ଅବସରପ୍ରାପ୍ତ ରେଞ୍ଜରଙ୍କ ଘରୁ ମିଳିଲା ସାଢେ଼ ୪ କୋଟିର ସମ୍ପତ୍ତି

ଅବସରପ୍ରାପ୍ତ ରେଞ୍ଜରଙ୍କ ଘରୁ ମିଳିଲା ସାଢେ଼ ୪ କୋଟିର ସମ୍ପତ୍ତି

ଅବସରପ୍ରାପ୍ତ ରେଞ୍ଜରଙ୍କ ଘରୁ ମିଳିଲା ସାଢେ଼ ୪ କୋଟିର ସମ୍ପତ୍ତି
ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବାଲୁଗାଁର ଅବସରପ୍ରାପ୍ତ ଫରେଷ୍ଟ ରେଞ୍ଜର ଅଭୟ କୁମାର ଜେନା । ମଙ୍ଗଳବାର ଭିଜିଲାନ୍ସ ଟିମ ତାଙ୍କ କେନ୍ଦ୍ରାପଡ଼ାସ୍ଥିତ ପୈତୃକ ଘର, କଟକ ସ୍ଥିତ ଆବାସିକ ଘର, ଅଫିସ, ବାଲୁଗାଁ କ୍ୱାର୍ଟର୍ସକୁ ମିଶାଇ ମୋଟ ୫ଟି ସ୍ଥାନରେ ଚଢ଼ଉ କରିଥିଲା । ସେଠାରୁ ୪ କୋଟି ୩୭ ଲକ୍ଷ ୭୯ ହଜାର ୯୫୦ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଛି ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ । ଶ୍ରୀ ଜେନାଙ୍କୁ ଭିଜିଲାନ୍ସ ଅଟକ ରଖି ଜେରା କରୁଛି । ତାଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ଭୁବନେଶ୍ୱର ଭିଜିଲାନ୍ସ ସେସ୍ପାଲ ଜର୍ଜଙ୍କ ଠାରୁ ସର୍ଟ ୱାରେଣ୍ଟ ଆଣିବା ପରେ ମଙ୍ଗଳବାର ୫ ଟିମ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଥିଲା । ତାପରେ ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଟକା ହୋଇଯାଇଛି । ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି ଭୁବନେଶ୍ୱରରେ ୩ ମହଲା କୋଠା ଯାହାର ମୂଲ୍ୟ ୧ କୋଟି ୨୭ ଲକ୍ଷ ୩୪ ହଜାର ୩୮୩ ଟଙ୍କା, କଟକରେ ୧ ଲକ୍ଷ ୩୩ ହଜାର ୬୧୩ ଟଙ୍କାର ଏକ କୋଠା, କଟକ ଓ ଭୁବନେଶ୍ୱରର ୯ଟି ପ୍ଲଟ ଯାହାର ମୂଲ୍ୟ ୨ କୋଟି ୧୩ ଲକ୍ଷ ୯୧ ହଜାର ଟଙ୍କା, କେନ୍ଦ୍ରାପଡ଼ା ବାଙ୍ଗଲପୁର ପୈତୃକ ଘରେ ୭ ଲକ୍ଷ ୫୬ ହଜାର ୭୭୮ ଟଙ୍କାର ଅଂଶ ରହିଛି । ତା ଛଡା ୫୬ ଲକ୍ଷ ଟଙ୍କା ବ୍ୟାଙ୍କ ଡିପୋଜିଟ, ୧୩ ଲକ୍ଷ ୯୬ ହଜାର ୪୨୦ ଟଙ୍କା ମୂଲ୍ୟରେ ୨ଟି କାର, ୪୬ ହଜାର ୬୮୩ ଟଙ୍କା ମୂଲ୍ୟର ବାଇକ, ୧ ଲକ୍ଷ ୮୪ ହଜାର ୨୦୦ ଟଙ୍କା ମୂଲ୍ୟର ସୁନା ଓ ରୂପା ଅଳଙ୍କାର, ନଗଦ ୩୬ ହଜାର ୫୦୦ ଟଙ୍କା ଶ୍ରୀ ଜେନାଙ୍କ ଘରୁ ଜବତ ହୋଇଛି । ତା ଛଡ଼ା ୧୪ ଲକ୍ଷ ୯୧ ହଜାର ୩୦୦ ଟଙ୍କା ଦାମୀ ଗୃହ ଉପକରଣ ଜବତ କରିଛି ଭିଜିଲାନ୍ସ । ଅନୁସନ୍ଧାନ ପ୍ରକି୍ରୟାରେ ଅବସରପ୍ରାପ୍ତ ଫରେଷ୍ଟ ରେଞ୍ଜର ଶ୍ରୀ ଜେନାଙ୍କ ଘରୁ ମୋଟ ୪ କୋଟି ୩୭ ଲକ୍ଷ ୭୯ ହଜାର ୯୫୦ ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଚଳିତ ବର୍ଷ ରାଜ୍ୟ ଭିଜିଲାନ୍ସର ଏହା ହେଉଛି ବଡ଼ ସଫଳତା ।