ଓଡିଆ ଜାତି ଏକ ମହାନ ଜାତି: ନବୀନ

ଓଡିଆ ଜାତି ଏକ ମହାନ ଜାତି: ନବୀନ

ଓଡିଆ ଜାତି ଏକ ମହାନ ଜାତି: ନବୀନ
ଭୁବନେଶ୍ବର : ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକରେ ଉଦବୋଧନ ଦେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବହୁମୂଲ୍ୟ ପରାମର୍ଶ ଦେଇଛନ୍ତି । କିଛି ଦିନ ତଳେ ଆମ ଯୁବ ଶାଖାର କାର୍ଯ୍ୟନିର୍ବାହୀ କମିଟି ବୈଠକ ହୋଇଥିଲା । ସେଥିରେ ମୁଁ ଆମର ସ୍ବତନ୍ତ୍ର ପରିଚୟ ଉପରେ କହିଥିଲି । ଓଡିଆ ଗର୍ବ ଓ ଗୌରବ ଉପରେ କହିଥିଲି । ଓଡିଆ ଜାତି ଏକ ମହାନ ଜାତି । ଏ ଜାତି ଦିନେ ଗଙ୍ଗା ଠାରୁ ଗୋଦାବରୀ ଜୟ କରିଥିଲା । ଖାରବେଳ ଓ କପିଳେନ୍ଦ୍ର ଦେବଙ୍କ ପରି ମହାନ ସମ୍ରାଟମାନଙ୍କ ରାଜ୍ୟ ହେଉଛି ଆମ ଓଡିଶା । ପୁରୁଷୋତ୍ତମ ଦେବଙ୍କ କାଞ୍ଚି ଅଭିଯାନ ଯେଉଁଥିରେ ନିଜେ ମହାପ୍ରଭୁ ସାମିଲ ହୋଇଥିଲେ, ଆଜି ମଧ୍ୟ ଆମର ଯୁବ ସମାଜ ମଧ୍ୟରେ ଶକ୍ତି ସଞ୍ଚାର କରୁଛି । ଆମର ବୀର ପାଇକମାନଙ୍କର ସାହସ ଓ ରଣନୀତି ବହୁଦିନ ଧରି ଓଡିଶାକୁ ଅଜୟ କରି ରଖିଥିଲା । ସେବାର ଅବତାର ଉତ୍କଳମଣି ଗୋପବନ୍ଧୁ, ଆମ ସ୍ବାଭିମାନର ପ୍ରତୀକ ଉତ୍କଳ ଗୌରବ ମଧୁବାବୁ, ସଂଗ୍ରାମର ପ୍ରତୀକ ବକ୍ସି ଜଗବନ୍ଧୁ ଓ ବୀର ସୁରେନ୍ଦ୍ର ସାଏ – ଓଡିଶାର ଏହି ବରପୁତ୍ରମାନେ ହେଉଛନ୍ତି ଆମ ଆଦର୍ଶ । ସେହିପରି ଫକୀର ମୋହନଙ୍କ ସାହିତ୍ୟ ଓଡିଆ ଭାଷାର ମହିମାକୁ ବୃଦ୍ଧି କରିଛି । ମା’ ରମାଦେବୀ, ମାଳତୀ ଚୌଧୁରୀ ଓ ପାର୍ବତୀ ଗିରିଙ୍କ ତ୍ୟାଗ ଓ ସଂଗ୍ରାମ ଓଡିଶାର ନାରୀ ଜାତିକୁ ମହିମା ମଣ୍ଡିତ କରିଛି । ମାନବ ଜାତି ପାଇଁ ସନ୍ଥ ଭୀମଭୋଇଙ୍କ ବାର୍ତ୍ତା ସାରା ବିଶ୍ବକୁ ମୋହିତ କରିଛି । ଛୋଟ ପିଲା ହେଲେ ମଧ୍ୟ ସଂଗ୍ରାମୀ ବାଜି ରାଉତଙ୍କ ସାହସ ଓ ଦେଶପ୍ରେମ ଆମ ସମସ୍ତଙ୍କ ପାଇଁ ପ୍ରେରଣା । ସେହିପରି ବିଜୁ ବାବୁଙ୍କ ଓଡିଆ ଜାତି ପ୍ରୀତି ତାଙ୍କୁ ଅମର କରି ରଖିଛି । ଏହି ବରପୁତ୍ରମାନେ ସେମାନଙ୍କ କାର୍ଯ୍ୟ ଦ୍ବାରା ଓଡିଆ ଜାତିର ଗୌରବ ବୃଦ୍ଧି କରିଛନ୍ତି । ସେମାନେ ହିଁ ଆମର ଶ୍ରେଷ୍ଠ ପରିଚୟ । ତେଣୁ ଆପଣମାନେ ସେମାନଙ୍କ ବିଷୟରେ ଭଲ ଭାବରେ ଜାଣିବା ଦରକାର । ଓଡିଆ ଜାତି ପାଇଁ, ଓଡିଆ ଭାଷା ପାଇଁ, ଓଡିଆ ସଂସ୍କୃତି ପାଇଁ ସେମାନେ କରିଯାଇଥିବା ମହାନ କାର୍ଯ୍ୟ ହିଁ ଆମର ପ୍ରେରଣା । ସେମାନଙ୍କୁ ଚିହ୍ନିଲେ ହିଁ ଆମେ ଆଗକୁ ବଢିବା । ଆମ ଭାଷା, ସଂସ୍କୃତି ଓ ପରିଚୟର ସୁରକ୍ଷା କରିପାରିବା । ତେଣୁ ଆପଣମାନେ ସ୍ବତନ୍ତ୍ର ପରିଚୟ ବିଷୟରେ ଭଲ ଭାବରେ ଜାଣନ୍ତୁ ଏବଂ ପୀଢି ପରେ ପୀଢି ଏହାର ପ୍ରଚାର କରନ୍ତୁ ।