ଆସନ୍ତାକାଲି ନବୀନଙ୍କ ଦିଲ୍ଲୀ ଗସ୍ତ
ଆସନ୍ତାକାଲି ନବୀନଙ୍କ ଦିଲ୍ଲୀ ଗସ୍ତ
admin
Jun 8, 2019 - 05:19
Updated: Jun 8, 2019 - 05:19
ଭୁବନେଶ୍ୱର : ଆସନ୍ତା ୯ ତାରିଖରୁ ଏକ ସପ୍ତାହ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ଆସନ୍ତା ୧୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିବେ । ପରେ ନବୀନ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ । ସେହିଭଳି ଜୁନ୍ ୧୫ ତାରିଖରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିତି ଆୟୋଗ ସାଧାରଣ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ମୁଖ୍ୟମନ୍ତ୍ରୀ ତାଙ୍କ ଦିଲ୍ଲୀଗସ୍ତ କାଳରେ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ ଏକାଧିକ ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଆଲୋଚନା ସମୟରେ ସମ୍ପୃକ୍ତ ବିଭାଗର ରାଜ୍ୟମନ୍ତ୍ରୀ ଉପସ୍ଥିତ ରହିପାରନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ଭିନ୍ନ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ମୋଦି ଦ୍ୱିତୀୟ ଥର ପାଇଁ ଦାୟିତ୍ୱ ନେବା ପରେ ଏହା ନବୀନଙ୍କର ପ୍ରଥମ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା ହେବ । ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ପ୍ରଦାନ ଦାବି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିପାରନ୍ତି । ଫନି ପରବର୍ତ୍ତୀ ପରିସ୍ଥିତିରେ ତୁରନ୍ତ କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇପାରେ । ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ ସମ୍ପର୍କରେ ନବୀନ ପ୍ରଧାନମନ୍ତ୍ରୀଙ୍କୁ ଜଣାଇପାରନ୍ତି । ଏହି ଆଲୋଚନା ବେଳେ ଲୋକସଭା ଉପବାଚସ୍ପତି ପ୍ରସଙ୍ଗ ଉଠିପାରେ । ଅର୍ଥନୈତିକ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ ଓଡ଼ିଶାକୁ ମିଳିବା ସମ୍ଭାବନା ଅଧିକ । ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ।