ଦିଲ୍ଲୀରେ ବୃଦ୍ଧି ପାଇଛି ନାଗରିକ ସଂଶୋଧନ ଆଇନ ବିରୋଧି ହିଂସା, ମୃତୁ୍ୟ ସଂଖ୍ୟା ୩୪କୁ ବୃଦ୍ଧି ।
ଦିଲ୍ଲୀରେ ବୃଦ୍ଧି ପାଇଛି ନାଗରିକ ସଂଶୋଧନ ଆଇନ ବିରୋଧି ହିଂସା, ମୃତୁ୍ୟ ସଂଖ୍ୟା ୩୪କୁ ବୃଦ୍ଧି ।
admin
Feb 27, 2020 - 06:03
Updated: Feb 27, 2020 - 06:03
ରାଜଧାନୀ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଏବଂ ସମର୍ଥକଙ୍କ ମଧ୍ୟରେ ଚାଲିଥିବା ହିଂସା ଯୋଗୁ ଉତ୍ତର-ପୂର୍ବ ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ହୋଇଥିବା ଜଣାଯାଇଛି। ମୃତକଙ୍କ ମଧ୍ୟରେ ୨ ଜଣ ପୁଲିସ କର୍ମଚାରୀ ଥିବା ଜଣାଯାଇଛି। ତେବେ ଆଜି ପରିସ୍ଥିତି ଶାନ୍ତ ଥିବାର ସୂଚନା ମିଳିଛି। ଗତକାଲି ରାତି ସୁଦ୍ଧା ଏହି ହିଂସାରେ ୨୭ ଜଣ ପ୍ରାଣ ହରାଇଥିବା ବେଳେ ପ୍ରାୟ ୨୫୦ରୁ ଅଧିକ ଲୋକ ଆହତ ହୋଇଥିବାର ଖବର ମିଳିଥିଲା।
ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ। ଲୋକଙ୍କୁ ଶାନ୍ତିର ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସବୁ ପରିସ୍ଥିତିରେ ଶାନ୍ତି ଏବଂ ଭାଇଚାରା ବଜାୟ ରଖିବାକୁ ହେବ। ଦିଲ୍ଲୀରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ଅହରହ ପ୍ରୟାସ ଜାରି ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଜାତୀୟ ସୁରକ୍ଷା ପରମର୍ଶଦାତା ଅଜିତ ଡୋଭଲ ହିଂସାଗ୍ରସ୍ତ ଅଂଚଳରେ ଗତରାତିରୁ ଡେରା ପକାଇ ଉଭୟ ପକ୍ଷର ଲୋକଙ୍କ ସହିତ ଶାନ୍ତି ଓ ସଦ୍ଭାବ ବଜାୟ ରଖିବାକୁ ଆଲୋଚନା କରିଛନ୍ତି। ଦିଲ୍ଲୀ ପୁଲିସର ବରିଷ୍ଠ ଅଧିକାରୀଙ୍କ ସହିତ ଡୋଭାଲ ଦୁଇଟି ପର୍ଯ୍ୟାୟରେ ବୈଠକ କରି ପରିସ୍ଥିତି ନିୟନ୍ତ୍ରଣ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି।
ହିଂସାଗ୍ରସ୍ତ ଅଂଚଳରେ ପୁଲିସ କର୍ମୀ ମୁତୟନ ଥିବା ବେଳେ ରାପିଡ୍ ଆକ୍ସନ ଫୋର୍ସ ମୁତୟନ ମଧ୍ୟ ବଢ଼ାଇ ଦିଆଯାଇଛି। ଦିଲ୍ଲୀର ମୌଜପୁର, ଭଜନପୁରା ଏବଂ ଜାପରାବାଦରେ ଆଜି ବି ହିଂସା ଜାରି ରହିଥିବାରୁ ସୁରକ୍ଷା ବାହିନୀ ସେଠାରେ ଫ୍ଲାଗ୍ମାର୍ଚ କରିଛନ୍ତି।