ଫୋକସରେ କେନ୍ଦ୍ରାପଡା ବିଧାନସଭା କ୍ଷେତ୍ର

ଫୋକସରେ କେନ୍ଦ୍ରାପଡା ବିଧାନସଭା କ୍ଷେତ୍ର

ଫୋକସରେ କେନ୍ଦ୍ରାପଡା ବିଧାନସଭା କ୍ଷେତ୍ର
କେନ୍ଦ୍ରାପଡ଼ା: ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି । ଲୋକସଭା ସହ ଓଡିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓ ସିକିମ୍ ବିଧାନସଭା ପାଇଁ ଏକକାଳୀନ ନିର୍ବାଚନର ତାରିଖ ଓ କାର୍ଯ୍ୟସୂଚୀ ୭ ଟି ପର୍ଯ୍ୟାୟରେ ହେବାକୁ ସ୍ଥିର କରାଯାଇଛି । ଏହି ନିର୍ବାଚନ ପ୍ରକ୍ରିୟାରେ କେନ୍ଦ୍ରାପଡା ଲୋକସଭା ଆସନ ଓ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ୪ର୍ଥ ପର୍ଯ୍ୟାୟ ଏପ୍ରିଲ୍ ମାସ ୨୯ ତାରିଖରେ ଅନୁଷ୍ଠିତ ହେବ । ବିଭିନ୍ନ ରାଜନୈତିକ ଦଳ ମାନଙ୍କ ପକ୍ଷରୁ କେନ୍ଦ୍ରାପଡା ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଚୟନ ସ୍ଥିର କରାଯାଇପାରିନାହିଁ । ବିଜେଡି, ବିଜେପି, କଂଗ୍ରେସ ଭଳି ମୁଖ୍ୟ ରାଜନୈତିକ ଦଳ ମଧ୍ୟରୁ କେବଳ କଂଗ୍ରେସ ଦଳ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନାମ କେନ୍ଦ୍ରାପଡା ବିଧାନସଭା ପ୍ରାର୍ଥୀ ଭାବେ କେନ୍ଦ୍ରୀୟ କମିଟିକୁ ସୁପାରିଶ୍ କରିଥିବାବେଳେ ବିଜେଡି ଓ ବିଜେପିକୁ କେଉଁ ପ୍ରାର୍ଥୀକୁ ଟିକେଟ୍ ଦେଇ ନିର୍ବାଚନ ରଣକ୍ଷେତ୍ରକୁ ପଠାଇବ ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ବିଶେଷ କରି ଦୀର୍ଘ ୧୯ ବର୍ଷ ଧରି ଲଗାତାର ରାଜ୍ୟ ଶାସନ କରୁଥିବା ବିଜେଡି ଦଳ ବିଧାନସଭା ପାଇଁ କାହାକୁ ଟିକେଟ୍ ଦେବ ତାକୁ ନେଇ ରାଜନୈତିକ ଅଟକଳ ବାଜି ବଢିବାରେ ଲାଗିଛି । ଅନ୍ୟପକ୍ଷରେ ବିଜେଡିର ଲୋକପ୍ରିୟତାରେ ପ୍ରଲୁବ୍ଧ ନବାଗତ ଟିକେଟ୍ ଆଶାୟୀମାନେ ବ୍ୟାନର, ପୋଷ୍ଟର ଓ ସୋସିଆଲ୍ ମିଡିଆରେ ନିଜକୁ ବିଜ୍ଞାପିତ କରିବା ସହ ନିଜ ନିଜ ଅନୁଗତ ମାଧ୍ୟମରେ ବିଧାୟକ କିଶୋର ତରାଇ ଏ ନିର୍ବାଚନରେ ଟିକେଟ୍ ପାଇବେ ନାହିଁ ବୋଲି ଖୁବ୍ ପ୍ରଚାର ଚଳାଇଛନ୍ତି । ଏହାସହ ସମସ୍ତ ପ୍ରକାର ଉଦ୍ୟମ କରି ୨୦୧୪ ନିର୍ବାଚନରେ ଟିକେଟ୍ ହାସଲ କରିବାରେ ବିଫଳ ହୋଇ ଦୀର୍ଘ ୪ ବର୍ଷରୁ ଅଧିକ ସମୟ ରାଜନୈତିକ ଦୃଶ୍ୟପଟରୁ ଅଦୃଶ୍ୟ ହୋଇଥିବା ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୩୩% ମହିଳାଙ୍କ ପାଇଁ ସଂରକ୍ଷଣ ଘୋଷଣା ପରେ ପରେ ଅର୍ଥାତ୍ ଭୋଟ୍ ରାଜନୀତି ମଇଦାନରେ ଆବିର୍ଭାବ ହୋଇ ସଭା ସମିତି ସମାବେଶ, ସ୍ମୃତିସଭା ମାନଙ୍କରେ ଆଗ୍ରହର ସହ ଯୋଗଦାନ କରିବା ଘଟଣା ଆଲୋଚନାର ଖୋରାକ୍ ଯୋଗାଇଛି । ବିଜେଡି ଦୀର୍ଘ ୧୦ ବର୍ଷ ହେଲା ଏହି ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ୱ କରି ନିଜ ହାତରେ ରଖିଥିବାବେଳେ ଚଳିତ ନିବାଚନରେ ମଧ୍ୟ ବିଜୟୀ ହୋଇ ପ୍ରତିନିଧିତ୍ୱ କରିବାରେ ସଫଳ ହେବ ବୋଲି ଦୃଢ ଆଶା ରଖିଛି । ବିଜେଡି ବିଶେଷ କରି ନବୀନ ପଟ୍ଟନାୟକ ଯାହାକୁ ଟିକେଟ୍ ଦେବେ ସେ ଜିତିପାରିବ ବୋଲି ଦୃଢ ଧାରଣା ଥିବାରୁ ବିଜେଡିରୁ ପ୍ରାର୍ଥୀ ହେବାପାଇଁ ଆଶାୟୀଙ୍କ ସଂଖ୍ୟା ଲମ୍ବିଲମ୍ବି ଚାଲିଛି । ଏହାସହ ବର୍ତମାନର ବିଧାୟକ କିଶୋର ତରାଇ ଦ୍ୱିତୀୟବାର ପ୍ରାର୍ଥୀ ହେବାପାଇଁ ହକଦାର ଥିବାବେଳେ ପୂର୍ବ ବିଧାୟିକା ସିପ୍ରା ମଲ୍ଲିକ ତାଙ୍କ ଭଉଣୀ ସୁପ୍ରିୟା ମଲ୍ଲିକ, ନିରାକର ଦାସ, ମୁରଲୀଧର ସେଠୀ, ରାଜେଶ ଦାସ ପ୍ରମୁଖ ଟିକେଟ୍ ଲବିରେ ରହିଥିବା ଶୁଣିବାକୁ ମିଳିଛି । ଏହାସହ ଗତ ୫ ବର୍ଷ ମଧ୍ୟରେ କିଶୋରଙ୍କଠାରୁ ସମସ୍ତ ସୁବିଧା ସୁଯୋଗ ହାସଲ କରିସାରିଥିବା କିଛି ଦଳୀୟ କର୍ମୀ ଏବେ କିଶୋର ବିରୋଧୀ ଅଭିଯାନକୁ ଜୋରଦାର କରିଦେଇଛନ୍ତି । ନୂଆବର୍ଷର ଶୁଭେଚ୍ଛା ବ୍ୟାନର ଓ ହୋଡିଂରେ ଥିବା କିଶୋରଙ୍କ ମୁହଁରେ କଲାବୋଳି ତାଙ୍କୁ ବିରୋଧ କରିବା ଅଭିଯାନ ଜାନୁଆରୀ ମାସରୁ ଆରମ୍ଭ ହୋଇଥିଲା । ସମସ୍ତ ବିରୋଧ ଓ ଅପପ୍ରଚାର ସତ୍ୱେ ଏକମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରୁଅ ପଡିଆରେ ଏହା ଯୋଜନା କାଳିଆ ଯୋଜନାର କୃଷକ ସମାବେଶ ଓ ମିଶନ ଶକ୍ତି ମହିଳା ମହାସମାବେଶ ଭଳି ଦୁଇଟି ବିଶାଳ କାର୍ଯ୍ୟକ୍ରମର ସଫଳ ଆୟୋଜନ ଓ ପରିଚାଳନା କିଶୋରଙ୍କ ପାରିବା ପଣିଆକୁ ବଢାଇ ଦେଇଛି ଅପରପକ୍ଷରେ ଦଳ ଓ ଦଳର ସୁପ୍ରିମୋଙ୍କ ପ୍ରତି ଏକାନ୍ତ ଆନୁଗତ୍ୟ, ଦଳୀୟ କାର୍ଯ୍ୟକ୍ରମର ସଫଳ ରୂପାୟନ, ନିରନ୍ତର ଜନସଂପର୍କ ଓ ଭୋଟରଙ୍କ ସହ ସିଧାସଳଖ ଭାବ ବିନିମୟ ଓ ଜିଲ୍ଲାସ୍ତରୀୟ ନେତୃମଣ୍ଡଳୀଙ୍କ ସହ ସୁସଂପର୍କକୁ ଆଧାର କରି ପୁନର୍ବର୍ାର ଟିକେଟ୍ ମିଳିବାରୁ ଅସୁବିଧା ହେବ ନାହିଁ ବୋଲି ଦୃଢ ଆଶାବାଦୀ ଅଛନ୍ତି ବିଧାୟକ କିଶୋର ।