ପାକିସ୍ତାନରେ ଟମାଟୋ କିଲୋ ୩୦୦

ପାକିସ୍ତାନରେ ଟମାଟୋ କିଲୋ ୩୦୦

 ପାକିସ୍ତାନରେ ଟମାଟୋ କିଲୋ ୩୦୦
ଇସଲାମାବାଦ: ଜାମ୍ମୁ-କାଶ୍ମୀରରୁ ମୋଦୀ ସରକାର ଧାରା ୩୭୦ ଉଚ୍ଛେଦ କରିବାକୁ ନେଇଥିବା ନିଷ୍ପତ୍ତିରେ ବିଚଳିତ ପାକିସ୍ତାନ ଭାରତ ସହିତ ବାଣିଜ୍ୟ କାରବାର ବନ୍ଦ କରି ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିଛି। ଭାରତରୁ ଯୋଗାଣ ହେଉଥିବା ସାମଗ୍ରୀ ଉପରେ ପାକିସ୍ତାନ କଟକଣା ଲଗାଇବା ପରେ ସେଠାରେ ଟମାଟୋ କିଲୋଗ୍ରାମ ପିଛା ୩୦୦ ଟଙ୍କାରେ ପହଞ୍ଚିଛି। ପୂର୍ବରୁ ପାକିସ୍ତାନର ଅର୍ଥନୀତି ଭୁଶୁଡ଼ି ପଡ଼ିଥିବାବେଳେ ଦେଶବାସୀ ମହଙ୍ଗା ମାଡ଼ରେ ନୟାନ୍ତ ହୋଇଆସୁଛନ୍ତି। ଏପରିସ୍ଥିତିରେ ଭାରତରୁ କେତେକ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ବନ୍ଦ ହେବା ପରେ ଦରଦାମ ବୃଦ୍ଧି ଖାଉଟିଙ୍କୁ ହରଡ଼ଘଣାରେ ପକାଇଛି। ଟମାଟୋ ଦରରେ ଏଭଳି ବୃଦ୍ଧିରୁ ସ୍ପଷ୍ଟ ହୋଇଛି ଯେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତ ସହିତ ବାଣିଜ୍ୟ କାରବାର ବନ୍ଦ କରିବାକୁ ନେଇଥିବା ନିଷ୍ପତ୍ତିର କ୍ଷତି ସିଧାସଳଖ ଜନସାଧାରଣଙ୍କୁ ମୁଣ୍ଡାଇବାକୁ ପଡ଼ିବ। ସୂଚନାଯୋଗ୍ୟ, ଭାରତ ପକ୍ଷରୁ ପ୍ରତିଦିନ ସବୁଜ ପନିପରିବା, ବିଶେଷକରି ଟମାଟୋର ଏକ ବଡ଼ ଅଂଶ ପାକିସ୍ତାନକୁ ଯୋଗାଣ ହୋଇଥାଏ। ଫଳରେ ସେଠାରେ ପନିପରିବା ଏବଂ ଟମାଟୋ ଦର ନିୟନ୍ତ୍ରଣ ମଧ୍ୟରେ ରହିଥାଏ। କିନ୍ତୁ ପାକିସ୍ତାନ ସରକାରଙ୍କ ବାଣିଜ୍ୟ କାରବାର ବନ୍ଦ କରିବା ନିଷ୍ପତ୍ତି ପରେ ଭାରତରୁ ଟମାଟୋ ଯୋଗାଣ ବନ୍ଦ ରହିଛି।