୫ ବର୍ଷ ହେଲା ରାଜ୍ୟରେ ୧୮୯ ଶିକ୍ଷକ ନିଖୋଜ

୫ ବର୍ଷ ହେଲା ରାଜ୍ୟରେ ୧୮୯ ଶିକ୍ଷକ ନିଖୋଜ

୫ ବର୍ଷ ହେଲା ରାଜ୍ୟରେ ୧୮୯ ଶିକ୍ଷକ ନିଖୋଜ
ଭୁବନେଶ୍ୱର : ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୫ ବର୍ଷ ଧରି ରାଜ୍ୟରେ ୧୮୯ ଶିକ୍ଷକ ନିଖୋଜ ଅଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାଗଜକଲମରେ ସେମାନଙ୍କ ନାଁ ଗଡ଼ୁଛି । ହେଲେ ସେମାନେ ସ୍କୁଲକୁ ଆସୁନାହାନ୍ତି କି କାର୍ଯ୍ୟରେ ଯୋଗ ଦେଉନାହାନ୍ତି । ଏମିତିକି କେତେଜଣ ଶିକ୍ଷକ ୨୦୦୭ ରୁ ଅନୁପସ୍ଥିତ ଅଛନ୍ତି । ସେମାନଙ୍କ ଟେର୍ ମିଳୁନି । ତାଲିକାରେ କିଛି କର୍ମଚାରୀ ମଧ୍ୟ ରହିଛିନ୍ତି । ତେଣୁ ନିଖୋଜ ଶିକ୍ଷକଙ୍କୁ ଖୋଜିବାକୁ ଉଦ୍ୟମ ଆରମ୍ଭ କରିଛି ଗଣଶିକ୍ଷା ବିଭାଗ । ସେମାନଙ୍କୁ ଚିହ୍ନଟ କରିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ମିଳିଥିବା ରିପୋର୍ଟ ଅନୁଯାୟୀ, ୧୮୯ ଜଣ ଶିକ୍ଷକ ଓ କର୍ମଚାରୀ ଦୀର୍ଘ ୫ ବର୍ଷ ହେଲା ଅନୁପସ୍ଥିତ ଅଛନ୍ତି । ଅନୁପସ୍ଥିତ ସମ୍ପର୍କରେ ସେମାନେ କାହାକୁ ଅବଗତ କରିନାହାନ୍ତି । ବେଆଇନ ଭାବେ ରହୁଛନ୍ତି । ସେମାନଙ୍କୁ ଚିହ୍ନଟ କରି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ସହ ଆଉ କାର୍ଯ୍ୟରେ ଯୋଗ ଦେବାକୁ ଅନୁମତି ଦିଆନଯିବାକୁ କୁହାଯାଇଛି । ୧୯୬୨ ମସିହା ଓସିଏସ (ସିସି ଆଣ୍ଡ ଏ) ନିୟମର ରୁଲ-୧୫ ଅନୁଯାୟୀ ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଅନୁପସ୍ଥିତ ଥିବା ୧୮୯ ଜଣ ଶିକ୍ଷକ ଓ କର୍ମଚାରୀଙ୍କ ମଧ୍ୟରୁ ୧୦୮ ଜଣ ଚୁକ୍ତିଭିତ୍ତିକ ରହିଛନ୍ତି । ତେଣୁ ସେମାନଙ୍କ ବାର୍ଷିକ ଚୁକ୍ତି ଅବଧି ନବୀକରଣ ନ କରିବାକୁ କୁହାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ ୧୫ ଜଣ ଶିକ୍ଷକ ଓ କର୍ମଚାରୀ ଅନୁପସ୍ଥିତ ଅଛନ୍ତି । ଏହା ତଳକୁ ଯାଜପୁରରେ ୧୧, କଳାହାଣ୍ଡି, ନବରଙ୍ଗପୁର ଓ ଗଞ୍ଜାମରେ ୧୦ ଜଣ ଲେଖାଏଁ, କନ୍ଧମାଳରେ ୯, ମୟୂରଭଞ୍ଜ, ଢେ଼ଙ୍କାନାଳ ଓ ଗଜପତିରେ ୮ ଜଣ ଲେଖାଏଁ, କଟକ ଓ ମାଲକାନଗିରିରେ ୬ ଜଣ ଲେଖାଏଁ, କେନ୍ଦୁଝରରେ ୪, ବାଲେଶ୍ୱର, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ାରେ ୩ ଜଣ ଲେଖାଏଁ, ପୁରୀରେ ୨ ଜଣ, ଭଦ୍ରକ ଓ ଝାରସୁଗୁଡ଼ାରେ ଜଣେ ଲେଖାଏଁ ଅନୁପସ୍ଥିତ ରହିଛନ୍ତି । ଅନ୍ୟ ଜିଲ୍ଲା ଗୁଡ଼ିକରେ ବି ଶିକ୍ଷକ ଓ କର୍ମଚାରୀମାନେ ଦୀର୍ଘ ବର୍ଷ ହେବ ଆସୁନଥିବା ଜଣାପଡ଼ିଛି ।