ଆଜିଠୁ କଂଗ୍ରେସ ପ୍ରେରକମାନଙ୍କୁ ତାଲିମ କାର୍ଯ୍ୟକ୍ରମ

ଆଜିଠୁ କଂଗ୍ରେସ ପ୍ରେରକମାନଙ୍କୁ ତାଲିମ କାର୍ଯ୍ୟକ୍ରମ

ଆଜିଠୁ କଂଗ୍ରେସ ପ୍ରେରକମାନଙ୍କୁ ତାଲିମ କାର୍ଯ୍ୟକ୍ରମ
ଭୁବନେଶ୍ୱର: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ମଙ୍ଗଳବାରଠୁ କଂଗ୍ରେସ ଆରମ୍ଭ କରିବ ଅଭିଯାନ । ଏଥିପାଇଁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ । ଆଜି କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି ଏଆଇସିସି ସାଧାରଣ ସମ୍ପାଦକ ଶ୍ରୀ ସିଂହଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି । ଶ୍ରୀ ପଟ୍ଟନାୟକ କହିଥିଲେ, ଅକ୍ଟୋବର ପହିଲାରେ କଂଗ୍ରେସ ଭବନରେ ଶ୍ରୀ ସିଂହ ପ୍ରେରକମାନଙ୍କୁ ତାଲିମ ପ୍ରଦାନ କରିବେ । ୨ ତାରିଖ ଦିନ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ଥାନୀୟ ଜନତା ମଇଦାନ ସ୍ଥିତ ଗାନ୍ଧୀ ପଡ଼ିଆରୁ ସକାଳ ୮ଟାରେ ପଦଯାତ୍ରା ଆରମ୍ଭ ହୋଇ କଂଗ୍ରେସ ଭବନରେ ଶେଷ ହେବ । ପଦଯାତ୍ରା ସମୟରେ ଦେଶ ପାଇଁ କଂଗ୍ରେସ ଓ ଗାନ୍ଧୀଙ୍କ ଅବଦାନ ସମ୍ପର୍କରେ ପ୍ରଚାରପତ୍ର ପ୍ରଦର୍ଶନ କରାଯିବ । ସେହିପରି ବିଜେପୁର ଉପନିର୍ବାଚନ ପ୍ରସ୍ତୁତି ପାଇଁ ୩ ତାରିଖରେ କଂଗ୍ରେସ ପ୍ରଭାରୀ ଶ୍ରୀ ସିଂହ ବିଜେପୁର ଗସ୍ତ କରି ସେଠାରେ ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗଦେବେ । ୪ ତାରିଖରେ ଭୁବନେଶ୍ୱର ସ୍ଥିତ ପିସିସି କାର୍ଯ୍ୟାଳୟରେ ସେ ବୁଦ୍ଧିଜୀବୀମାନଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଥିବା ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ । ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ଲୋକଙ୍କ ସହଯୋଗ ଉପରେ ନିର୍ଭର କରୁଛି । ଉପନିର୍ବାଚନ ଖର୍ଚ୍ଚ ତୁଲାଇବା ପାଇଁ ଗତ ୩ ଦିନ ଭିତରେ ଦଳ ୧ ଲକ୍ଷ ୧୦ ହଜାର ଟଙ୍କା ସଂଗ୍ରହ କରିଛି । ପାଣ୍ଠି ସଂଗ୍ରହ ନେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ, ପ୍ରଥମ ଦିନରେ ୭୫ ହଜାର ଟଙ୍କା ମିଳିଥିବା ବେଳେ ଦ୍ୱିତୀୟ ଦିନରେ ୨୫ ହଜାର ଟଙ୍କା ଓ ତୃତୀୟ ଦିନ ସକାଳ ସୁଦ୍ଧା ମିଳିଛି ୧୦ ହଜାର ଟଙ୍କା । ଶ୍ରୀ ପଟ୍ଟନାୟକ କହିଥିଲେ, ନିର୍ବାଚନ ଖର୍ଚ୍ଚ ତୁଲାଇବା ପାଇଁ କଂଗ୍ରେସ ଦଳ ପାଖରେ ଟଙ୍କା ନାହିଁ । ପୁଞ୍ଜିପତିମାନଙ୍କ ଟଙ୍କାରେ ବିଜେଡି ଓ ବିଜେପି ଯେପରି ନିର୍ବାଚନରେ ପ୍ରଚୁର ଅର୍ଥ ଖର୍ଚ୍ଚ କରୁଛନ୍ତି, ସେଭଳି କଂଗ୍ରେସ କରେ ନାହିଁ । ଏହା ଦଳର ନୀତି ଆଦର୍ଶ ବିରୋଧୀ । ବିଜେପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସାଧାରଣ ଜନତା ଓ କର୍ମୀମାନଙ୍କଠୁ ମିଳିଥିବା ସାହାଯ୍ୟ ଅର୍ଥରେ ନିର୍ବାଚନ ଲଢ଼ିବେ ବୋଲି ସେ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ସଂପାଦକ ଜି.ରୁଦ୍ରରାଜୁ ଉପସ୍ଥିତ ଥିଲେ ।