ଅଡୁଆରେ ବିଧାୟକ ତାରା
ଅଡୁଆରେ ବିଧାୟକ ତାରା
admin
Mar 16, 2020 - 08:57
Updated: Mar 16, 2020 - 08:57
ଜୟପୁର: ବିଧାୟକ ପଦମର୍ଯ୍ୟାଦାକୁ ଦୁରୁପଯୋଗ କରି ଧାନ ବିକିଥିବା ଅଭିଯୋଗ ଆସିବା ପରେ କଂଗ୍ରେସର ଟାଣୁଆ ବିଧାୟକ ତାରା ପ୍ରସାଦ ବାହିନୀପତି ଅଡୁଆରେ ପଡ଼ିଛନ୍ତି । ଜିଲ୍ଲାରେ ଚାଷୀ ଧାନ ବିକ୍ରି କରିବା ପାଇଁ ଟୋକନ ପାଉନଥିବା ବେଳେ ବିଧାୟକ ମଣ୍ଡିରେ ଅନୁପସ୍ଥିତ ରହି ବି କିଭଳି ୫୦୦ କୁଇଣ୍ଡାଲ ଧାନ ବିକ୍ରି କରିଛନ୍ତି ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି କୋରାପୁଟ ଜିଲ୍ଲା ୟୁଥ ଅର୍ଗାନାଇଜେସନ ଆବାହକ ରବୀନ୍ଦ୍ର ମହାପାତ୍ର ।
ସ୍ଥାନୀୟ ବାବା ସାହେବ କଲ୍ୟାଣ ମଣ୍ଡପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ବିଧାୟକ ଜାନୁଆରି ୩୦ ତାରିଖରେ ମହାଦେଇପୁଟ ମଣ୍ଡିରେ ଧାନ ବିକିଥିବା ନେଇ ଦର୍ଶାଯାଇଥିବା ବେଳେ ଉକ୍ତ ଦିନ ତମାମ ସେ ବିଭିନ୍ନ କାର୍ଯ୍ୟକ୍ରମରେ ରହିଥିଲେ । ସେ କିପରି ଜୟପୁର ସହରଠାରୁ ୬୦ କିଲୋମିଟର ଦୂରରେ ଥିବା ଏହି ମଣ୍ଡିରେ ଧାନ ବିକ୍ରି କଲେ? ସେଭଳି ଜାନୁଆରି ୧୩ ତାରିଖ ଦିନ ବିଧାୟକ ରାୟଗଡ଼ାରେ ସ୍ୱର୍ଗତ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁର ତଦନ୍ତ ଦାବି କରି ଆନ୍ଦୋଳନରେ ଥିଲେ । କେତେବେଳେ ସେ ଆଇ ସ୍କାନର ଓ ଫିଙ୍ଗର ପ୍ରିଣ୍ଟ ଦେଇ ଧାନ ବିକିଲେ ବୋଲି ପ୍ରଶ୍ନ କରିଛନ୍ତି । ସେଭଳି ରେଙ୍ଗାଗୁଡ଼ା ମୌଜାର ଖାତା ନମ୍ବର ୬୦/୧୧୮, ୮/୨୩ ଓ ୮/୨୪ରେ ୧୨ଟି ପ୍ଲଟ, ଯାହା ଡଙ୍ଗର-୨ ବୋଲି ରାଜସ୍ୱ ବିଭାଗ ତଥ୍ୟ ଦେଇଛନ୍ତି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ସେଥିରେ ପୂର୍ବ ଋତୁରେ ଧାନ ବିକା ହୋଇନାହିଁ । ତୁମୁରିପୁଟ ଲ୍ୟାମ୍ପସରେ ତାରାପ୍ରସାଦ ବାହିନୀପତି ୨୦ ଜାନୁଆରିରେ ଟୋକନ ନମ୍ବର ୨୮, ୬ ଜାନୁଆରିରେ ଟୋକନ ନମ୍ବର ୪୩, ୩ ଫେବୃୟାରୀରେ ଟୋକନ ନମ୍ବର ୪୨, ୨୭ ଜାନୁଆରିରେ ଟୋକନ ନମ୍ବର ୨୯ ଓ ୧୩ ଜାନୁଆରିରେ ଟୋକନ ନମ୍ବର ୨୭ ରେ ମୋଟ ୫୦୦ କୁଇଣ୍ଟାଲ ଧାନ ବିକ୍ରି କରିଥିବା କହିଥିଲେ । ଉକ୍ତ ଜମି ପାହାଡ଼ିଆ, ପଥୁରିଆ ହୋଇଥିବା ବେଳେ ଏଠି ଆମ୍ବ ବଗିଚା ରହିଥିବା ସେ କହିଛନ୍ତି । ଏହି ଜମିରେ ଖରିଫୠତୁରେ ୫୦୦ କୁଇଣ୍ଟାଲ ଧାନ ଫଳାଇ ବିଧାୟକ ୯ ଲକ୍ଷ ୭ ହଜାର ୫୦୦ ଟଙ୍କା ସରକାରଙ୍କ ଠାରୁ ନେଇଛନ୍ତି । ଏହି ମଣ୍ଡିରେ ୮୬ ଜଣ ଚାଷୀ ଟୋକନ ପାଇବାକୁ ଅପେକ୍ଷା କରିଥିବା ବେଳେ ୧୭ ଜଣ ଚାଷୀ ଟୋକନ ପାଇଁ ୧୦.୪୭.୫୦ କୁଇଣ୍ଟାଲ ଧାନ ବିକିଛନ୍ତି । ଏଥିରେ ବିଧାୟକଙ୍କର ୫୦୦ କୁଇଣ୍ଟାଲ ଧାନ ରହିଛି । ସରକାରୀ ଲୋକଙ୍କୁ ଧରି ବିଧାୟକ ବେଆଇନ ଭାବେ ଧାନ ବିକିଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଶ୍ରୀ ମହାପାତ୍ର । ଏହି ସାମ୍ବାଦିକ ସମ୍ମିଳନୀରେ ଆଲୋକ ନାଇକ, ଜଗା ହରିଜନ, କାହ୍ନୁ ହରିଜନ ଓ ସନ୍ତୋଷ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏ ନେଇ ବିଧାୟକ ତାରାପ୍ରସାଦ ବାହିନୀପତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ କିଏ କହିଲା ମୁଁ ଆଇ ସ୍କାନ କରିନାହିଁ । ମୁଁ ୫ ଥର ଆଇ ସ୍କାନ କରି ଧାନ ବିକ୍ରି କରିଛି । ଯେଉଁମାନଙ୍କର ସ୍ଥିତି ନାହିଁ, ବିଭିନ୍ନ ଲୋକଙ୍କ ବିରୋଧରେ ଯାଇ ଯେଉଁମାନେ ଆରଟିଆଇରେ ଚଳୁଛନ୍ତି ସେମାନଙ୍କ କଥାରେ ପ୍ରଭାବିତ ହେବା ଉଚିତ ନୁାହେଁ । ଯୁଗ୍ମ କମିଟିର ତଦନ୍ତରେ ମୁଁ ସହଯୋଗ କରିବି ବୋଲି ବିଧାୟକ କହିଛନ୍ତି । ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲାରେ ୧୨ ଜଣ ଚାଷୀ ଚଳିତ ଋତୁରେ ୫୦୦ କୁଇଣ୍ଟାଲରୁ ଅଧିକ ଧାନ ବିକ୍ରି କରିଛନ୍ତି । ସେଥିମଧ୍ୟରୁ ଏକାଧିକ ଚାଷୀ ଅନୁପସ୍ଥିତ ରହି ବିକ୍ରି କରିଥିବା ଅଭିଯୋଗ ହୋଇଛି । ଏବେ ସୁଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗଠିତ ଯୁଗ୍ମ କମିଟି ରିପୋର୍ଟ ଦାଖଲ କରିଛି କି ନାହିଁ ତାହା ଜଣାପଡ଼ିନାହିଁ ।