୪୭ରେ ବି ହଟ୍ ...

୪୭ରେ ବି ହଟ୍ ...

୪୭ରେ ବି ହଟ୍ ...

ମୁମ୍ବାଇ: ବୟସ ୪୭ । ଆଉ ୩ ବର୍ଷରେ ୫୦ ଛୁଇଁବ । ଦେଖିଲେ ଲାଗୁଛି, ଯେମିତି ୩୦ ଛୁଇଁନି । ଏବେ ବି ତାଙ୍କ ପତଳୀ ଅଣ୍ଟାର ଗୋଟିଏ ଝଟ୍କାରେ କୋଟି କୋଟି ଫ୍ୟାନ ଘାଇଲା । ତାଙ୍କ ଠୁମକା ଡ୍ୟାନ୍ସରେ ୟୁପିରୁ ବିହାର ଯାଏଁ ନିଆଁ ଲାଗିଯାଏ । ଏହି ଚିର ସବୁଜ ସୁନ୍ଦରୀ ନାୟିକା ହେଲେ ବଲିଉଡର ସ୍ମାଇଲି ଗାର୍ଲ ଶିଳ୍ପା ସେଟ୍ଟୀ । 

  ଆଜି ଶିଳ୍ପାଙ୍କ ଜନ୍ମଦିନ । ୧୯୭୫ ମସିହା ଜୁନ୍ ୮ରେ ଶିଳ୍ପା ଜନ୍ମଗ୍ରହଣ କରିଥିଲେ । ଆଜି ତାଙ୍କୁ ୪୬ ପୂରି ଚାଲିଲା ୪୭ । ଦୁଇଟି ସନ୍ତାନର ମା’ ଶିଳ୍ପା । ମାତ୍ର ତାଙ୍କ ଫିଟନେସ ଦେଖିଲେ କେହି ବି ତାଙ୍କୁ ବୟସ୍କା ବୋଲି କହିପାରିବେନି । ଭାରତରେ ଯୋଗ ଗୁରୁ ରାମଦେବଙ୍କ ଭଳି ଶିଳ୍ପା ବି ଯୋଗର ଓ ଫିଟନେସର ଅନ୍ୟତମ ପ୍ରମୁଖ ଆକର୍ଷଣ ବୋଲି କୁହାଯାଏ ।

  ୯୦ ଦଶକର ଆରମ୍ଭରେ ଶିଳ୍ପା ଫିଲ୍ମ ଦୁନିଆରେ ପାଦ ଥାପିଥିଲେ । ସେତେବେଳେ ତାଙ୍କୁ ୧୬ ବର୍ଷ ବୟସ । ବାଜିଗର ଫିଲ୍ମ ମାଧ୍ୟମରେ ଶିଳ୍ପା ବଲିଉଡରେ ଏଣ୍ଟ୍ରି ମାରିଥିଲେ। ବାସ୍, ପ୍ରଥମ ଫିଲ୍ମରେ ହିଁ ସେ ଜିତିନେଲେ କୋଟି କୋଟି ହୃଦୟ । ଯଦିଓ ଏହା ପୂର୍ବରୁ ବି ସେ ଏକ ଫିଲ୍ମ କରିଥିଲେ, ମାତ୍ର ତାହା ରିଲିଜ ହୋଇପାରିଲାନି । ବାଜିଗର ଫିଲ୍ମରେ ‘କିତା ବେ ବହୋତ ସି ପଢ଼ି ହୋଗି ତୁମ୍ନେ’ ଗୀତରେ ଶାହରୁଖ-ଶିଳ୍ପାଙ୍କ ଡ୍ୟାନ୍ସ ଆଜି ବି ଦର୍ଶକଙ୍କ ପସନ୍ଦ ।

  ବାଜିଗର ଫିଲ୍ମ ପରେ ଶିଳ୍ପା ଅନେକ ଫିଲ୍ମ କରିଥିଲେ । ତାଙ୍କ ହସ ଓ ନାଚ ଥିଲା ତାଙ୍କର ସବୁଠୁ ବଡ଼ ଆକର୍ଷଣ । ହେଲେ ମେ’ ଖିଲାଡି ତୁ ଅନାଡ଼ି ବ୍ୟତୀତ  କୌଣସି ଚଳଚ୍ଚିତ୍ରରେ ସେମିତି ବଡ଼ ସଫଳତା ମିଳିନଥିଲା ତାଙ୍କୁ । ମାତ୍ର ୨୦୦୦ ମସିହାରେ ରିଲିଜ ହେଲା ଧଡକନ । ଅକ୍ଷୟ କୁମାର ଓ ସୁନୀଲ ସେଟ୍ଟିଙ୍କ ସହ ଏ ଫିଲ୍ମରେ ଏମିତି ଅଭିନୟ କଲେ ଶିଳ୍ପା, ଯାହା ବଲିଉଡରେ ନୂଆ ଇତିହାସ ଲେଖିଲା ।ଏହାପରଠୁ ଶିଳ୍ପା ପାଲଟିଗଲେ ଷ୍ଟାର । କିନ୍ତୁ, ଧଡକନ ତାଙ୍କ କ୍ୟାରିୟରର ସବୁଠୁ ବଡ଼ ହିଟ୍ । ଏବେ ବି ବଲିଉଡରେ ତାଙ୍କର ଡିମାଣ୍ଡ ରହିଛି । ଅନେକ ରିଅଲିଟି ସୋ’ରେ ସେ ବିଚାରକ ବି ହୁଅନ୍ତି ।

  ତେବେ ଫିଲ୍ମ ସହ ଅନେକ ବିବାଦ ପାଇଁ ବି ଶିଳ୍ପା ଚର୍ଚ୍ଚାକୁ ଆସିଛନ୍ତି । ଫିଲ୍ମରେ କ୍ୟାରିୟର ଆରମ୍ଭ ସମୟରେ ଅକ୍ଷୟ କୁମାରଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଶିଳ୍ପା ଢେର ଚର୍ଚ୍ଚାରେ ଥିଲେ । ପରେ ଏ ସମ୍ପର୍କ ବେଶି ଆଗକୁ ବଢ଼ିନଥିଲା । ସବୁଠୁ ବେଶି ଚର୍ଚ୍ଚାକୁ ଆସିଲେ ସେତେବେଳେ, ଯେତେବେଳେ ସେ ଏକ ଆନ୍ତର୍ଜାତିକ ଟିଭି ସୋ’ରେ ବର୍ଣ୍ଣ ବୈଷମ୍ୟର ଶିକାର ହୋଇଥିଲେ । ଏହାକୁ ନେଇ ସେ ଆନ୍ତର୍ଜାତିକ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଥିଲେ । ସେଇ ସୋ’ ବିଗ୍ ବ୍ରଦରର ବିଜେତା ହୋଇଥିଲେ ଶିଳ୍ପା । 

  ଏକ ଚୁମ୍ବନକୁ ନେଇ ବି ଶିଳ୍ପା ଚର୍ଚ୍ଚାକୁ ଆସିଥିଲେ । ଡ୍ରାଇଭରମାନଙ୍କ ପାଇଁ ଏଡସ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ହେଉଥିଲା । ଏଥିରେ ଶିଳ୍ପାଙ୍କ ସହ ହଲିଉଡ ଅଭିନେତା ରିଚାର୍ଡ ଗେରେ ବି ଅତିଥି ଥିଲେ । କାର୍ଯ୍ୟକ୍ରମ ଚାଲିଥିବାବେଳେ ଅଚାନକ ଶିଳ୍ପାଙ୍କୁ ଧରି ତାଙ୍କ ମୁହଁରେ ଦୀର୍ଘ ସମୟ ଧରି କିସ୍ କରି ଚାଲିଥିଲେ ରିଚାର୍ଡ । ଶିଳ୍ପା ବି କିଛି ବୁଝିପାରିନଥିଲେ । ଏହାକୁ ନେଇ ଦେଶରେ ଗେରେଙ୍କ ବିରୋଧରେ ଅନେକ ପ୍ରଦର୍ଶନ ହୋଇଥିଲା । ମାତ୍ର ଶିଳ୍ପା ଏ ମାମଲାକୁ ବେଶି ଟାଣିନଥିଲେ । ଶିଳ୍ପାଙ୍କ ନାଁ ଅନେକ ଅଭିନେତାଙ୍କ ସହ ଯୋଡ଼ା ଯାଇଥିଲା । ମାତ୍ର ସେ ବିବାହ କରିଥିଲେ ଉଦ୍ୟୋଗପତି ରାଜ କୁନ୍ଦ୍ରାଙ୍କୁ । କୁନ୍ଦ୍ରା ବି ଅଶ୍ଳିଳ ଫିଲ୍ମ ନିର୍ମାଣ ଅଭିଯୋଗରେ ଗତ ବର୍ଷ ଗିରଫ ହେବା ପରେ ଶିଳ୍ପା ବେଶ ହଟହଟା ହୋଇଥିଲେ । ତଥାପି ନିଜ ଅଭିନୟ ମାଧ୍ୟମରେ ଶିଳ୍ପା ଏବେ ବି ଦର୍ଶକଙ୍କର ଅତି ପ୍ରିୟ ।