କାମ ଯୋଗାଇବାରେ ବିଫଳ ପ୍ରଶାସନ : ପୁଣି ପ୍ରବାସ ମୁହାଁ ଦାଦନ ଶ୍ରମିକ
କାମ ଯୋଗାଇବାରେ ବିଫଳ ପ୍ରଶାସନ : ପୁଣି ପ୍ରବାସ ମୁହାଁ ଦାଦନ ଶ୍ରମିକ
admin
Sep 10, 2020 - 09:14
Updated: Sep 10, 2020 - 09:14
ନିରଂଜନ ତ୍ରିପାଠୀ
ପଦ୍ମପୁର : ଦାଦନ ରୋକିବା ପାଇଁ କେନ୍ଦ୍ର ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାଦନ ପ୍ରବଣ ଅଞ୍ଚଳ ମାନଙ୍କରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ରେ ୧୦୦ ଦିନରୁ ୨୦୦ ଦିନକୁ କର୍ମଦିବସ ବୃଦ୍ଧି କରିଥିଲେ । କିନ୍ତୁ ପ୍ରଶାସନିକ ଅବହେଳା ଏବଂ ସ୍ଥାଣୁତା ଯୋଗୁଁ ଲୋକେ କାମ ନ ପାଇ ପୁଣି ଅଲଗା ରାଜ୍ୟକୁ ଫେରୁଛନ୍ତି । ଏଥିପାଇଁ ସହଯୋଗ କରୁଛନ୍ତି ଖୋଦ ବ୍ଲକ ପ୍ରଶାସନ ଏବଂ ପୋଲିସ । ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଜଗଦଲପୁର ଅଂଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଯେଉଁଠାରୁ ବିଧିବଦ୍ଧ ଭାବେ ପ୍ରଶାସନ ନିଜ ଦୋଷ ମେଣ୍ଟେଇ ନିଜର ଅପାରଗତାକୁ ଲୁଚେଇବା ପାଇଁ ଆଇନ ସମ୍ମତ ଭାବେ ଦାଦନ ଚାଲାଣ କରିବାକୁ ଯାଉଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଝାରବନ୍ଧ ବ୍ଲକ କିଛିଦିନ ପୂର୍ବରୁ ରାଜ୍ୟର ସବୁଠାରୁ ସଫଳ ଭାବେ ମନରେଗା କାମ କରିଥିବା ବ୍ଲକ ଭାବେ ସମ୍ମାନିତ ହୋଇଛି.
ଯଦି ସେହି ବ୍ଲକରୁ ଏଭଳି ଦାଦନ ଯାଉଛନ୍ତି ଲୋକେ ତେବେ ଶ୍ରମିକମାନେ କାମ କିଭଳି ଭାବେ କରୁଛନ୍ତି ତାହା ବିରାଟ ପ୍ରଶ୍ନବାଚୀ । ବୁଦ୍ଧିଜୀବୀଙ୍କ ମତରେ ଏହି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମିଛ ଲୋକଙ୍କୁ ଜବ କାର୍ଡ ମାଧ୍ୟମରେ ଟଙ୍କା ପ୍ରଦାନ କରାଯାଉଛି ଯେଉଁଥିରୁ ମୋଟା ଅଙ୍କର ଅର୍ଥ ବଡ଼ ବଡ଼ିଆ ବାବୁଙ୍କ ଜଳଖିଆ ଖର୍ଚ୍ଚ ରୂପେ ପକେଟକୁ ଯାଇଥାଏ । ଏଥିରେ ପ୍ରକୃତ ଶ୍ରମିକ କାମ ପାଇବାରୁ ବଞ୍ଚିତ ହୁଏ ଏବଂ ଏମାନଙ୍କୁ ଦାଦନ ଯିବାପାଇଁ ପରୋକ୍ଷ ଭାବେ ବ୍ଲକ ପ୍ରଶାସନ ତଥା ସରକାର ବାଧ୍ୟ କରନ୍ତି ।
ଏହାଛଡ଼ା ବର୍ତ୍ତମାନ କରୋନା ମହାମାରୀ ସମୟରେ ବରଗଡ଼ ଜିଲ୍ଲାରେ ସଂକ୍ରମଣ ଦ୍ରୁତ ଭାବରେ ବଢୁଥିବା ସମୟରେ କିଭଳି ଭାବେ ଏମାନେ ବାହାର ରାଜ୍ୟକୁ କାମ କରିଯିବେ ଏବଂ ସେଠାରେ ଯଦି ଗରିବ ନିରୀହ ଶ୍ରମିକ ମାନେ ସଂକ୍ରମିତ ହୁଅନ୍ତି ତେବେ କିଏ ଦାୟୀ ହେବ ତାହା ବିରାଟ ପ୍ରଶ୍ନବାଚୀ । କିଛିଦିନ ପୂର୍ବରୁ ଏକ ଘଟଣାରେ ବେଆଇନ ଶ୍ରମିକ ଚାଲାଣ ହେଉଥିବା ସମୟରେ ବସ ଦୁର୍ଘଟଣା ଘଟିବା ଫଳରେ ଆଠଜଣ ଶ୍ରମିକଙ୍କ ପ୍ରାଣହାନୀ ଘଟିଥିଲା । ଏଭଳି ସମୟରେ ଶ୍ରମିକ ଚାଲାଣ ବନ୍ଦ କରିବା ଉଚିତ ଏବଂ ଯଦି ଶ୍ରମିକ ଚାଲାଣ ଘଟୁଛି ତାହା ହେଲେ ଯଦି ରାସ୍ତାରେ ଯାଉଥିବା ସମୟରେ ଦୁର୍ଘଟଣା ଘଟେ କିମ୍ବା ତାମିଲନାଡୁ ଯାଇ ଶ୍ରମିକ ମାନେ କରୋନା ଆକ୍ରାନ୍ତ ହୁଅନ୍ତି ତେବେ ଝାରବନ୍ଧ ବ୍ଲକ ପ୍ରଶାସନ ଦାୟୀ ରହିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପାଇଁ ସଚେତନ ନାଗରିକବୃନ୍ଦ ଦାବୀ କରିଛନ୍ତି । ଏହାଛଡ଼ା କେବଳ ପଞ୍ଜିକୃତ ଶ୍ରମିକ ମାନଙ୍କୁ ହିଁ ବାହାର ରାଜ୍ୟକୁ ଯିବାପାଇଁ ଅନୁମତି ପ୍ରଦାନ କରାଯାଉ ଯାହାଫଳରେ ସେମାନଙ୍କ କିଛି ଅସୁବିଧା ହେଲେ ସରକାରୀ ସହାୟତା ମିଳିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।