ୟୁରୋପର ଛୋଟ ଭୁଲ ପାଇଁ ସାରା ବିଶ୍ୱ ଏବେ କରୋନାମୟ

ୟୁରୋପର ଛୋଟ ଭୁଲ ପାଇଁ ସାରା ବିଶ୍ୱ ଏବେ କରୋନାମୟ

ୟୁରୋପର ଛୋଟ ଭୁଲ ପାଇଁ ସାରା ବିଶ୍ୱ ଏବେ କରୋନାମୟ
କୁହାଯାଉଛି ଯେ କୋଭିଡ-୧୯ ଭୂତାଣୁ ଚୀନରେ ଜନ୍ମିତ ଓ ଇଟାଲୀରେ ପ୍ରସ୍ତୁତ । କାରଣ ଯେତେବେଳେ ଜାନୁଆରୀ ୨୦୨୦ ରେ ଚୀନରେ ଏକ ନୂଆ ପ୍ରକାର ଭୂତାଣୁ ସଂକ୍ରମଣର ତଥ୍ୟ ସାମନାକୁ ଆସିଲା, ସେତେବେଳେ ତୁରନ୍ତ ମଙ୍ଗୋଲିଆ, ରୁଷିଆ ଓ ଉତ୍ତରକୋରିଆ ନିଜର ଅନ୍ତର୍ଜାତୀୟ ସୀମାକୁ ବନ୍ଦ କରିଦେଇଥିଲେ ଏବଂ ଚୀନକୁ କେହି ସେଇ ଦେଶକୁ ଆସିବାକୁ ନିଷେଧ କରିଥିଲେ । କିନ୍ତୁ ୟୁରୋପୀୟ ରାଷ୍ଟ୍ର ସମୂହ ଏଥିରେ ଅବହେଳା କରିଥିଲେ । ଜଗତୀକରଣ ଯୁଗରେ ଚୀନ ଆଉ ଚୀନ ଭିତରେ ସୀମିତ ରହିନାହିଁ । ବରଂ ସାରା ବିଶ୍ୱକୁ ବ୍ୟାପିଯାଇଛି । ଇଟାଲୀର ସଂଖ୍ୟାଧିକ ଶ୍ରମଶକ୍ତି ହେଉଛି ଚୀନରୁ ଆଗତ । ଇଟାଲୀ ହେଉଛି ୟୁରୋପର ପ୍ରବେଶ ଦ୍ୱାର ‘ମେଡ ଇନ ଇଟାଲି’ ଉଲ୍ଲେଖ ରହୁଥିଲେ ବି ଇଟାଲୀରେ ସବୁକିଛି ନିର୍ମିତ ହୋଇ ଆସୁଛି ଦକ୍ଷ ଓ ଅଣଦକ୍ଷ ଚୀନା ଶ୍ରମଶକ୍ତି ଦ୍ୱାରା । ଯଦି ଆମେ ଇତିହାସ ଉପରେ ନଜର ପକାଇବା, ତେବେ ଜାଣିପାରିବା ଯେ ପ୍ରାକ ଜଗତୀକରଣ ଯୁଗରେ ଯେତେବେଳେ ଇଟାଲୀ ନିଜର ଦୁର୍ବଳ ଆର୍ଥିକ ସ୍ଥିତିରେ ଶସ୍ତା ଲୋକବଳ ବା ଶସ୍ତା ଶ୍ରମଶକ୍ତି ଲୋଡୁଥିଲା, ସେତେବେଳେ ଚୀନ ନିଜକୁ ସବୁଠୁ ଶସ୍ତା ବୋଲି ଉପସ୍ଥାପିତ କରିଥିଲା । ଚୀନର କମ୍ୟୁନିଷ୍ଟ ସରକାରଙ୍କ ସହଯୋଗ ଓ ସମର୍ଥନରେ ଚୀନ ଶ୍ରମିକମାନେ ଏକ ନବ୍ୟ ସାମ୍ରାଜ୍ୟବାଦର ଉତ୍ସ ପାଲଟିଗଲେ । ଇଟାଲୀୟ ମାଲିକାନା ସବୁକୁ ଚୀନାମାନେ ଅଧିଗ୍ରହଣ କରିଗଲେ । ଇଟାଲୀରେ ବଜାରର ଧନକୁ ଚୀନା ଶ୍ରମଶକ୍ତି ଓ ଚୀନା ନିର୍ମାତାମାନେ ଆହଣ କରିବାରେ ଲାଗିଗଲେ । ଏବେ ଇଟାଲି ଅର୍ଥନୀତି ଦୁର୍ବଳ ହୋଇଥିଲା ବେଳେ ଚୀନ ଅନୁକମ୍ପା ଓ ସହାୟତା ଉପରେ ବହୁ ଭାବରେ ନିର୍ଭରଶୀଳ । ଏବେ ଘନିଷ୍ଠତା ଭିତରେ ସାମାଜିକ ଦୂରାବସ୍ଥାନର ବୈଜ୍ଞାନିକ ଦୃଷ୍ଟିଭଙ୍ଗୀକୁ ବଜାୟ ରଖିବାରେ ଇଟାଲୀ କେବଳ ଅସମର୍ଥ ହୋଇନାହିଁ । ବରଂ ନିଜର ଅଜ୍ଞତାକୁ ହାଟରେ ପକାଇ ଦାଣ୍ଡରେ ଗଡ଼ାଉଛି । ‘ଦୈନିକ ଜଣେ ଚୀନୀଙ୍କୁ ଆଲିଙ୍ଗନ କର” ଭଳି ଲଜ୍ଜାକର ନୀତି ଲାଗୁ କରିଛି । ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଏଭଳି ନୀତି ଲାଗୁ ହୋଇଥିଲା । ଯେତେବେଳେ ଚୀନରେ ସେଇ ଭୂତାଣୁ ସଂକ୍ରମଣରେ ୪୦୦ ଜଣଙ୍କର ଜୀବନ ଯାଇସାରିଥିଲା । ଉହାନ ନଗରୀରୁ ଫେରିଥିବା ଏକ ଚୀନା ଦମ୍ପତିଙ୍କଠାରୁ ଯେତେବେଳେ ସଂକ୍ରମଣ ବ୍ୟାପିଥିଲା ସେତେବେଳେ ଇଟାଲୀର ଚେତା ପଶିଥିଲା ଏବଂ ଚୀନ ସହ ସମସ୍ତ ବିମାନ ଉଡାଣ ସମ୍ପର୍କକୁ ଇଟାଲୀ ବନ୍ଦ କରିଦେଇଥିଲା । ନେଡିଗୁଡ଼ କହୁଣୀକୁ ବୋହି ଯାଇଥିଲେ ସୁଦ୍ଧା ୟୁରୋପ ମହାଦେଶର ଅନ୍ୟ ପ୍ରାନ୍ତରୁ ଚୀନ ସହ ବିମାନ ଉଡ଼ାଣ ଘାଇଁ ଘାଇଁ ଚାଲିଥିଲା । କୋଭିଡ-୧୯ ସିଧାସଳଖ ଚୀନର ସାରା ୟୁରୋପକୁ ବ୍ୟାପି ଯାଇଥିଲା । ଭାରତକୁ ପ୍ରଥମେ ଯେଉଁ କୋଭିଡ ୧୯ ସଂକ୍ରମିତ ଆସିଥିଲେ, ସେ ଚୀନର ଉହାନ ଫେରନ୍ତା ହୋଇଥିଲେ ସୁଦ୍ଧା ସେ ୟୁରୋପରୁ ସଂକ୍ରମିତ ହୋଇ ଆସିଥିଲେ । ମାର୍ଚ୍ଚ ୧୮ ତାରିଖ ବେଳକୁ ଭାରତ ସମଗ୍ର ୟୁରୋପ ଓ କିଛି ମଧ୍ୟପ୍ରାଚ୍ୟ ରାଷ୍ଟ୍ର ସହ ବିମାନ ସମ୍ପର୍କ ପୂରା ବନ୍ଦ କରିଦେଇଥିଲା । ସେତେବେଳକୁ ୟୁରୋପ ଏକ ଅଜ୍ଞ କରୋନା ଭୂତାଣୁ ରପ୍ତାନୀ କାରୀ ପାଲଟି ସାରିଥିଲା । ମାର୍ଚ୍ଚ ୧୦ ତାରିଖରେ କୋଭିଡ ୧୯ ଭୂତାଣୁ ଚିହ୍ନଟ ହୋଇସାରିଥିଲେ ସୁଦ୍ଧା ବିମାନ ଚଳାଚଳ ଉପରେ ନିଷେଧାଜ୍ଞା ଲାଗୁ କରିନଥିଲା । ଏ କ୍ଷେତ୍ରରେ ଆମେରିକା ମଧ୍ୟ କମ୍ ଦୋଷୀ ନୁହେଁ । ଅଥଚ ଚୀନ ସୀମାକୁ ଲାଗିଥିବା ମଙ୍ଗୋଲିଆ ଏହାର ପ୍ରଥମ କରୋନା ଆକ୍ରାନ୍ତ ପାଇଥିଲା ଜଣେ ଫ୍ରାନ୍ସ ଫେରନ୍ତା ନାଗରିକଙ୍କ ଠାରୁ । ଚୀନ ପଟୁ ନୁହେଁ । ଏପରିକି ଅନ୍ୟତମ ପଡ଼ୋଶୀ ରାଷ୍ଟ୍ର ଉତ୍ତର କୋରିଆ କୋଭିଡ-୧୯ ସଂକ୍ରମଣର କୌଣସି ଉଦାହରଣ ଏବେ ସୁଦ୍ଧା ପାଇନାହିଁ । ତେବେ ବିଶ୍ୱକୁ ଉତ୍ତର କୋରିଆ କହୁଥିବା ଏହି କଥାକୁ ଅନେକ ଲୋକ ଏବେ ସୁଦ୍ଧା ବିଶ୍ୱାସକୁ ନେଉ ନାହାନ୍ତି । କିନ୍ତୁ ଏହା ହିଁ ସତ୍ୟ ।