ବିଜେପୁର ପାଇଁ ଅଣ୍ଟା ଭିଡ଼ିଲେ

ବିଜେପୁର ପାଇଁ ଅଣ୍ଟା ଭିଡ଼ିଲେ

ବିଜେପୁର ପାଇଁ ଅଣ୍ଟା ଭିଡ଼ିଲେ
ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପାଇଁ ଯେ କୌଣସି ମୁହୂର୍ତ୍ତରେ ନିର୍ବାଚନ କମିସନ ତାରିଖ ଘୋଷଣା କରିପାରନ୍ତି । ଏହାକୁ ଦୃଷ୍ଟିରେ ରଖି ତଥା ଅନ୍ୟ ପ୍ରମୁଖ ରାଜନୈତିକ ଦଳକୁ ପଛରେ ପକାଇ ବିଜେଡି ଏବେ ଠାରୁ ଗୋଟିଚାଳନା ଆରମ୍ଭ କରିଛି । ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିବା ସୁବାସ ଚୌହାନଙ୍କୁ ଆଜି ପୁରସ୍କୃତି କରାଯାଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ଶ୍ରୀ ଚୌହାନଙ୍କୁ ନିଯୁକ୍ତି ଦେଇଛନ୍ତି । ଏକଦା ବରଗଡ଼ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ହୋଇ ଭଲ ଭୋଟ ହାତେଇଥିବା ସୁବାସ ଏହା ଦ୍ୱାରା ବିଜେଡି ପାଇଁ ଅଧିକ ଉତ୍ସାହିତ ହୋଇ କାମ କରିବେ ଓ ବିଜେପୁର ଟିକେଟ ଲାଗି ଆଶା ରଖିବେ ନାହିଁ । ଏଭଳି ଦୁଇଟି ବାର୍ତ୍ତା ଦିଆଯାଇଥିବା ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବିଚାର କରୁଛନ୍ତି । ପୂର୍ବରୁ ବିଜେଡି ତାଙ୍କୁ ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଥିଲେ । ବିଜେଡିର ଏଭଳି ରଣନୀତି ପରୋକ୍ଷରେ ପୂର୍ବତନ ବିଧାୟିକା ରୀତା ସାହୁଙ୍କ ଟିକେଟ୍ ସପକ୍ଷରେ ଯାଉଥିବା କୁହାଯାଉଛି । ପୂର୍ବରୁ କିଶୋର ମହାନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷା ଥିଲେ । ବ୍ରଜରାଜନଗର ବିଧାନସଭା ଆସନରୁ ତାଙ୍କୁ ବିଜେଡି ଟିକେଟ୍ ଦେଇଥିଲେ ଓ ଏଥର ସେ ନିର୍ବାଚିତ ହୋଇଛନ୍ତି । ଏହା ପରଠାରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା । ଅନ୍ୟ ପକ୍ଷରେ ସାଂଗଠନିକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଲାଗି ବିଜେଡି ୪ ନେତାଙ୍କୁ ଦାୟିତ୍ୱ ଦେଇଛି । ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜେପୁର ଉପନିର୍ବାଚନ ପାଇଁ ୪ ଜଣିଆ ସମନ୍ୱୟ କମିଟି ଗଠନ କରିଛନ୍ତି । କମିଟିର ୨ ଜଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ସୁଶାନ୍ତ ସିଂହଙ୍କୁ ସ୍ଥାନ ମିଳିଛି । ସେହିଭଳି ଦଳର ଦୁଇ ବରିଷ୍ଠ ନେତା ସଞ୍ଜୟ ଦାସ ବର୍ମା କଳିକେଶ ନାରାୟଣ ସିଂହଦେଓ ଅଛନ୍ତି । ଏମାନେ ଏବେ ଠାରୁ ସ୍ଥାନୀୟ ଅଞ୍ଚଳରେ ସମନ୍ୱୟ ରଖି ଗଡ଼ ଜଗିବେ । ଗତ ନିର୍ବାଚନର ଭୋଟ ବ୍ୟବଧାନ ଯେଭଳି ଏଥର ବି ରହେ, ସେ ଦାୟିତ୍ୱ ଏହି ନେତାଙ୍କ ଉପରେ ନ୍ୟସ୍ତ ରହିଛି । ସୂଚନା ଯୋଗ୍ୟ, ଗତ ସରକାର ସମୟରେ ବିଜେପୁର ଉପନିର୍ବାଚନ ସାମ୍ନା କରିଥିଲା । ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ଦଳ ପ୍ରାର୍ଥୀ କରିଥିଲା ଓ ସେ ଜିତିଥିଲେ । ସେତେବେଳେ ବିଜେପୁର ଦାୟିତ୍ୱ ନବୀନ ନେବେ ବୋଲି ଘୋଷଣା କରିଥିଲେ । ଗତ ସାଧାରଣ ନିର୍ବାଚନରେ ଏହି ଆସନକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଥିଲେ ଓ ବିପୁଳ ଭୋଟରେ ଜିତିଥିଲେ । ହେଲେ ପାରମ୍ପରିକ ହିଞ୍ଜିଳି ଆସନ ରଖି ସେ ଏହି ଆସନରୁ ଇସ୍ତଫା ଦେଇଥିଲେ । ଏବେ ଏହି ଆସନ ପୁଣି ଥରେ ଉପନିର୍ବାଚନ ସାମ୍ନା କରିବ ।