ଚୋର ମନରେ ବି ଦେଶ ଭକ୍ତି

ଚୋର ମନରେ ବି ଦେଶ ଭକ୍ତି

ଚୋର ମନରେ ବି ଦେଶ ଭକ୍ତି
କୋଚି: କେରଳର କୋଚି ସହର ଅର୍ନ୍ତଗତ ଥୀରୁୱନକୁଲମରେ ବୁଧବାର ଭୋର ସମୟରେ ଏକ ମଜାଦାର ଘଟଣା ଘଟିଛି । ସେଠାରେ ଥିବା ଜଣେ ଅବସରପ୍ରାପ୍ତ ସେନା କର୍ଣ୍ଣେଲଙ୍କ ଘରେ ଲୁଟପାଟ ଉଦେ୍ଧଶ୍ୟରେ ଏକ ଚୋର ପଶିଥିଲା । କିନ୍ତୁ ତାହା ସେନାଧିକାରୀଙ୍କ ଘର ଜାଣିଲା ପରେ ତାର ଦେଶଭକ୍ତି ଜାଗିଥିଲା । ସେ ଆଉ ଚୋରି ନ କରି ସେଠାରୁ ପଳାଇଥିଲା । ଘରେ ପଶିଥିବାରୁ ସେ ବି କ୍ଷମା ମାଗିଛି । ଘରର ମାଲିକ (ସେନାର ଅବସରପ୍ରାପ୍ତ କର୍ଣ୍ଣେଲ) ପରିବାର ଲୋକଙ୍କ ସହ ଦୁଇ ମାସ ହେଲା ବାହାରିନ ଯାଇଛନ୍ତି । ସେମାନଙ୍କ ଅନୁପସ୍ଥିତିରେ ଜଣେ ମହିଳା ପରିଚାଳିକା ଘରର ଜଗାରଖା କରନ୍ତି । ସେ ପ୍ରତିଦିନ ସକାଳେ ଆସି ଘର ପୋଛାପୋଛି କରିଦେଇ ଯାଇଥାନ୍ତି । ବୁଧବାର ସକାଳେ ସେ ଘରର କବାଟ ଭଙ୍ଗା ଯାଇଥିବାର ଦେଖିବାକୁ ପାଇଥିଲେ ଏବଂ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ ଉକ୍ତ ଚୋର ଘରର କବାଟ ତାଡ଼ି ଭିତରେ ପଶିଥିଲା । ସେ ଆଗ ଖୋଲାରେ ରଖାଯାଇଥିବା ୧୫୦୦ ଟଙ୍କା ହାତେଇଥିଲା ଏବଂ ଆଲମାରୀରେ ରଖାଯାଇଥିବା ଏକ ବ୍ରାଣ୍ଡେଡ ମଦ ବୋତଲ ଦେଖି ତାକୁ ତୁରନ୍ତି କାମରେ ଲଗାଇଥିଲା । ମଦ ପିଇ ସାରିଲା ପରେ ସେ ଯେତେବେଳେ ଆଉ କିଛି ମୂଲ୍ୟବାନ ସାମଗ୍ରୀ ଲୁଟ କରିବା ଉଦେ୍ଧଶ୍ୟରେ ବିଭିନ୍ନ କୋଠରୀକୁ ନିରୀକ୍ଷଣ କଲା, ସେତେବେଳେ ତାର ଆଖି କାନ୍ଥରେ ଟଙ୍ଗା ଯାଇଥିବା ଏକ ସେନା କ୍ୟାପ ଉପରେ ପଡ଼ିଥିଲା । ସେଥିରୁ ସେ ଜାଣିଲା ଯେ ଏହା ଜଣେ ସେନାଧିକାରୀଙ୍କ ଘର । ଏହା ପରେ ସେ ନିଜର କାର୍ଯ୍ୟ ପାଇଁ ଅନୁତାପ କଲା । ସେ ଘରର କାନ୍ଥରେ ବାର୍ତ୍ତା ଛାଡ଼ି କରି ଯାଇଛି ଯେ ମୁଁ ଯଦି ପୂର୍ବରୁ ଜାଣିଥାନ୍ତି କି ଏହା ଜଣେ ସେନାଧିକାରୀଙ୍କ ଘର, ତାହା ହେଲେ ମୁଁ ୟା ଭିତରେ କେବେ ପଶିନଥାନ୍ତି । ମୁଁ ଏପରି କରିଥିବାରୁ ଖୁବ ଅନୁତପ୍ତ । ଆପଣ ମୋତେ କ୍ଷମା କରିଦିଅନ୍ତୁ । ମୁଁ ଆପଣଙ୍କ ଘରୁ ହଳେ ଡ୍ରେସ, ୧୫୦୦ ଟଙ୍କା ନେଇଛି ଏବଂ ଏଠାରେ ରଖାଯାଇଥିବା ଗୋଟିଏ ମଦ ବୋତଲ ପିଇଛି । କିନ୍ତୁ ଆଉ କିଛି ଲୁଟ କରିନାହିଁ । ମୁଁ ଆପଣଙ୍କ ଘର ପାଖ ଦୋକାନରୁ ଯାହା କିଛି ଚୋରି କରିଥିଲି ସେ ସବୁ ବି ଏଠାରେ ରଖି ଦେଇ ଯାଉଛି । ଦୟାକରି ସେଇ ଲୋକକୁ ସବୁ ଫେରାଇ ଦେବେ । ପୁଲିସର କହିବାନୁଯାୟୀ, ମଦ ପିଇବା ପରେ ସେଇ ଚୋରକୁ ବୋଧହୁଏ ଭାରି ଜୋର ନିଶା ଧରିଛି । ତେଣୁ ସେଥିପାଇଁ ସେ ଏପରି ବାର୍ତ୍ତା ଲେଖି କରି ଯାଇଛି ।