ଆଜି, କାଲି ନିର୍ଘାତ ବର୍ଷା

ଆଜି, କାଲି ନିର୍ଘାତ ବର୍ଷା

ଆଜି, କାଲି ନିର୍ଘାତ ବର୍ଷା


ଭୁବନେଶ୍ୱର: ଲଗାଣ ବର୍ଷା ଜାରି ରହିଛି ଉପକୂଳ ଓଡ଼ିଶାରେ । ଆଜି ଏମିତି ବର୍ଷା ଲାଗି ରହିବ । ଆସନ୍ତାକାଲି ମଧ୍ୟ ପ୍ରବଳ ବର୍ଷା ଜାରି ରହିବ । ୧୪ରୁ ବର୍ଷା ପ୍ରଭାବ କ୍ରମଶଃ କମିବ ।

  ଆଜି ଅଧିକାଂଶ ସ୍ଥାନରେ ବର୍ଷା ହେବ । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଭଦ୍ରକ, ଯାଜପୁରରେ ପ୍ରବଳରୁ ପ୍ରବଳତର ବର୍ଷା ଲାଗି ରହିବ । ଏସବୁ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ କେତେକ ତଳି ଅଂଚଳରେ ପାଣି ପଶିଛି । ଏହାବାଦ୍ ଗଂଜାମ, ବାଲେଶ୍ୱର, ନୟାଗଡ଼, ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ସୋନପୁର, ବଲାଙ୍ଗିର, ମୟୂରଭଞ୍ଜରେ ପ୍ରବଳ   ନେଇ ସତର୍କ କରାଯାଇଛି । ୧୩ ତାରିଖ (ସୋମବାର) ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ହେଲେ ଉପକୂଳ ତୁଳନାରେ ଆଭ୍ୟନ୍ତରୀଣ ଅଂଚଳରେ ଅଧିକ ବର୍ଷା ହେବ । ଅନୁଗୁଳ, ଦେବଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର,  ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗିର, ସୋନପୁରରେ ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା ଅଛି । କେତେକ ଜାଗାରେ ଅତି ପ୍ରବଳ ବର୍ଷା ହୋଇପାରେ । କଳାହାଣ୍ଡି, କଟକ, କନ୍ଧମାଳ, ବୌଦ୍ଧ, ନୂଆପଡ଼ା, ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହୋଇପାରେ । ଏ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ଜିଲ୍ଲା ପ୍ରଶାସନକୁ ସତର୍କ କରାଯାଇଛି । ସମୁଦ୍ର ଅଶାନ୍ତ ରହିବା ସହ ଉପକୂଳରେ ୪୫ରୁ ୫୫ କିମି ବେଗରେ ପବନ ବହିବା ଆଶଙ୍କା ଥିବାରୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଲଗାତାର ଦୁଇଟି ଲଘୁଚାପ ଯୋଗୁ ରାଜ୍ୟରେ ବର୍ଷା ଅଭାବଜନିତ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । 

  ଶନିବାର ରାତିରୁ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି । ବିଶେଷ କରି କଟକ-ଭୁବନେଶ୍ୱରରେ ଆଜି ସକାଳବେଳା ପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ରବିବାର ବଜାର ମଧ୍ୟ ମାନ୍ଦା ପଡ଼ିଛି ।