ଦେଶରେ ୧୬ କୋଟି ଲୋକ ମଦ ପିଅନ୍ତି

ଦେଶରେ ୧୬ କୋଟି ଲୋକ ମଦ ପିଅନ୍ତି

ଦେଶରେ ୧୬ କୋଟି ଲୋକ ମଦ ପିଅନ୍ତି
ନୂଆଦିଲ୍ଲୀ: ଦେଶରେ ଏବେ ନିଶାସକ୍ତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏପରିକି ସ୍କୁଲ ଯାଉଥିବା ପିଲାମାନେ ବି ନିଶାସେବନ କରିବା ଆରମ୍ଭ କଲେଣି । ମଦ, ଗଞ୍ଜେଇ ଏବଂ ଅଫିମ ପରି ବିଭିନ୍ନ ନିଶାଦ୍ରବ୍ୟ ସେବନ ଲୋକଙ୍କ ମଧ୍ୟରେ ବୃଦ୍ଧି ପାଉଛି । ଦେଶରେ ଏବେ ୧୬ କୋଟିରୁ ଅଧିକ ଲୋକ ମଦ୍ୟପାନ କରୁଛନ୍ତି । ଏବଂ ସେମାନଙ୍କ ମଧ୍ୟରୁ ୫.୭ କୋଟି ଲୋକ ନିଶାସକ୍ତ । ୩.୧ କୋଟି ଲୋକ ଗଞ୍ଜେଇ ବ୍ୟବହାର କରୁଛନ୍ତି । ରାଜ୍ୟସଭାରେ ଆଜି ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥାୱାର ଚାନ୍ଦ ଗେହଲଟ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି । ୧୦-୭୫ ବର୍ଷ ବୟସ ମଧ୍ୟରେ ୧.୧୮ କୋଟି ଲୋକ ସେଡିଟିକ୍ସ ନେଉଥିବା ବେଳେ ୭୭ ଲକ୍ଷ ଲୋକ ଇନହେଲାଣ୍ଟସ ବ୍ୟବହାର କରୁଛନ୍ତି । ସରକାରଙ୍କ ପକ୍ଷରୁ ଏବେ ୧୦ଟି ବଡ ସହରରେ ସ୍କୁଲ ଗୁଡ଼ିକରେ ସର୍ବେକ୍ଷଣ କରାଯାଉଛି । ସ୍କୁଲ ଏବଂ କଲେଜ ଛାତ୍ରମାନେ କେଉଁ ପ୍ରକାର ନିଶାଦ୍ରବ୍ୟ ଗ୍ରହଣ କରୁଛନ୍ତି ତାହା ଏଥିରୁ ଜଣାପଡ଼ିବ । ଗେହଲଟ ସଂସଦରେ ତଥ୍ୟ ରଖି କହିଛନ୍ତି ଯେ ୨୦୧୮ ରେ ନିଶାସେବନ ନେଇ ଏକ ବଡ ସର୍ବେକ୍ଷଣ କରାଯାଇଥିଲା । ଏହାର ଦାୟିତ୍ୱ ନ୍ୟାସନାଲ ଡ୍ରଗ ଡିପେଣ୍ଡସ ସେଣ୍ଟର (ଏନଡିଡିଟିସି) ଏବଂ ଏମସ ନୂଆଦିଲ୍ଲୀକୁ ଦିଆଯାଇଥିଲା । ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ସର୍ଭେ କରାଯାଇଥିଲା । ଏଥିରେ ୨ ଲକ୍ଷ ୧୧୧ ପରିବାରକୁ ସାକ୍ଷାତ କରି ନିଶା ଦ୍ରବ୍ୟର ଉପଯୋଗର ସୀମା ଏବଂ ପଦ୍ଧତି ସମ୍ପର୍କରେ ୪ ଲକ୍ଷ ୭୪ ହଜାର ଲୋକଙ୍କୁ ପ୍ରଶ୍ନ କରାଯାଇଥିଲା ।