୩୦ ରୁ ବଡ଼ ବର୍ଷା
୩୦ ରୁ ବଡ଼ ବର୍ଷା
admin
Jun 26, 2019 - 04:40
Updated: Jun 26, 2019 - 04:40
ଭୁବନେଶ୍ୱର : ଚାଷୀଙ୍କ ପାଇଁ ଆଶ୍ୱସ୍ତି । ୩୦ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରେ ଲଘୁଚାପ ବଳୟ ସୃଷ୍ଟି ହେବ । ପ୍ରଭାବରେ ୪ ଦିନ ଧରି ସାରା ଓଡ଼ିଶାରେ ବର୍ଷା ଲାଗି ରହିବ । ଜୁଲାଇ ୧ ବେଳକୁ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶା ଉପରେ ବି ପ୍ରବଳ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ବିଭାଗ ପକ୍ଷରୁ ଆହୁରି ସ୍ପଷ୍ଟ କରାଯାଇଛି ଯେ ୨୮ ତାରିଖ ରାତିଠାରୁ କୋହଲା ପାଗ ଆରମ୍ଭ ହେବ । କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର, ନୟାଗଡ଼, ଖୋର୍ଦ୍ଧା, ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢ଼େଙ୍କାନାଳ ଓ କଟକ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବ । ତେବେ ୨୯ ତାରିଖ ରାତିଠାରୁ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ । ଯାହାକି ପରବର୍ତ୍ତୀ ସମୟରେ ବଢ଼ିବ । ଜୁଲାଇ ୩ ତାରିଖ ଯାଏ ଏହି ବର୍ଷା ଲାଗି ରହିବ ବୋଲି କୁହାଯାଇଛି । ଅନ୍ୟ ପଟେ ୨୧ ତାରିଖରେ ମୌସୁମୀ ସ୍ପର୍ଶ କରିବା ପରେ ଉଭାନ ହୋଇଯାଇଛି । ବର୍ଷାର ଦେଖାନାହିଁ । ଜୁନ ମାସରେ ଓଡ଼ିଶାରେ ଯେତିକି ବର୍ଷା ହେବା କଥା ତାହା ହୋଇନାହିଁ । ମୌସୁମୀ ଦୁର୍ବଳ ରହିଥିବାରୁ ଜୁନ ୧ ରୁ ୨୪ ତାରିଖ ସୁଦ୍ଧା ଓଡ଼ିଶାରେ ୨୪ ପ୍ରତିଶ କମ୍ ବର୍ଷା ହୋଇଛି । ଗଜପତି ଜିଲ୍ଲାରେ ୬୪% ଓ ରାୟଗଡ଼ା ଜିଲ୍ଲାରେ ୫୨% ବର୍ଷା ହୋଇଛି । ଜୁନ ୨୮ ପରେ ପୁଣି୍ଥରେ ମୌସୁମୀ ସକ୍ରିୟ ହେବାର ସମ୍ଭାବନା ରହିଛି । ୩୦ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁଙ୍କ କହିବା କଥା ହେଉଛି ଯେ ମୌସୁମୀ ଛୁଇଁବାର କିଛି ଦିନ ଲାଗି ବର୍ଷା ଛାଡ଼ିଯାଏ । ତେବେ ମୌସୁମୀ ବାୟୁ ପୁଣିଥରେ ସକ୍ରିୟ ହେବା ପରେ ବର୍ଷା ପରିମାଣ ବଢ଼େ । ୩୦ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହୋଇଛି । ତେଣୁ ୨୯ ତାରିଖ ରାତିଠାରୁ ବର୍ଷାର ପରିମାଣ ବଢ଼ିବ । ଯାହାକି ଜୁଲାଇ ୨ ଅପରାହ୍ନ ଯାଏ ଲାଗି ରହିବ । ୩ ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ । ଏହା ପରେ ଛତିଶଗଡ଼ ଓ ମଧ୍ୟପ୍ରଦେଶ ଆଡକୁ ଲଘୁଚାପ ଚାଲିଯିବ ବୋଲି ସେ କହିଛନ୍ତି ।
କିଛି ପାଣିପାଗ ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ ମୌସୁମୀ ବାୟୁରେ ଥିବା ଟ୍ରପଲାଇନ ଏବେ ଉତ୍ତର ଆଡକୁ ଯାଇଛି । ଯେଉଁଥିପାଇଁ ବର୍ଷାର ପରିମାଣ କମିଛି । ଟ୍ରପଲାଇନ ସ୍ୱାଭାବିକ ସ୍ଥିତିରେ ରହିଲେ ମୌସୁମୀ ବାୟୁ ଦେଶରେ ସକ୍ରିୟ ହୋଇ ରୁହେ । ଯେହେତୁ ଏହା ଉତ୍ତର ଓ ହିମାଳୟ ପାଖାପାଖି ହୋଇଛି ସେଥିପାଇଁ ବର୍ଷାର ପରିମାଣ କମିଛି । ମୌସୁମୀ ଆସିବାରେ ବିଳମ୍ବ ହେବାରୁ ଜୁନ ମାସରେ ବର୍ଷାର ପରିମାଣ କମିଛି । ତେବେ ଜୁଲାଇ ମାସରେ ବର୍ଷାର ପରିମାଣ ବଢ଼ିପାରେ । ଦେଶର ଅଧାରୁ ଅଧା ଅଞ୍ଚଳକୁ ମୌସୁମୀ ଛୁଇଁଛି । ଏହା ସତ୍ତେ୍ୱ ଦେଶରେ ଆଶାନୁରୂପ ବର୍ଷା ହୋଇନାହିଁ । ଜୁନ ୧ ରୁ ୧୯ ମଧ୍ୟରେ ପ୍ରାୟ ୪୪ ପ୍ରତିଶତ କମ ବର୍ଷା ହୋଇଥିଲେ ମଧ୍ୟ ଦୀର୍ଘମିଆଦି ହାରିହାରି ନିଅଣ୍ଟ ପରିମାଣ ୩୭ ପ୍ରତିଶତକୁ ହ୍ରାସ ପାଇଛି । ଆସନ୍ତା ୨୯-୩୦ ତାରିଖ ବେଳକୁ ଓଡ଼ିଶାରେ ପୁଣି ମୌସୁମୀ ସକ୍ରିୟ ହେବାର ଆଶା କରାଯାଉଛି । ଉତ୍ତର ବଙ୍ଗୋପସଗାରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଯୋଗୁଁ ବର୍ଷା ପରିମାଣ ବଢ଼ିବା ଆଶା କରାଯାଉଛି ।
ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ବର୍ଷା ହୋଇନାହିଁ । ତାଳଚେରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯.୧ ଡିଗ୍ରୀ ରହିଥିଲା ।