ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ୧ ରେ

ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ୧ ରେ

ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ୧ ରେ
ଭୁବନେଶ୍ୱର : ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ କମିଟି ବୈଠକ ଆସନ୍ତା ୧ ତାରିଖ ଇଡକଲ ଅଡିଟୋରମ୍ରେ ଅନୁଷ୍ଠିତ ହେବ । ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିବେ । ରାଜ୍ୟ କାର୍ଯ୍ୟକାରିଣୀର ସମସ୍ତ ସଦସ୍ୟ, ସଦସ୍ୟା, ନବ ନିର୍ବାଚିତ ଦଳୀୟ ବିଧାୟକ, ବିଧାୟିକା, ସାଂସଦ, ରାଜ୍ୟ କାର୍ଯ୍ୟକର୍ତ୍ତା, ଦଳର ଛାମୁଆ ସଂଗଠନ ମୁଖ୍ୟ, ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତିମାନଙ୍କୁ ଆମନ୍ତ୍ରଣ କରାଯାଇଛି । ବୈଠକରେ ମୁଖ୍ୟତଃ ସାଂଗଠନିକ କାର୍ଯ୍ୟକ୍ରମ ତଥା ସଭ୍ୟ ସଂଗ୍ରହ ଅଭିଯାନ ସମ୍ପର୍କରେ ଆଲୋଚନା କରାଯିବ । ସଭ୍ୟ ସଂଗ୍ରହ ଅଭିଯାନକୁ ସଫଳ କରିବା ପାଇଁ ନିଜେ ସଭାପତି ଶ୍ରୀ ପଟ୍ଟନାୟକ କର୍ମକର୍ତ୍ତାମାନଙ୍କୁ ଆହ୍ୱାନ ଦେବେ । ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ କମିଟିର ଆବାହକ ତଥା ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ସେପ୍ଟେମ୍ବର ୨ ରୁ ଅକ୍ଟୋବର ୩୧ ତାରିଖ ଯାଏ ସଭ୍ୟ ସଂଗ୍ରହ ଅଭିଯାନ ଚାଲିବ । ଏଥିପାଇଁ ଗଠିତ କମିଟିର ଦୁଇଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ହୋଇଥିବା ଆଲୋଚନା ସମ୍ପର୍କରେ ସଭାପତିଙ୍କୁ ଜଣାଇ ଦିଆଯାଇଛି । ସଭ୍ୟ ସଂଗ୍ରହ ଅଭିଯାନର ଚୂଡାନ୍ତ ରୂପ ରେଖ କାର୍ଯ୍ୟକାରିଣୀରେ ସ୍ଥିର କରାଯିବ । ୱାର୍ଡ ସ୍ତର ଠାରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଯେପରି ଏହା ସଫଳ ହେବ, ତାହା ଉପରେ ଗୁରୁତ୍ୱାରୋପ କରାଯାଇଛି । ଦୁଇ ତାରିଖ ଦିନ ଦଳର ରାଜ୍ୟ କାର୍ଯ୍ୟାଳୟରେ ସଭାପତି ଶ୍ରୀ ପଟ୍ଟନାୟକ ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିବେ । ଗତ ଥର ବିଜେଡି ସଦସ୍ୟ ସଂଖ୍ୟା ୪୬ ରୁ ୪୭ ଲକ୍ଷ ରହିଥିଲା । ଏଥର ଏହା ୫୦ ପ୍ରତିଶତ ବଢ଼ିପାରେ ବୋଲି ଶ୍ରୀ ମିଶ୍ର କହିଛନ୍ତି ।