ବଢିଲା ବନ୍ୟା ଆଶଙ୍କା : ହୀରାକୁଦର ୨୮ ଗେଟ ଖୋଲିଲା
ବଢିଲା ବନ୍ୟା ଆଶଙ୍କା : ହୀରାକୁଦର ୨୮ ଗେଟ ଖୋଲିଲା
admin
Aug 28, 2020 - 06:30
Updated: Aug 28, 2020 - 06:30
ଭୁବନେଶ୍ୱର : ହୀରାକୁଦ ଡ୍ୟାମ୍ର ଆଉ ୪ଟି ଗେଟ୍ ଖୋଲାଗଲା । ଏବେ ସର୍ବମୋଟ ୨୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ହୀରାକୁଦକୁ ୬ଲକ୍ଷ ୫୬ ହଜାର ୬ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୩୫ ହଜାର ୬୫୮ କ୍ୟୁସେକ ଜଳ । ହୀରାକୁଦ ଡ୍ୟାମ୍ ଗେଟ୍ ଖୋଲିବା ଦ୍ବାରା ଫୁଲୁଛି ମହାନଦୀ । ଫଳରେ ରାଜ୍ୟରେ ବନ୍ୟାର ଆଶଙ୍କା ଅଧିକ ହେବାରେ ଲାଗିଛି । ଉପରମୁଣ୍ଡରେ ୨୦୦ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଏହା ବନ୍ୟା ପରସ୍ଥିତିକୁ ଅଧିକ ସଙ୍ଗୀନ କରିବାର ଆଶା ରହିଛି ।
ପୂର୍ବରୁ ହୀରାକୁଦ ଡ୍ୟାମରୁ ୨୪ଟି ଗେଟ୍ ଖୋଲାଯାଇଥିଲା । ଛତିଶଗଡ଼ରେ ବର୍ଷା ହେବା ଫଳରେ ହୀରାକୁଦ ଡ୍ୟାମକୁ ପ୍ରଚୁର ଜଳରାଶି ପ୍ରବେଶ କରୁଛି । ହୀରାକୁଦ ଡ୍ୟାମର ତଳପଟରେ ମଧ୍ୟ ପ୍ରବଳ ମାତ୍ରାରେ ଜଳ ପ୍ରବାହିତ ହେଉଛି । କାରଣ ମହାନଦୀର ଉପନଦୀଗୁଡ଼ିକରେ ବନ୍ୟା ଜଳ ଆସିଛି । ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ପ୍ରବାହିତ ହେଉଥିବା ନଦୀ ଓ ଉପନଦୀଗୁଡ଼ିକ ମହାନଦୀ ସହିତ ସଂଲଗ୍ନ ହୋଇଥିବାରୁ ବନ୍ୟା ଜଳ ଅଧିକ ପ୍ରବାହିତ ହୋଇଛି ।