ଦିହକୁ ହିତ ଶୀତଦିନିଆ ଗାଜର ଅଦା ସୁପ

ଦିହକୁ ହିତ ଶୀତଦିନିଆ ଗାଜର ଅଦା ସୁପ

ଦିହକୁ ହିତ ଶୀତଦିନିଆ ଗାଜର ଅଦା ସୁପ
ଶୀତରେ ସୁପର ଆବଶ୍ୟକତା ଅଧିକ ହୋଇଥାଏ । ଏହି ଋତୁରେ ସୁପ୍ ପିଇଲେ ତାହା ଶରୀରକୁ ଶକ୍ତି ଯୋଗାଉଥିବାର ବିଶେଷଜ୍ଞଙ୍କ ମତ । ସପ୍ତାହକୁ ୨ ରୁ ୩ ଥର ‘ଗାଜର-ଅଦା’ ସୁପ୍ ଘରେ ପ୍ରସ୍ତୁତ କରି ପରିବାରର ପ୍ରତ୍ୟେକ ସଦସ୍ୟ ପିଇବା ଉଚିତ । ସୁପପାଇଁ ଆବଶ୍ୟକ ସାମଗ୍ରୀ - ୧ ଚାମଚ ଅଲିଭ ତେଲ, ଗାଜର (ଗୋଟିଏ) ଛୋଟ ଛୋଟ କଟା ହୋଇଥିବା ବଡ଼ ପିଆଜ ଭଲ ଭାବରେ ଚୁନାଚୁନା କଟା, ୩ କୋଳା ରସୁଣ ଛେଚା, ଖଣ୍ଡେ ଅଦା ଛୋଟ ଭାବରେ କଟା, ଲୁଣ ଓ ଗୋଲମରିଚ ଗୁଣ୍ଡ ସ୍ୱାଦାନୁସାରେ, ୧ ଛୋଟ ଚାମଚ ଡାଲଚିନି ଗୁଣ୍ଡ, ୨ କପ୍ ପାଣି । ପ୍ରସ୍ତୁତି- ଗୋଟିଏ ପାତ୍ରକୁ ଚୁଲାରେ ବସାଇ ୧ ଚାମଚ ଅଲିଭ ତେଲକୁ ପକାଇ ଭଲ ଭାବରେ ଗରମ କରିବେ । ଏହା ପରେ କଟା ପିଆଜ ଓ ରସୁଣ ଛେଚାକୁ ପକାଇ ୨ମିନିଟ୍ ପର୍ୟ୍ୟନ୍ତ ରଖିବେ । ପିଆଜ ଭଲ ଭାବରେ ଭାଜି ହେବା ପରେ ଦେଢ଼ କପ୍ ପାଣି ମିଶାନ୍ତୁ । ପାଣି ଫୁଟିବା ପରେ ସେଥିରେ କଟା ଗାଜର ଓ ଅଦା ପକାଇବେ । ପ୍ରାୟ ୧୦ ରୁ ୧୫ ମିନିଟ୍ ଏହାକୁ ଢ଼ାଙ୍କୁଣି ଦିଅନ୍ତୁ । ଏହା ପରେ ଚୁଲା ବନ୍ଦ କରି ମିଶ୍ରଣକୁ ଥଣ୍ଡା କରିବେ । ପରେ ସେହି ମିଶ୍ରଣକୁ ଗ୍ରାଇଣ୍ଡିଂ କରନ୍ତୁ । ପୁନର୍ବାର ତାହାକୁ ପାତ୍ରକୁ କାଢ଼ି ସେଥିରେ ଲୁଣ, ଗୋଲମରିଚ ଗୁଣ୍ଡ ଓ ଡାଲଚିନି ଗୁଣ୍ଡ ମିଶାଇ ଅଳ୍ପ ଉଷୁମ କରି ସୁପର ମଜା ନିଅନ୍ତୁ ।