ମୋ ପ୍ରତି ସମର୍ଥନ ଥିଲା: ଜୟନାରାୟଣ

ମୋ ପ୍ରତି ସମର୍ଥନ ଥିଲା: ଜୟନାରାୟଣ

ମୋ ପ୍ରତି ସମର୍ଥନ ଥିଲା: ଜୟନାରାୟଣ
ଭୁବନେଶ୍ୱର : ବିରୋଧୀ ଦଳ ନେତା ପଦବି ପାଇଁ ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନାମ ଚର୍ଚ୍ଚାର ଆଗରେ ରହିଥିଲା । କିନ୍ତୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ନେତା ବାଛିବା ଦାୟିତ୍ୱ ଛାଡି ଦିଆଯାଇଥିଲା । ଶେଷରେ ପ୍ରଦୀପ୍ତ ନାୟକଙ୍କ ନାମରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ମୋହର ମାରିଥିଲେ । ଆଜି ବିଧାନସଭା ପରିସରରେ ଗଣମାଧ୍ୟମ ପ୍ରତିନିଧିମାନେ ଜୟନାରାୟଣ ମିଶ୍ରଙ୍କ ଏ ନେଇ ପ୍ରତିକ୍ରିୟା ଲୋଡ଼ିଥିଲେ । ସେ କହିଥିଲେ ମୋ ପ୍ରତି ଦଳର ସବୁ ବିଧାୟକଙ୍କର ସମର୍ଥନ ରହିଥିଲା । କିନ୍ତୁ ଦଳ ମୋତେ କାହିଁକି ବିରୋଧୀ ଦଳ ନେତା କଲା ନାହିଁ, ତାହା ମୁଁ ଜାଣିନାହିଁ । ତେବେ ଦଳର ହିତ ପାଇଁ ମୁଖିଆ ଠିକ ନିଷ୍ପତ୍ତି ନେଇଥିବେ ବୋଲି ମୁଁ ଭାବୁଛି । ଦଳର ନିଷ୍ପତ୍ତିକୁ ମୁଁ ଗ୍ରହଣ କରୁଛି । ବିରୋଧି ଦଳ ନେତା ନ ହେଲେ ବି ବିଜେପି ନେତା ଭାବେ ଗୃହରେ ସରକାରଙ୍କୁ ଆକ୍ରମଣ କରିବାରେ କିଛି ଅସୁବିଧା ହେବ ନାହିଁ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କର ପଡୁନଥିବାରୁ ବିରୋଧୀ ଦଳ ନେତା ହେଲେ ନାହିଁକି ବୋଲି ପ୍ରଶ୍ନରେ ଶ୍ରୀ ମିଶ୍ର କହିଥିଲେ ମୁଁ କୌଣସି ଗୋଷ୍ଠୀର ନୁହେଁ । ମୁଁ ବିଜେପିର ପ୍ରତିଷ୍ଠାତା ସଦସ୍ୟ । ତେଣୁ କାହା ସହ ପଡିବା ନ ପଡିବା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ନିର୍ବାଚନ ବେଳେ ପ୍ରଦୀପ୍ତ ନାୟକ ନବୀନ ନିବାସ ଯାଇଥିବାରୁ ଓ ତାଙ୍କର ବିଜେଡି ସହ ଭଲ ସମ୍ପର୍କ ଥିବାରୁ ବିରୋଧୀ ଦଳ ନେତା ପଦବି ଫିକ୍ସିଂ କରାଯାଇଛି ବୋଲି ହେଉଥିବା ଚର୍ଚ୍ଚା ନେଇ ଶ୍ରୀ ମିଶ୍ର କହିଲେ, ଏହା ସମ୍ପୂର୍ଣ୍ଣ ମିଛି । ସେ କାହିଁକି ନବୀନ ନିବାସ ଯିବେ । ତାଙ୍କ ବିଜେଡି ସହ କିଛି ସମ୍ପର୍କ ନାହିଁ । ପ୍ରଦୀପ୍ତ ନିଶ୍ଚିତ ଭାବେ ବିଧାନସଭାରେ ଭଲ ପ୍ରଦର୍ଶନ କରିବେ ।