ବ୍ୟବଚ୍ଛେଦ ରିପୋର୍ଟରେ ଶ୍ବାସରୁଦ୍ଧ : ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲା

ବ୍ୟବଚ୍ଛେଦ ରିପୋର୍ଟରେ ଶ୍ବାସରୁଦ୍ଧ : ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲା

ଭୁବନେଶ୍ବର: ହୋଟେଲ୍‌ ଦୀପାଳିରେ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁ ଏବେ ଚର୍ଚ୍ଚାରେ ଥିବାବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି। ଆଜି କ୍ୟାପିଟାଲ୍ ହସ୍ପିଟାଲ୍‌ ପକ୍ଷରୁ ବ୍ୟବଚ୍ଛେଦ ରିପୋର୍ଟ ଲକ୍ଷ୍ମୀସାଗର ଥାନା ପୁଲିସକୁ ହସ୍ତାନ୍ତର କରାଯାଇଛି। ସେଥିରେ କୁହା ଯାଇଛି, ବ୍ୟବଚ୍ଛେଦ ସମୟର ୨୪ରୁ ୩୬ ଘଣ୍ଟା ମଧ୍ୟରେ ତାଙ୍କ ମୃତ୍ୟୁ ଘଟିଥିଲା। ଶ୍ବାସରୁଦ୍ଧ ଯୋଗୁଁ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେ ଝୁଲିପଡ଼ିଥିବାରୁ ତାଙ୍କ ବେକରେ ଓଢ଼ଣି ଦାଗ ରହିଛି।

ଏହାଛଡ଼ା ଶରୀର ଅନ୍ୟ କୌଣସି ସ୍ଥାନରେ କ୍ଷତଚିହ୍ନ ନଥିବା ସ୍ପଷ୍ଟ ହୋଇଛି। ଅନ୍ୟପଟେ ତାଙ୍କୁ ନିଶା କିମ୍ବା କୌଣସି ବିଷାକ୍ତ ଖାଦ୍ୟ ଦିଆଯାଇଥିବା ନେଇ ସନ୍ଦେହ କରାଯାଉଛି। ତେଣୁ ତାଙ୍କର ଭିସେରା ପରୀକ୍ଷା କରାଯିବ। ଭିସେରାକୁ ଏସ୍‌ଏଫ୍‌ଏସ୍‌ଏଲ୍‌କୁ ପଠାଯିବ ବୋଲି ଲକ୍ଷ୍ମୀସାଗର ଥାନା ପକ୍ଷରୁ କୁହାଯାଇଛି। ଭିସେରା ରି‌ପୋର୍ଟ ଆସିବା ପରେ ମୃତ୍ୟୁ ପଛର ଗୁମର ଖୋଲିବ ବୋଲି ଜଣାପଡ଼ିଛି।