କରୋନାକୁ ନିପାତ କରବ ଅଲଟ୍ରାଭାଓଲେଟ୍ ଲ୍ୟାମ୍ପ
କରୋନାକୁ ନିପାତ କରବ ଅଲଟ୍ରାଭାଓଲେଟ୍ ଲ୍ୟାମ୍ପ
admin
Apr 22, 2020 - 15:15
Updated: Apr 22, 2020 - 15:15
ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କ ସ୍ଥିତ କଲମ୍ବିଆ ବିଶ୍ୱ ବିଦ୍ୟାଳୟରେ ଜଣେ ଗବେଷକ କହିଛନ୍ତି ଯେ ଏକ ପ୍ରକାର ସ୍ୱତନ୍ତ୍ର ଅଲଟ୍ରା ଭାଓଲେଟ ଲ୍ୟାମ୍ପ ବ୍ୟବହାର କରି କରୋନା ଭାଇରସକୁ ନିପାତ କରାଯାଇ ପାରିବ । ବିଶ୍ୱ ବିଦ୍ୟାଳୟ ଅଧୀନରେ ଥିବା ସେଣ୍ଟର ଫର ରେଡିଓଲୋଜିକାଲ ରିସର୍ଚ୍ଚର ମୁଖ୍ୟ ଡକ୍ଟର ଡେଭିଡ ବ୍ରେନର ଦୀର୍ଘ ବର୍ଷ ଧରି ଅଲଟ୍ରାଭାଓଲେଟ ରଶ୍ମି ବ୍ୟବହାର କରି ରୋଗ ନିୟନ୍ତ୍ରଣ ଉପରେ ଗବେଷଣା କରି ଆସୁଛନ୍ତି ।
ପୂର୍ବରୁ ବିଭିନ୍ନ ଦେଶରେ ପାରମ୍ପରିକ ଅଲଟ୍ରାଭାଓଲେଟ ଲ୍ୟାମ୍ପ ବ୍ୟବହାର କରି ହସ୍ପିଟାଲ ଗୁଡ଼ିକରେ ରୁମ ଏବଂ ଉପକରଣକୁ ଜୀବାଣୁମୁକ୍ତ କରିବାର ଧାରା ପ୍ରଚଳିତ ଅଛି । ତେବେ ଏଭଳି ଲ୍ୟାମ୍ପ ବ୍ୟବହାରରେ ବିପଦ ରହିଛି । କାରଣ ଏହି ରଶ୍ମି ମାନବ ଚର୍ମ ଦେଇ ଗତି କରିପାରେ । ତେଣୁ ଏହା ଯୋଗୁଁ ମଣିଷକୁ ଚର୍ମ କର୍କଟ ଏବଂ ମୋତିଆ ବିନ୍ଦୁ ଗଳି ରୋଗର ଶିକାର ହେବାକୁ ପଡ଼ିପାରେ । ତେବେ ଏକ ସ୍ୱତନ୍ତ୍ର ପ୍ରକାରର ଅଲଟ୍ରାଭାଓଲେଟ ଲ୍ୟାମ୍ପ ରହିଛି ଯାହାର ଫାର ୟୁଭିସି ଲାଇଟ ବୋଲି କୁହାଯାଉଛି । ଏହା ପୂର୍ବରୁ ପ୍ରଚଳିତ ଲ୍ୟାମ୍ପ ଭଳି ଏତେ ବିପଜ୍ଜନକ ନୁହେଁ । ଏହା ଯୋଗୁଁ ମଣିଷର ଚର୍ମ କ୍ଷତିଗ୍ରସ୍ତ ହେବାର ଆଶଙ୍କା ନାହିଁ ।
କରୋନା ଭାଇରସ ବ୍ୟାପିବା ପୂର୍ବରୁ ଡକ୍ଟର ବ୍ରେନର ଅଲଟ୍ରାଭାଓଲେଟ ରଶ୍ମି ଜରିଆରେ ବାୟୁରେ ଥିବା ସଂକ୍ରାମକ ଭୂତାଣୁକୁ ନିପାତ କରିବା ଉପରେ ଗବେଷଣା କରୁଥିଲେ । ୨୦୧୮ ରେ ଏକ ପତ୍ରିକାରେ ପ୍ରକାଶିତ ତାଙ୍କର ଏକ ନିବନ୍ଧରେ ସେ ଦାବି କରିଥିଲେ ଯେ ଏ ପ୍ରକାର ରଶ୍ମି ବ୍ୟବହାର କରି ବାୟୁରେ ଥିବା ୯୫% ଭୂତାଣୁକୁ ନିପାତ କରାଯାଇପାରିବ । କାରଣ ଭୂତାଣୁଙ୍କ ଦେହର ଚାରିପଟେ ଏକ ପତଳା ଆସ୍ତରଣ ଥାଏ ଯାହାକୁ ଏହି ରଶ୍ମି ନଷ୍ଟ କରି ଦେଇପାରିବ । ବ୍ରେନର ଏବଂ ତାଙ୍କ ଟିମ ଇତି ମଧ୍ୟରେ ଦୁଇ ପ୍ରକାର କରୋନା ଭାଇରସ ଉପରେ ଏହି ରଶ୍ମିର ପ୍ରୟୋଗ କରିସାରିଥିଲା ବେଳେ ଏବେ ସମଗ୍ର ବିଶ୍ୱରେ ବ୍ୟାପିଥିବା ସାର୍ସ କୋଭିଡ-୨ ଭାଇରସ ଉପରେ ଏହାର ପରୀକ୍ଷା କରୁଛନ୍ତି । ଏହି ରଶ୍ମିକୁ ଅତି ଅଳ୍ପ ପରିମାଣରେ ପ୍ରୟୋଗ କରି ବାୟୁରେ ଥିବା ୯୯% ଭୂତାଣୁଙ୍କୁ ମାରିପାରିବୁ ବୋଲି ଆମେ ଆଶାବାନ ଥିବାର ସେ ପ୍ରକାଶ କରିଛନ୍ତି । ଯଦି ସରକାର ଅନୁମତି ଦିଅନ୍ତି, ତା ହେଲେ ଏହି ଉପାୟରେ ବିମାନ ବନ୍ଦର, ରେଳ ଷ୍ଟେସନ, ସ୍କୁଲ ଏବଂ ହସ୍ପିଟାଲ ପରିସରରେ ବାୟୁକୁ ଭୂତାଣୁ ମୁକ୍ତ କରାଯାଇପାରିବ ବୋଲି ସେ ମତ ଦେଇଛନ୍ତି । ୟା ପୂର୍ବରୁ ଚୀନ ଏବଂ ଦକ୍ଷିଣ କୋରିଆରେ ହସ୍ପିଟାଲ, ବସ ଏବଂ ଟ୍ରେନକୁ କରୋନା ଭୂତାଣୁ ମୁକ୍ତ କରାଯିବା ପାଇଁ ଅଲଟ୍ରାଭାଓଲେଟ ରଶ୍ମି ପ୍ରୟୋଗ କରାଯିବାର ନଜିର ରହିଛି ।