ନିଜର ଏଚ.ଆଇ.ଭି ସ୍ଥିତି ଜାଣନ୍ତୁ ଅଭିଯାନର ଶୁଭାରମ୍ଭ

ନିଜର ଏଚ.ଆଇ.ଭି ସ୍ଥିତି ଜାଣନ୍ତୁ ଅଭିଯାନର ଶୁଭାରମ୍ଭ

ନିଜର ଏଚ.ଆଇ.ଭି ସ୍ଥିତି ଜାଣନ୍ତୁ ଅଭିଯାନର ଶୁଭାରମ୍ଭ
ପାରାଦ୍ୱୀପ : ଲକ୍ଷ୍ମୀନାରାୟଣ ସାହୁ :ସମଗ୍ର ବିଶ୍ୱକୁ ଏଡସ୍ ବ୍ୟାଧିରୁ ମୁକ୍ତ କରିବା ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଉଦ୍ୟମର ଅଂଶବିଶେଷ, ଓଡିଶା ଏଡସ୍ ନିୟନ୍ତ୍ରଣ ସୋସାଇଟି - ଓସାକ୍ସ ଓ ପାରାଦୀପ ବନ୍ଦର ମିଳିତ ଭାବେ ଦୁଇ ଦିବସୀୟ - ନିଜର ଏଚ.ଆଇ.ଭି ସ୍ଥିତି ଜାଣନ୍ତୁ ଅଭିଯାନର ଶୁଭାରମ୍ଭ କରିଛନ୍ତି । ମୁଖ୍ୟ ଅତିଥି ଭାବେ ବନ୍ଦର ସଚିବ ଶ୍ରୀ ବିମଳ କୁମାର ଝା ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଓସାକ୍ସ ସହ ନିର୍ଦେଶିକା ଶ୍ରୀମତୀ ସ୍ମୃତି ସାଗରିକା କାନୁନଗୋ , ବନ୍ଦର ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାଃ ପ୍ରହ୍ଲାଦ ପଂଡା, ମୁଖ୍ୟ ଅର୍ଥ ପରାମର୍ଶଦାତା ଶ୍ରୀ ସୁରେନ୍ଦ୍ର କୁମାର ସାହୁ, ମୁଖ୍ୟ ଯନ୍ତ୍ରୀ ଶ୍ରୀ କେ ରାମଚନ୍ଦ୍ର ରାଓ, ମୁଖ୍ୟ ଯନ୍ତ୍ରୀ (ଯାନ୍ତ୍ରିକ) ଶ୍ରୀ ସରୋଜ କୁମାର ଦାସ, ନୋଡାଲ ଅଧିକାରୀ ଡାଃ ମାୟାରାଣୀ ଦେବୀ ପ୍ରମୁଖ ତଥା ବନ୍ଦରର ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଏକ ମ୍ୟାଜିକ ଶୋ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥିଲା । ଉଲ୍ଲେଖନୀୟ, ଦୁଇଦିନ ଧରି ଏଚ.ଆଇ.ଭି ନିରୂପଣ ଶିବିର ବନ୍ଦର ପ୍ରଶାସନିକ କାର୍ଯ୍ୟାଳୟ, ପୋତାଶ୍ରୟ ଗେଟ୍୍ ନଂ ୨, ୩, ୪ ଏବଂ ୫ରେ ଅନୁଷ୍ଠିତ ହେଉଛି । ଏହାଛଡା ପାରଂପରିକ ଲୋକନୃତ୍ୟ ମାଧ୍ୟମରେ ବି ଜନସଚେତନତା ସୃଷ୍ଟି କରାଯାଉଛି । ପାରାଦୀପ ବନ୍ଦରରେ ଏଚ.ଆଇ.ଭି. ଏଡସ୍ ସଂପର୍କିତ କାର୍ଯ୍ୟସ୍ଥଳୀ ନୀତି ପ୍ରଣୀତ ହୋଇଛି, ଯାହାକି ଏଡସ୍ ସମ୍ବନ୍ଧୀୟ ଭେଦଭାବକୁ ଦୂର କରିବା ଲାଗି ଉଦ୍ଦିଷ୍ଟ । ସୂଚନାଯୋଗ୍ୟ, ୨୦୧୩ରେ ଜାତୀୟ ଏଡ୍ସ ନିୟନ୍ତ୍ରଣ ସଂଗଠନ, କେନ୍ଦ୍ର ସରକାର ଓ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟ ମଧ୍ୟରେ ଏଡସ୍ ନିୟନ୍ତ୍ରଣ ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ଏହା ବଳରେ ବନ୍ଦର ଚିକିତ୍ସାଳୟରେ ମାଗଣାରେ ଏଚ.ଆଇ.ଭି ଚିହ୍ନଟ ପରୀକ୍ଷା, ପରାମର୍ଶ ବ୍ୟବସ୍ଥା ସବୁଦିନ କରାଯାଉଛି । ପ୍ରତିବର୍ଷ ବନ୍ଦରରେ ବିଶ୍ୱ ଏଡସ୍ ଦିବସ ପାଳନ, ବିଭିନ୍ନ ସମୟରେ ପଥପ୍ରାନ୍ତ ନାଟକ ଓ ଜନସଚେତନତା ଅଭିଯାନ ଜରିଆରେ ସ୍ଥାନୀୟ ଅଧିବାସୀଙ୍କୁ ଏହି ବ୍ୟାଧି ସଂପର୍କରେ ଅବଗତ କରାଯାଉଛି ।