୫ ବଲ୍‌ରେ ୫ ଛକା ମାରି ରାତାରାତି ଷ୍ଟାର ରିଙ୍କୁ ସିଂ

୫ ବଲ୍‌ରେ ୫ ଛକା ମାରି ରାତାରାତି ଷ୍ଟାର ରିଙ୍କୁ ସିଂ

ନୂଆଦିଲ୍ଲୀ: ଶେଷ ୫ ବଲ୍‌ରେ ୫ ଛକା ମାରି କେକେଆର୍‌କୁ ଅବିଶ୍ବସନୀୟ ବିଜୟ ଭେଟି ଦେଇଥିବା ଯୁବ ବ୍ୟାଟର ରିଙ୍କୁ ସିଂହ ଏବେ ଚର୍ଚ୍ଚାରେ। ରାତାରାତି ଷ୍ଟାର ପାଲଟିଯାଇଥିବା ଏହି ବ୍ୟାଟର ଜଣଙ୍କର କ୍ରିକେଟ୍‌ ଯାତ୍ରା କିନ୍ତୁ ଅତ୍ୟନ୍ତ କଷ୍ଟଦାୟକ ଥିଲା। ଜଣେ ଚାଷୀ ପରିବାରରୁ ଆସିଥିବା ରିଙ୍କୁ ପ୍ରଥମରୁ କ୍ରିକେଟ୍‌ରେ ତିଷ୍ଠିବା ପାଇଁ ଅନେକ ସଂଘର୍ଷ କରିଛନ୍ତି।

ଏପରିକି ଟ୍ୟୁସନ୍‌ ସେଣ୍ଟରରେ ‌ଝାଡ଼ୁ ମାରିବା କାମ କରିବାକୁ ପଡ଼ିଛି। ହେଲେ ଲକ୍ଷ୍ୟ ସ୍ଥିର ଥିବାରୁ ସେ ଆଜି ତାଙ୍କ ସ୍ବପ୍ନରେ ଜିଉଁଛନ୍ତି ଏବଂ ନିଜ ପରିବାରକୁ ଆରାମଦାୟକ ସ୍ଥାନରେ ପହଞ୍ଚାଇଛନ୍ତି। ଉତ୍ତରପ୍ରଦେଶର ଆଲିଗଡ଼ରେ ବାପା ମା’ଙ୍କ ସହ ୫ ଭାଇଙ୍କୁ ନେଇ ରିଙ୍କୁଙ୍କ ପରିବାର। ତେଣୁ ପରିବାରର ବୋଝ ମୁଣ୍ଡେଇଥିବା ତାଙ୍କ ବାପା ରୋଜଗାର ପାଇଁ ଏଲ୍‌ପିଜି ସିଲିଣ୍ଡର ବୋହୁଥିଲେ। ବାପାଙ୍କୁ କାମରେ ସହଯୋଗ କରିବା ପାଇଁ ରିଙ୍କୁ ଓ ତାଙ୍କ ଭାଇ ବାଇକ୍‌ରେ ସିଲିଣ୍ଡର ନେଇ ବିଭିନ୍ନ ଘର ଓ ହୋଟେଲ୍‌ ମାନଙ୍କର ପହଞ୍ଚାଉଥିଲେ। ଘରଘର ବୁଲି ସିଲିଣ୍ଡର ପହଞ୍ଚାଇବା କାମରୁ ଯେତିକି ଟଙ୍କା ମିଳୁଥିଲା ସେଥିରେ ପରିବାର ଖର୍ଚ୍ଚର ଅଧା ବି ହୋଇପାରୁନଥିଲା। ତେଣୁ ପରିବାରର ସମସ୍ତଙ୍କୁ କିଛି ନା କିଛି କାମ କରିବାକୁ ପଡୁଥିଲା। ରାଜ୍ୟ ଦଳ ପାଇଁ ଖେଳିବା ପୂର୍ବରୁ ରିଙ୍କୁ ସ୍ଥାନୀୟ ଏକ ଟ୍ୟୁସନ୍‌ ସେଣ୍ଟରରେ ଝାଡ଼ୁ ମାରୁଥିଲେ। ପିଲାମାନେ ଟ୍ୟୁସନ୍ ଆସିବା ପୂର୍ବରୁ ରିଙ୍କୁ ଘର ଓଳାଇ ସାରିବା ପରେ ସେଠାରୁ ‌ଚାଲିଯାଉଥିଲେ। ଆର୍ଥିକ ଅବସ୍ଥା ସେତେଟା ସ୍ବଚ୍ଛଳ ନଥିବାରୁ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଅଧିକ ହୋଇପାରିନଥିଲା। ସେତେବେଳେ ପାଠପଢା ଅପେକ୍ଷା ଯଦି କ୍ରିକେଟ୍‌ ପାଇଁ କେହି ଚିନ୍ତା କରନ୍ତି, ତାହେଲେ ବାପାଙ୍କଠୁ ମାଡ଼ ଖାଇବାକୁ ପଡ଼ୁଥିଲା।

ତେଣୁ ଅନ୍ତଃକଲୋନି କିମ୍ବା ଅନ୍ତଃକ୍ଲବ୍‌ ମ୍ୟାଚ୍‌ ପାଇଁ ଟଙ୍କାର ଆବଶ୍ୟକତା ଥିଲା। କାରଣ ବଲ୍‌ କିଣିବା ପାଇଁ ପାଖରେ ସେତିକି ଟଙ୍କା ସେମାନଙ୍କ ପାଖରେ ନଥିଲା। ବାପା ଟଙ୍କା ଦେଉନଥିବାରୁ ତାଙ୍କ ମା’ ସଉଦା ଦୋକାନିଠାରୁ ହଜାରେ ଟଙ୍କା ଧାର ସୂତ୍ରରେ ଆଣୁଥିଲେ ଓ ରିଙ୍କୁ ଖେଳିବା ପରେ ସେଥିରୁ ମିଳୁଥିବା ପୁରସ୍କାର ଅର୍ଥ ଦ୍ବାରା ଧାର ଟଙ୍କା ସୁଝାଯାଉଥିଲା। ଏକଦା ଡିପିଏସ୍‌ ଆଲିଗଡ଼ ଦ୍ବାରା ବିଦ୍ୟାଳୟସ୍ତରୀୟ ବିଶ୍ବକପ୍‌ ଆୟୋଜନ କରାଯାଇଥିଲା। ସେଥିରେ ରିଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏହି ସମୟରେ ରିଙ୍କୁଙ୍କ ବାପା ପ୍ରଥମ ଥର ପାଇଁ ତାଙ୍କ ଖେଳ ଦେଖିବାକୁ ଆସିଥିଲେ। ବାପାଙ୍କ ଉପସ୍ଥିତିରେ ରିଙ୍କୁଙ୍କୁ ଗୋଟିଏ ବାଇକ୍‌ ଉପହାର ମିଳିଥିଲା। ଏହାପରଠୁ ବାପା କେବେବି ତାଙ୍କୁ ମାଡ଼ ମାରିନଥିଲେ ବୋଲି ରିଙ୍କୁ କହିଛନ୍ତି।