ମାଗଣାରେ ଉପଲବ୍ଧ ହେବ ପ୍ଲାଜମା ଥେରାପି : ମୁଖ୍ୟମନ୍ତ୍ରୀ

ମାଗଣାରେ ଉପଲବ୍ଧ ହେବ ପ୍ଲାଜମା ଥେରାପି : ମୁଖ୍ୟମନ୍ତ୍ରୀ

ମାଗଣାରେ ଉପଲବ୍ଧ ହେବ ପ୍ଲାଜମା ଥେରାପି : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଗୁରୁତର କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲ କଲେଜରେ କୋଭିଡ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରିଛନ୍ତି । ଏହା ଦ୍ୱାରା ପ୍ଲାଜମା ଥେରାପି ବ୍ୟବସ୍ଥା ଆରମ୍ଭ କରିଥିବା ଦେଶର ସ୍ୱଳ୍ପ କେତେକ ରାଜ୍ୟମାନଙ୍କ କ୍ଲବରେ ଓଡ଼ିଶା ସାମିଲ ହୋଇପାରିଛି । ଦିଲ୍ଲୀ ଓ ମହାରାଷ୍ଟ୍ର ପରେ ଏହି ବ୍ୟବସ୍ଥା ଗ୍ରହଣ କରିବାରେ ଓଡ଼ିଶା ହେଉଛି ଦେଶର ତୃତୀୟ ରାଜ୍ୟ । ପ୍ଲାଜମା ବ୍ୟାଙ୍କକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ଓଡ଼ିଶାର ଲୋକମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଓ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ “ମୁଁ ଓ ମୋ ସରକାର ପାଇଁ ପ୍ରତ୍ୟେକ ବ୍ୟକ୍ତିର ଜୀବନ ହେଉଛି ସବୁଠାରୁ ମୂଲ୍ୟବାନ ଏବଂ ଆମର ଲୋକ ମାନଙ୍କର ଜୀବନ ବଞ୍ଚାଇବା ପାଇଁ ରାଜ୍ୟ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିଛି । ମୁଁ ଘୋଷଣା କରିବାକୁ ଚାହେଁ ଯେ ଓଡ଼ିଶାର ଜନସାଧାରଣଙ୍କ ପାଇଁ ପ୍ଲାଜମା ଥେରାପି ବିନା ମୂଲ୍ୟରେ ଉପଲବ୍ଧ ହେବ ।” ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶାର କୌଣସି ବ୍ୟକ୍ତିଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବାକୁ ଦିଆଯିବ ନାହିଁ । ଏହା ହେଉଛି ରାଜ୍ୟ ସରକାରଙ୍କର ପ୍ରତିବଦ୍ଧତା ବୋଲି ସେ ଦୃଢ଼ତାର ସହ ପ୍ରକାଶ କରିଥିଲେ । ରାଜ୍ୟର ଡାକ୍ତରମାନଙ୍କ ଦକ୍ଷତା ଓ ନିଷ୍ଠାକୁ ଉଚ୍ଚପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବର୍ତ୍ତମାନର କୋଭିଡ ସମୟରେ ଆମର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଯେଉଁ କଠିନ ପରିଶ୍ରମ କରି ଲୋକଙ୍କୁ ଶ୍ରେଷ୍ଠ ସେବା ଯୋଗାଇ ଦେଉଛନ୍ତି ତାର ତୁଳନା ନାହିଁ । ଆମେ ସେମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କର ମନୋବଳ ବୃଦ୍ଧି କରିବା ପାଇଁ କାର୍ଯ୍ୟ କରିବା ଉଚିତ ବୋଲି ସେ କହିଥିଲେ । ସ୍ୱେଚ୍ଛାକୃତ ଭାବରେ ୪ ଜଣ ସେମାନଙ୍କ ପ୍ଲାଜମା ଦାନ କରିବାକୁ ଆଗେଇ ଆସିଥିଲେ, ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ । କୋଭିଡ ରୋଗରୁ ମୁକ୍ତ ହୋଇଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କ ପ୍ଲାଜମା ଦାନ କରିବାକୁ ଆଗେଇ ଆସିବାକୁ ସେ ନିବେଦନ କରିଥିଲେ । ଏହା ଦ୍ୱାରା ଗୁରୁତର ରୋଗୀମାନଙ୍କ ଚିକିତ୍ସା କ୍ଷେତ୍ରରେ ଆମେ ବହୁତ ଅଗ୍ରଗତି କରିପାରିବୁ ବୋଲି ସେ କହିଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ଆଶା ପ୍ରକାଶ କରିଥିଲେ ଯେ ଗୁରୁତର ରୋଗୀମାନଙ୍କ ସଫଳ ଚିକିତ୍ସା କ୍ଷେତ୍ରରେ ଏହି ଥେରାପି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଏସସିବି ମେଡିକାଲ କଲେଜର ଅଧ୍ୟକ୍ଷ ଧନ୍ୟବାଦ ଅର୍ପଣ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପଙ୍ଗଜ କୁମାର ବେହେରା, ଡଃ ବିଦ ଭୂଷଣ ପଣ୍ଡା, ମନୋଜ କୁମାର ବରାଳ ଏବଂ ଅବିନାଶ ରାଉତ ହେଉଛନ୍ତି ରାଜ୍ୟର ପ୍ରଥମ ୪ ଜଣ ପ୍ଲାଜମା ଦାତା । ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ସମତେ ଆଉ ୧୨ ଜଣ କୋଭିଡ ରୋଗମୁକ୍ତ ବ୍ୟକ୍ତି ଏହି ମିଶନରେ ଯୋଗଦାନ କରି ସେମାନଙ୍କ ପ୍ଲାଜମା ଦାନ କରିବାକୁ ଆଗେଇ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ସେମାନଙ୍କ ଶୁଭକାମନା କରିଥିଲେ । ପ୍ଲାଜମା ଥେରାପି ପାଇଁ ଏସସିବି ମେଡିକାଲ କଲେଜ ଏକ ନୋଡାଲ ଏଜେନ୍ସି ଭାବରେ କାର୍ଯ୍ୟ କରିବା ସହିତ ଭୁବନେଶ୍ୱରର ସମ ଓ କିମସ ହସ୍ପିଟାଲ ଏବଂ କଟକର ଅଶ୍ୱିନୀ ହସ୍ପିଟାଲ ପ୍ଲାଜମା ଥେରାପି ଜରିଆରେ ଗୁରୁତର ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗଚୀ, ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ମୁଖ୍ୟ ଉପଦେଷ୍ଟା, ଉନ୍ନୟନ କମିଶନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର, ଶ୍ରମ ଓ ଇଏସଆଇ ବିଭାଗର ମୁଖ୍ୟ ସଚିବ, ଇଟି ଓ ଆଇଟି ସଚିବ ଏବଂ ଏସସିବି ମେଡିକାଲ କଲେଜର ପ୍ରଫେସର ଓ ଡାକ୍ତରମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।