୧୫ ଜଣଙ୍କୁ ବରଖାସ୍ତ ଓ ୨ ଜଣଙ୍କ ପେନସନ୍ ବନ୍ଦ କଲେ ନବୀନ

୧୫ ଜଣଙ୍କୁ ବରଖାସ୍ତ ଓ ୨ ଜଣଙ୍କ ପେନସନ୍ ବନ୍ଦ କଲେ ନବୀନ

ଭୁବନେଶ୍ୱର : ଦୁର୍ନୀତି ବିରୋଧରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା ନୀତି ଗ୍ରହଣ କରିବାକୁ ନିୟମିତ ଭାବେ ନିଦେ୍ର୍ଧଶ ଦେଇଆସିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ନୀତି ଅନୁଯାୟୀ ରାଜ୍ୟ ସରକାର ୧୫ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିବା ସହିତ ଦୁଇ ଜଣ ପୂର୍ବତନ ଅଧିକାରୀଙ୍କ ପେନସନ ସୁବିଧା ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦେଇଛନ୍ତି । ଏହି ସବୁ ଅଧିକାରୀମାନେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ - ବାଣିଜ୍ୟ ଓ ପରିବହନ ବିଭାଗର ଦେବୀ ପ୍ରସାଦ ପାଢ଼ୀ, ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ସମବାୟ ସମିତିର ଏକ୍ସ ସେକ୍ରେଟାରୀ ଦେବଦତ୍ତ ଦାଶ, ଉମରକୋଟ ମୁ୍ୟନିସପାଲିଟିର କାଳିପ୍ରସାଦ ସିଂ, ଧାମନଗର ତହସିଲର ପୂର୍ବତନ କିରାଣୀ ବଟକୃଷ୍ଣ ବାରିକ, କଳାହାଣ୍ଡି ଏମ.ରାମପୁରୁ ବ୍ଲକର ପୂର୍ବତନ ଭିଏଲଡବ୍ଲୁ୍ୟ କୃଷ୍ଣମୋହନ ଦାସ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ପୂର୍ବତନ ପିଇଓ ଅଶୋକ କୁମାର ସାହା, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ପୂର୍ବତନ ପିଇଓ ପଦ୍ମମୁଖ ଶବର, ବୌଦ୍ଧ ଜିଲ୍ଲା ମୁର୍ଷୁଣ୍ଡି ଗ୍ରାମ ପଞ୍ଚାୟତର ପୂର୍ବତନ ସେକ୍ରେଟାରୀ କିଶୋର ଚନ୍ଦ୍ର ପ୍ରଧାନ, ବାଣପୁର ସାଳିଆ ଜଳସେଚନ ପ୍ରକଳ୍ପର ପୂର୍ବତନ ଇଂଜିନିୟର ବିଜୟ କୁମାର ସାହୁ, ଭବାନୀପାଟଣା ଆଇଟିଡିଏର ପୂର୍ବତନ ଜେଇ କରୁଣାକର ପଣ୍ଡା, ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ପୂର୍ବତନ ଜେଇ ମଙ୍ଗଳ ସିଂ ମୁଣ୍ଡା, କୁଳିଅଣା ବ୍ଲକ ପୂର୍ବତନ ଏଇ ବୈଦ୍ୟନାଥ ମାଝୀ, ମୟୂରଭଞ୍ଜ ସାରସକଣା ବ୍ଲକର ପୂର୍ବତନ ଜେଇ ପ୍ରତାପ ଚନ୍ଦ୍ର ରାଉତ, କଳାହାଣ୍ଡି ଥୁଆମୁଳ-ରାମପୁର ଆଇଟିଡିଏର ପୂର୍ବତନ ଜେଇ ନିଗମାନନ୍ଦ ପଣ୍ଡା, ବିଏମସି ହେଲଥ ଅଫିସର ବରିଷ୍ଠ କିରାଣୀ ଚିତ୍ତରଞ୍ଜନ ଲାଲ । ସେହିପରି ପେନସନ୍ ସୁବିଧା ବନ୍ଦ ହୋଇଥିବା ଦୁଇ ଜଣ ଅଧିକାରୀ ହେଲେ -ଜଳସମ୍ପଦ ବିଭାଗର କଳାହାଣ୍ଡି ଆଇଟିଡିଏର (ଅବସରପ୍ରାପ୍ତ) ପୂର୍ବତନ ଏଇ ଅଶ୍ୱିନୀ କୁମାର ଶର୍ମା ଓ ଜଳସମ୍ପଦ ବିଭାଗର କଳାହାଣ୍ଡି ଡିଆରଡିଏ (ଅବସରପ୍ରାପ୍ତ) ଏପିଡ଼ି ଶଶାଙ୍କ ଶେଖର ପଟ୍ଟନାୟକ ।