ବିଜେପିରେ ଜଟିଳ ହେଉଛି ଅପରାଜିତା ଅଙ୍କ

ବିଜେପିରେ ଜଟିଳ ହେଉଛି ଅପରାଜିତା ଅଙ୍କ

ବିଜେପିରେ ଜଟିଳ ହେଉଛି ଅପରାଜିତା ଅଙ୍କ
ଭୁବନେଶ୍ୱର : ଅପରାଜିତା ଷଡ଼ଙ୍ଗୀ । ପ୍ରଶାସିକା ଥିବାବେଳେ ଯେଉଁ ଦମ୍ଭ ଓ ଆଂଟରେ କାମ କରୁଥିଲେ ଏବେ ବିଜେପି ସାଂସଦ ହେବା ପରେ ବି ସମାନ ଆଭିମୁଖ୍ୟ ଜାରି ରଖିଛନ୍ତି । ତେବେ ନିଜର ଦାମ୍ଭିକତା ପାଇଁ ପ୍ରଶାସନିକ ମହଲରେ ତାଙ୍କ ପାଇଁ ଯେଉଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା ଏବେ ସମାନ ଅକଳିଆ ପରିସ୍ଥିତି ନିଜ ଦଳରେ ସୃଷ୍ଟିହୋଇଛି । ଗତ ମାସକ ମଧ୍ୟରେ ଅପରାଜିତାଙ୍କୁ ନେଇ ବିଜେପି ନେତାଙ୍କ ଆଭିମୁଖ୍ୟକୁ ଦେଖିଲେ ଅପରାଜିତାଙ୍କୁ କୋଣଠେସା କରିବା ପାଇଁ ପ୍ରକ୍ରିୟାା ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀଙ୍କ ସମ୍ବଦ୍ଧ୍ୱର୍ନା ଉତ୍ସବ କଥାକୁ ମନେ ପକାଇ ଦିଆଯାଇପାରେ । ଅପରାଜିତା ହେଉଛନ୍ତି ଭୁବନେଶ୍ୱର ସାଂସଦ । ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ବି ବିଧାନସଭା ଆସନରେ ବିଜେପି ଖାତା ଖୋଲିନଥିବାବେଳେ ସେଠାରେ ସାଂସଦ ଭାବେ ବିଜୟୀ ହୋଇ ଅପରାଜିତା ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ହେଲେ ସେଇ ଭୁବନେଶ୍ୱରରେ ଆୟୋଜିତ ସମ୍ବଦ୍ଧ୍ୱର୍ନା ଉତ୍ସବରେ ଅପରାଜିତାଙ୍କୁ ଦେଖିବାକୁ ମିଳିଲାନାହିଁ । ଅପରାଜିତା ଅସୁସ୍ଥତା କାରଣରୁ ସମ୍ବଦ୍ଧ୍ୱର୍ନାସ୍ଥଳୀକୁ ଆସିପାରିଲେ ନାହିଁ ବୋଲି କୁହାଯାଉଥିଲେ ମଧ୍ୟ ଏହା ପଛରେ ଅନେକଗୁଡ଼ିଏ କାରଣ ରହିଛି । ଏଥିମଧ୍ୟରୁ ପ୍ରଥମ କାରଣଟି ହେଉଛି ଅପରାଜିତା ଦଳୀୟ ନେତାଙ୍କ ସହ ପରାମର୍ଶ ନକରି ସିଧା ସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଥିଲେ । ଜଣେ ସାଂସଦ ଭାବେ ତାଙ୍କର ଏହି ଅଧିକାର ରହିଛି । ତେବେ ମିଳିଥିବା ସୂଚନାନୁସାରେ ପ୍ରଥମେ ଧର୍ମେନ୍ଦ୍ର ପ୍ରଧାନ ନବୀନଙ୍କୁ ଭେଟିବେ ବୋଲି ସ୍ଥିର କରାଯାଇଥିଲା । ଧର୍ମେନ୍ଦ୍ର ନଭେଟିବା ପର୍ଯ୍ୟନ୍ତ ନବୀନଙ୍କୁ ଦଳର ଅନ୍ୟ କେହି ନେତା ନଭେଟନ୍ତୁ ବୋଲି ଧର୍ମେନ୍ଦ୍ରଙ୍କ କୋଟରୀ ଚାହୁଁଥିଲେ । କିନ୍ତୁ ସମସ୍ତଙ୍କୁ ଚକିତ କରି ଅପରାଜିତାଙ୍କୁ ସଚିବାଳୟରେ ନବୀନଙ୍କୁ ଭେଟିଥିଲେ । ଯାହାକୁ ନେଇ ଧର୍ମେନ୍ଦ୍ରଙ୍କ କୋଟରୀ କ୍ଷୁବ୍ଧ ହୋଇଯାଇଛନ୍ତି । ସେହିପରି ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ବିମାନବନ୍ଦରରେ ସ୍ୱାଗତ ସମ୍ବଦ୍ଧ୍ୱର୍ନା ବେଳେ କେତେକ ମହିଳା ନେତ୍ରୀ ଜାଣିଶୁଣି ଅପରାଜିତାଙ୍କୁ ଅଣଦେଖା କରିଥିଲେ । ଅପରାଜିତାଙ୍କ ପ୍ରତି ଏମିତି ବ୍ୟବହାର କରାଯାଇଥିଲାଯେ, ସତେଯେମିତି ସେ ଦଳର କେହି ନୁହେଁ । ଯାହାକି ଅପରାଜିତାଙ୍କ ଭଳି ସ୍ୱାଭିମାନୀ ନେତ୍ରୀଙ୍କୁ ଆଘାତ ଦେଇଥିଲା । ଅପରପକ୍ଷରେ ବିମାନବନ୍ଦରରେ କାର୍ଯ୍ୟକର୍ତାଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତିକୁ ବି ସେ ସହଜରେ ଗ୍ରହଣ କରିପାରିନଥିଲେ । ସଦ୍ୟତମ ଘଟଣା ଅନୁଯାୟୀ ସଭ୍ୟସଂଗ୍ରହ ଅଭିଯାନ ବୈଠକ ଓ ବିଧାୟକ ଦଳ ବୈଠକ ଉପରେ ନଜର ପକାଯାଇପାରେ । ସଭ୍ୟ ସଂଗ୍ରହ ଅଭିଯାନରେ ଦଳର ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ । ସାରା ରାଜ୍ୟର ଆଗଧାଡ଼ିର ନେତା ଓ କାର୍ଯ୍ୟକର୍ତା ବି ଉପସ୍ଥିତ ଥିଲେ । ହେଲେ ଅପରାଜିତାଙ୍କୁ ଦେଖିବାକୁ ମିଳିନଥିଲା । ଅବଶ୍ୟ ଏବେ ଲୋକସଭା ଚାଲିଥିବାରୁ ଅପରାଜିତା ସେଥିପାଇଁ ପ୍ରସ୍ତୁତ ହେଉଥିବା କୁହାଯାଇପାରେ । କିନ୍ତୁ ସାଂଗଠନିକ କ୍ଷେତ୍ରରେ ଦବଦବା ଜାହିର କରିବାକୁ ଯୋଜନାା କରୁଥିବା ଅପରାଜିତାଙ୍କ ଅନୁପସ୍ଥିତିକୁ ନେଇ ସ୍ୱତଃ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାହିଁକିନା ସୁରେଶ ପୂଜାରୀ ଓ ଜୁଏଲ ଓରାମଙ୍କ ଭଳି ସାଂସଦମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ । ଅପରପକ୍ଷରେ ବିରୋଧୀ ଦଳ ନେତା ଚୟନ ପାଇଁ ଆହୂତ ବିଧାୟକ ଦଳ ବୈଠକରେ ସେ ଉପସ୍ଥିତ ରହିବା ଉଚିତ ଥିଲା । କିନ୍ତୁ ସେଠାରେ ବି ତାଙ୍କୁ ଦେଖିବାକୁ ମିଳିନଥିଲା । ଯେତେବେଳେକି ଅନ୍ୟ ସାଂସଦମାନଙ୍କୁ ଦେଖିବାକୁ ମିଳିଥିଲା । ତେବେ ଅପରାଜିତାଙ୍କୁ ଏହି ବୈଠକ ସମ୍ପର୍କରେ ସୂଚନା ଦିଆଯାଇନି ନା ଅପରାଜିତା ଜାଣିଶୁଣି ବୈଠକକୁ ଆଡେ଼ଇଯିବା ପାଇଁ ନିଷ୍ପତି ନେଇଛନ୍ତି ତାହାକୁ ନେଇ ନାନାଦି ପ୍ରଶ୍ନ ଉଠିବା ସ୍ୱାଭାବିକ । ତେବେ ସେ ଯାହାହେଉନା କାହିଁକି, ଦଳର ଆଗଧାଡ଼ିର ନେତା ଚାହାନ୍ତୁ ବା ନଚାହାନ୍ତୁ ଅପରାଜିତା ନିଜ ଢଙ୍ଗରେ କାର୍ଯ୍ୟ କରିବା ନିଶ୍ଚିତ ହୋଇଯାଇଛି । ସାଂସଦ ଓ ବିଧାୟକମାନେ ସମ୍ବଦ୍ଧ୍ୱର୍ନା ସଭାରେ ଯୋଗ ଦେଉଥିବାବେଳେ ଅପରାଜିତା କୃତଜ୍ଞତା ସଭା ଭଳି ଅଭିନବ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଅପରାଜିତାଙ୍କ ଲୋକପ୍ରିୟତା ଦିନକୁ ଦିନ ଦଳରେ ବୃଦ୍ଧି ପାଉଛି କହିଲେ ଭୁଲ ହେବନାହିଁ । ତେବେ ରାଜନୀତିରେ ଅଧିକ ଲୋକପ୍ରିୟତା ହିଁ ଅନେକ କଂଟାକୁ ଆହ୍ୱାନ କରିଥାଏ ।