ବିଧାନସଭା ୩ଟା ଯାଏଁ ମୁଲତବୀ

ବିଧାନସଭା ୩ଟା ଯାଏଁ ମୁଲତବୀ

ବିଧାନସଭା ୩ଟା ଯାଏଁ ମୁଲତବୀ
ଭୁବନେଶ୍ୱର: ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ହଟ୍ଟଗୋଳ ହୋଇଛି । ଏହି ପରିପ୍ରେକ୍ଷୀରେ ବିରୋଧୀ ଦଳର ସଦସ୍ୟମାନେ ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ସର୍ବଦଳୀୟ ବୈଠକ ଡାକିବାକୁ ଦାବି କରିଛନ୍ତି । ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ସର୍ବଦଳୀୟ ବୈଠକ ଡାକିବାକୁ ବାଚସ୍ପତିଙ୍କ ଠାରେ ଦାବି କରିଛନ୍ତି । ଏପରିକି ସର୍ବଦଳୀୟ ବୈଠକକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ଡାକିବାକୁ ମଧ୍ୟ ବିରୋଧୀ ଦଳର ସଦସ୍ୟମାନେ ଦାବି କରିଛନ୍ତି । ଉକ୍ତ ସର୍ବଦଳୀୟ ବୈଠକରେ ସ୍କୁଲ ବନ୍ଦ ପ୍ରସଙ୍ଗରେ ଆଲୋଚନା କରିବାକୁ ବିରୋଧୀ ଦଳର ସଦସ୍ୟମାନେ ଦାବି କରିଛନ୍ତି । ତେବେ ଏନେଇ ହଟ୍ଟଗୋଳ ଲାଗି ରହିବାରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ପ୍ରକାଶ ଯେ, ସ୍କୁଲ ବନ୍ଦ ପ୍ରସଙ୍ଗରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସାନି ରୁଲିଂ ପ୍ରଦାନ କରିଛନ୍ତି । ଆସନ୍ତା କାଲି ସୁଦ୍ଧା ସ୍କୁଲ ବନ୍ଦ ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ଉତ୍ତର ରଖିବେ । ବିଧାୟକଙ୍କ ଉଦବେଗକୁ ଦେଖି ବାଚସ୍ପତି ରୁଲିଂ ବଦଳାଇଛନ୍ତି । ପୂର୍ବରୁ ୨ ଦିନ ମଧ୍ୟରେ ଏହି ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀ ଗୃହରେ ସ୍ପଷ୍ଟୀକରଣ ଦେବାକୁ ବାଚସ୍ପତି ରୁଲିଂ ଦେଇଥିଲେ । କାହିଁକି ସ୍କୁଲ ବନ୍ଦ କରାଯାଉଛି ସେନେଇ ମନ୍ତ୍ରୀ ଉତ୍ତର ରଖିବେ । ବନ୍ଦ କରାଯାଉଥିବା ସ୍କୁଲର ଛାତ୍ରଛାତ୍ରୀଙ୍କୁ କେଉଁଠି ନେବେ ସେନେଇ ମନ୍ତ୍ରୀ ସ୍ପଷ୍ଟୀକରଣ ରଖିବାକୁ ବାଚସ୍ପତି ରୁଲିଂ ଦେଇଥିଲେ । ତେବେ ବିଧାୟକଙ୍କ ଉଦବେଗକୁ ଦେଖି ବାଚସ୍ପତି ରୁଲିଂ ବଦଳାଇ ଆସନ୍ତାକାଲି ସୁଦ୍ଧା ଉପରୋକ୍ତ ବିଷୟରେ ଉତ୍ତର ରଖିବାକୁ ସାନି ରୁଲିଂ ଦେଇଛନ୍ତି । ଆଜି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହରେ ସ୍କୁଲ ବନ୍ଦ ପ୍ରସଙ୍ଗ ଉଠାଇଥିଲେ । ଶିକ୍ଷା ସମସ୍ତଙ୍କର ମୌଳିକ ଅଧିକାର । ତେଣୁ ସ୍କୁଲ ବନ୍ଦ ନକରିବା ପାଇଁ ନିଦେ୍ର୍ଧଶ ଦେବାକୁ ଶ୍ରୀ ମିଶ୍ର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ କହିଥିଲେ । ଏହାଛଡ଼ା କଂଗ୍ରେସ ବିଧାୟକ ତାରା ବାହିନୀପତି ମଧ୍ୟ ସ୍କୁଲ ବନ୍ଦ ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଛନ୍ତି । ପାହାଡ଼ିଆ ଅଞ୍ଚଳରେ ସ୍କୁଲ ବନ୍ଦ ହେଲେ ନଦୀ ପାହାଡ଼ ଡେଇଁ ଯିବାକୁ ପଡ଼ିବ । ଫଳରେ ଯେତିକି ପିଲା ଅଛନ୍ତି, ସେମାନେ ଡ୍ରପ ଆଉଟ ହେବେ । ଯିଏ ଏ ନିଷ୍ପତ୍ତି ନେଇଛନ୍ତି ପୁନର୍ବିଚାର କରନ୍ତୁ ବୋଲି ତାରା ବାହିନୀପତି କହିଛନ୍ତି ।