେ ଲଢ଼ିବା ସମ୍ପର୍କରେ ମତ ବିନିମୟ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ସାମ୍ନାରେ ଏକ ଆହ୍ୱାନ ରଖିଛନ୍ତି । ଆଜି ରାତି ୯ଟାରେ ୯ ମିନିଟ ପାଇଁ ଘରର ସମସ୍ତ ଲାଇଟ ବନ୍ଦ କରିବାକୁ କୁହାଯାଇଛି । କେବଳ ସେତିକି ନୁହେଁ, ଏହି ସମୟରେ ଘର ଦ୍ୱାର ମୁହଁରେ ଅଥବା ବାଲକୋନିରେ ମହମବତୀ, ଦୀପ, ଟର୍ଚ୍ଚ ଲାଇଟ, ମୋବାଇଲ ଫ୍ଲାସ ଲାଇଟ ଆଦି ଜାଳିବାକୁ ମୋଦି କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କର ଏହି ଆହ୍ୱାନର ଅନୁପାଳନ ଲାଗି ସୋସିଆଲ ମିଡିଆରେ ମଧ୍ୟ ଜୋରଦାର ପ୍ରଚାର ଅଭିଯାନ ଜାରି ରହିଛି । ଅନ୍ୟ ପକ୍ଷରେ ଏକାସାଙ୍ଗରେ ସମସ୍ତ ଲାଇଟ ବନ୍ଦ ହେଲେ ପାୱାର ଗ୍ରୀଡ଼ ଉପରେ ଏହାର କି ପ୍ରଭାବ ପଡ଼ିବ, ସେ ନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ହିସାବନିକାଶ ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରାଳୟ ଦାୟିତ୍ୱରେ ଥିବା ସଚିବ ସବୁ ରାଜ୍ୟର ଶକ୍ତି ସଚିବମାନଙ୍କୁ ହାଇଆଲର୍ଟରେ ରଖିଛନ୍ତି । କଣ କରିବେ, ନ କରିବେ, ସେ ନେଇ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଶକ୍ତି ବିଭାଗର ଅଧିକାରୀମାନେ କହିବା କଥା ଦେଶବାସୀ ୯ଟା ବେଳେ ଲାଇଟ ବନ୍ଦ କରିବା ପରେ ହଠାତ ବିଜୁଳି ଚାହିଦା ହ୍ରାସ ପାଇବ ଓ ଏହାର ପ୍ରଭାବ ବିଦ୍ୟୁତ ଗ୍ରୀଡ଼ ଉପରେ ପଡ଼ିପାରେ । ସେହିପରି ହଠାତ ଲାଇଟ ଲଗାଇଲେ ମଧ୍ୟ ଫ୍ୟୁଜର ଆଶଙ୍କା ରହିଛି । ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ମଧ୍ୟ ନିର୍ଦ୍ଦେଶ ନାମା ଜାରି କରିଛି । ଶକ୍ତି ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କେବଳ ଲାଇଟ ଅଫ କଥା କହିଛନ୍ତି । କେଉଁଠାରେ ବି ଏକଥା କୁହାଯାଇନି କି ସେହି ସମୟରେ ଘରର ଫ୍ରିଜ, କମ୍ପ୍ୟୁଟର, ଏସି, ଟିଭି, ଫ୍ୟାନ ଆଦି ବନ୍ଦ କରାଯିବ । ଏଣୁ ଏସବୁ ବନ୍ଦ କରିବାର କୌଣସି ଆବଶ୍ୟକତା ନାହିଁ । ସେହିଭଳି ଷ୍ଟ୍ରିଟ ଲାଇଟ ବନ୍ଦ ନ କରିବା ଲାଗି କୁହାଯାଇଛି । ଏହା ଦ୍ୱାରା ସେ ସମୟରେ କେହି କିଛି ଫାଇଦା ଉଠାଇ କୌଣସି ଅଘଟଣ ଘଟାଇ ଦେଇପାରେ । ସେହିଭଳି ଡାକ୍ତରଖାନା, ଥାନା, ସାଧାରଣ ଲୋକ ଆତଯାତ କରୁଥିବା ବିଭିନ୍ନ ଅଫିସ, ଉତ୍ପାଦନକାରୀ ଶିଳ୍ପ ଖୋଲା ରହିବ । ଏହାଦ୍ୱାରା ଲୋଡ଼ରେ ଭାରସାମ୍ୟ ରହିପାରିବ ବୋଲି ଶକ୍ତି ବିଭାଗ ବିଚାର କରିଛି ଓ ତଦନୁଯାୟୀ ବିଜୁଳି ପ୍ରସ୍ତୁତ କରିଛି । ଶ୍ରୀ ସେଠୀ ଆହୁରି କହିଛନ୍ତି ଯେ ସେ ରାତିର ନିର୍ଦ୍ଧାରିତ ଏହି ସମୟ ପୂର୍ବରୁ ଉତ୍ପାଦନକାରୀ ଓ ବଣ୍ଟନକାରୀ ସଂସ୍ଥାର ଦାୟିତ୍ୱରେ ଥିବା ମୁଖ୍ୟ ପଦାଧିକାରୀଙ୍କ ସମେତ ସମସ୍ତେ ନିଜ ନିଜ ଅଫିସରେ ଉପସ୍ଥିତ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ମିଳୁଥିବା ସୂଚନା ଅନୁସାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ସମସ୍ତ ସ୍ୱାଧୀନ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥା, କେନ୍ଦ୍ରୀୟ ଓ ରାଜ୍ୟ ବିଦ୍ୟୁତ ପରିବହନ, ବିଦ୍ୟୁତ ବିତରଣରେ ନିୟୋଜିତ ଆଦି ସଂସ୍ଥା ପ୍ରମୁଖଙ୍କୁ ଗ୍ରୀଡ଼କୁ କିଭଳି ନିରାପଦରେ ରଖାଯିବ, ସେ ନେଇ ସୂଚାଇ ଦିଆଯାଇଛି ଓ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।